ଅନୁଗୁଳ : ସାତକୋଶିଆ ଏନ୍କ୍ଲୋଜରରୁ କେବେଠୁ ଡିଆଁ ମାରିଲାଣି ଯୁବ ମହାବଳ। ଆଜକୁ ୪୯ଦିନ ହେଲା ମଧ୍ୟପ୍ରଦେଶ ଜଙ୍ଗଲକୁ ଭୁଲି ସାତକୋଶିଆ ପାଣିପାଗ ସହ ପରିଚିତ ହେଲାଣି। କିନ୍ତୁ ତା’ର ବାନ୍ଧବୀ ଏବେ ଏକ ପ୍ରକାର ବନ୍ଦୀ। ଆଜକୁ ୪୨ଦିନ ହେଲା ତାର ବାଡ଼ ଘେରା ଏନ୍କ୍ଲୋଜରରେ ଘୂରି ବୁଲୁଛି ସିନା କିନ୍ତୁ, ମୁକୁଳି ପାରୁନି। ବାନ୍ଧବଗଡ଼ରେ ଖୋଲା ଜଙ୍ଗଲରେ ଘୂରି ବୁଲୁଥିବା ବାଘୁଣୀ ‘ସୁନ୍ଦରୀ’ର ବନ୍ଦୀ ଜୀବନ ତା’ର ଜଙ୍ଗଲୀ ପ୍ରବୃତ୍ତିକୁ କେବଳ ପ୍ରଭାବିତ କରିବ ତାହା ନୁହେଁ, ଏହା ଦ୍ୱାରା ମହାବଳ ବଂଶ ବୃଦ୍ଧିରେ ବି ବାଧା ଉପୁଜିବ। ଜଙ୍ଗଲୀ ବାଘୁଣୀ ଚିଡ଼ିଆଖାନାର ଦର୍ଶନୀୟ ଜୀବ ହେବା ପୂର୍ବରୁ ଜଙ୍ଗଲକୁ ଛାଡ଼ି ଦେବା ଉଚିତ ବୋଲି ପରିବେଶ୍ବିତ୍ମାନେ ମତ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଐତିହାସିକ ପଦକ୍ଷେପ ନେଇଥିଲେ। ମଧ୍ୟପ୍ରଦେଶରୁ ଯୋଡ଼ିଏ ମହାବଳ ଆଣି ସାତକୋଶିଆ ଏନ୍କ୍ଲୋଜରରେ ଛାଡ଼ିଥିଲେ। ଜୁନ୍ ୨୧ତାରିଖରେ ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ପ୍ରଥମ ଯୁବ ମହାବଳ ଆସିଥିଲା। ସପ୍ତାହକ ପରେ ଅର୍ଥାତ୍ ଜୁନ୍ ୨୮ତାରିଖରେ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’ ଆସି ଅନ୍ୟ ଏକ ଏନ୍କ୍ଲୋଜରରେ ରହିଲା। ଅଣ୍ଡିରା ଯୁବ ମହାବଳ ଏନ୍କ୍ଲୋଜରରେ ୧୫ଦିନ ରହଣି ପରେ ଜଙ୍ଗଲକୁ ମୁକ୍ତ କରାଯାଇଛି। କିନ୍ତୁ ବାଘୁଣୀ ସୁନ୍ଦରୀ ଏବେ ବି ତାର ବାଡ଼ ଘେରା ଏନ୍କ୍ଲୋଜରରେ କାଟୁଛି ଜୀବନ। ଯୁବ ମହାବଳ ଜଙ୍ଗଲରେ ୪୯ଦିନ ହେଲା ଖୋଲାମେଲାରେ ବୁଲିଲାଣି, କିନ୍ତୁ ବାଘୁଣୀ ଏନ୍କ୍ଲୋଜରରେ ଆଜକୁ ୪୨ଦିନ ହେଲା ରହିଛି। ତାକୁ କାହିଁକି ମୁକ୍ତ କରାଯାଉ ନାହିଁ ବୋଲି ପରିବେଶ୍ବିତ ମହଲରେ ଆଲୋଚନା ହେଉଛି। ସୁନ୍ଦରୀକୁ ଜଙ୍ଗଲକୁ ଛାଡ଼ିବାକୁ ସାତକୋଶିଆ କର୍ତୃପକ୍ଷ ଡରୁଛନ୍ତି? ଜଙ୍ଗଲକୁ ଛଡ଼ା ଯାଇଥିବା ଯୁବ ମହାବଳର କିଛି ଅସୁବିଧା ହୋଇଗଲା ନା, ଲୋକଙ୍କ ମହାବଳକୁ ବିରୋଧ ଭୟ ବନ ବିଭାଗକୁ ଖାଇଯାଉଛି ସେନେଇ ବିଭିନ୍ନ ପ୍ରଶ୍ନ ଏବେ ଉଠିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/tiger.jpg)
