ସାତକୋଶିଆକୁ ଛଡ଼ାଯିବ ବାଘୁଣୀ : ୧୪ ଦିନରେ ୪ ଶିକାର କଲାଣି ମହାବଳ

୨୦୧୯ ଜୁନ୍‌ ସୁଦ୍ଧା ସରିବ ବାଘ ଆଣିବା ପ୍ରକ୍ରିୟା

ଭୁବନେଶ୍ୱର : ସାତକୋଶିଆ ଅଭୟାରଣ୍ୟ ଭିତରେ ଛଡ଼ାଯାଇଥିବା ମହାବଳ ଆରାମରେ ରହିଛି। ଜଙ୍ଗଲ ଭିତରେ ଏଣେତେଣେ ବୁଲୁଛି। ଜନ୍ତୁ ମାରି ଖାଉଛି। ଜୁନ୍‌ ୬ରୁ ଆଜି ମଧ୍ୟରେ ୪ଟି ଶିକାର କରିଛି। ପ୍ରତି ମିନିଟ୍‌ରେ ତା’ର ସ୍ଥିତି ଉପରେ ଅନୁଧ୍ୟାନ କରାଯାଉଛି। କୌଣସି ପ୍ରକାର ଅସୁବିଧା ହୋଇନି। ଏବେ ଅଭୟାରଣ୍ୟରେ ବାଘୁଣୀ ରହିଛନ୍ତି। ସେମାନଙ୍କ ସହ ମହାବଳର କିଭଳି ବ୍ୟବହାର ରହୁଛି, ମିଶି ପାରୁଛି କି ନାହିଁ, ମହାବଳ କିଭଳି ଚଳପ୍ରଚଳ କରୁଛି ତାହା ଉପରେ ଲକ୍ଷ୍ୟ ରଖାଯାଇଛି। ସ୍ଥିତିକୁ ଦେଖି ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀକୁ ଆସନ୍ତା ସପ୍ତାହକ ମଧ୍ୟରେ ଜଙ୍ଗଲରେ ଛାଡ଼ିବା ଯୋଜନା କରାଯାଇଛି ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ଡ. ସନ୍ଦୀପ ତ୍ରିପାଠୀ କହିଛନ୍ତି।

‘ସମ୍ବାଦ’କୁ ସୂଚନା ଦେଇ ଡ. ତ୍ରିପାଠୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବାଘ, ବାଘୁଣୀ ଅଣାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଦୁଇଟି ବାଘ ଆସିବେ। ଏହି ପ୍ରକ୍ରିୟା ବର୍ଷା ଋତୁ ପରେ ଆରମ୍ଭ ହେବ। ଏନେଇ କଥାବର୍ତ୍ତା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଆସିଥିବା ମହାବଳ ଓ ବାଘୁଣୀକୁ ଛାଡ଼ିବା ଆମର ପ୍ରାଥମିକତା ରହୁଛି। ଏହା ସଫଳ ହେଲେ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଅନ୍ୟ ଦୁଇଟି ବାଘ ଆଣିବା ଲକ୍ଷ୍ୟ ରଖାଯାଇଛି। ୨୦୧୯ ଜୁନ୍‌ ସୁଦ୍ଧା ମଧ୍ୟପ୍ରଦେଶରୁ ବାଘ ଆଣିବା ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଛି।

ଅନ୍ୟପକ୍ଷରେ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିବା ମହାବଳ ବାଘ ଫେରାର୍‌ ହୋଇଥିବା ନେଇ ଗତ ୨୪ ଘଣ୍ଟା ହେଲା ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଚାଲିଛି। ଏହା ଉପରେ ମତ ଦେଇ ପିସିସିଏଫ୍‌ ଡ. ତ୍ରିପାଠୀ କହିଛନ୍ତି ଯେ, ଜୁନ୍‌ ୬ରେ ମହାବଳକୁ ଜଙ୍ଗଲରେ ଛଡ଼ାଯିବା ପରେ ଗୋଟିଏ ଦିନ ପାଇଁ ଟ୍ରାପ୍‌ କରାଯାଇ ପାରି ନ ଥିଲା। ଟେକ୍ନିକାଲ ସମସ୍ୟା ଯୋଗୁ ୨୪ ଘଣ୍ଟା ପାଇଁ ସେ ନଜର ବାହାରକୁ ଚାଲିଯାଇଥିଲା। ଏହାପରେ ସିଗନାଲ୍‌ ଠିକ୍‌ କରାଯାଇ ତା ଉପରେ ଦୃଷ୍ଟି ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସାତକୋଶିଆରେ ମହାବଳ ଛଡ଼ାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଅଭୟାରଣ୍ୟ ନିକଟରେ ବସବାସ କରୁଥିବା ଲୋକ ଗତକାଲି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ସୁରକ୍ଷା ଲୋଡ଼ିଥିଲେ। ଡିଏଫ୍‌ଓଙ୍କ ବଦଳି ପାଇଁ ଦାବି କରିଥିଲେ। ଆନ୍ଦୋଳନ ବ୍ୟାପକ ରୂପ ନେଉଥିବାରୁ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ର୍ରୀ ରାଉତରାୟ ଆଶ୍ୱାସନା ଦେଇଛନ୍ତି ଯେ ଭୟ କରିବାର କୌଣସି କାରଣ ନାହିଁ। ସାତକୋଶିଆରେ ଆଗରୁ ବାଘ ଅଛନ୍ତି। ଏବେ ଆଉ ଗୋଟିଏ ଛଡ଼ାଯାଇଛି। ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ। ବାଘ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର