ମହାବଳ ସହ ସଂପର୍କ ଯୋଡ଼ୁଛି ପୁରୁଣା ବାଘୁଣୀ : ସୁନ୍ଦରୀ ଏକୁଟିଆ, ଆଚରଣରେ ଟିକିଏ ଉଗ୍ର, ଖୁବ୍‌ଶୀଘ୍ର୍ର ଆଉ ଦୁଇ ବାଘ ଆସିବେ

ଭୁବନେଶ୍ୱର : ମଧ୍ୟପ୍ରଦେଶରୁ ଅଣାଯାଇ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିବା ବାଘ-ବାଘୁଣୀ ବନ ବିଭାଗ ନିଦ ହଜାଇଦେଲେଣି। ଗୋଟିଏ ପଟେ ସାତକୋଶିଆ ବାଘ ବଂଶ ବୃଦ୍ଧି ପାଇଁ ଯୋଜନା ହୋଇଥିବା ବେଳେ ଅନ୍ୟପଟେ ଏହାକୁ ବିରୋଧ କରି ଚାଲିଛନ୍ତି ସ୍ଥାନୀୟ ଲୋକେ। ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ଆଶଙ୍କା ରହୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଏଭଳି ସମୟରେ ସେପ୍ଟେମ୍ବର ମାସରେ ଦ୍ୱିତୀୟ ପର୍ଯ୍ୟାୟ ବାଘ ଆଣିବାକୁ ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ। ଯଦି ପାଗ ଶୁଖିଲା ରହିବ ତେବେ ଆଉ ଦୁଇଟି ବାଘ ଅଣାଯିବ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସାତକୋଶିଆଙ୍କୁ ଛଡ଼ାଯାଇଥିବା ମହାବଳ ଏବେ ଜଙ୍ଗଲ ଭିତରେ ସ୍ୱାଭାବିକ ଚଳପ୍ର୍ରଚଳ କରୁଛି। ଶିକାର ମଧ୍ୟ କରୁଛି। ପ୍ରତି ୪ରୁ ୫ ଦିନ ବ୍ୟବଧାନରେ ଗୋଟିଏ ଲେଖାଏ ଶିକାର କରି ଖାଉଛି। ଅଭୟାରଣ୍ୟରେ ପୂର୍ବରୁ ଥିବା ବାଘୁଣୀ ସହ ବାଘର ସମ୍ପର୍କ ଦିନକୁ ଦିନ ନିବିଡ଼ ହେବାରେ ଲାଗିଛି। ଉଭୟ ପରସ୍ପର ନିକଟରେ ରହୁଛନ୍ତି। ତେଣୁ ମହାବଳକୁ ନେଇ ଏବେ ଆଉ କୌଣସି ପ୍ରକାର ଅସୁବିଧା ନ ଥିବା ଦେଖିବାକୁ ମିଳୁଛି।

କିନ୍ତୁ କିଛି ଦିନ ତଳେ ଜଙ୍ଗଲ ଭିତରକୁ ଛଡ଼ାଯାଇଥିବା ବାଘୁଣୀ ‘ସୁନ୍ଦରୀ’କୁ ନେଇ ବନ ବିଭାଗ ଚିନ୍ତା ବଢ଼ିଛି। ଜଙ୍ଗଲ ଭିତରେ ସୁନ୍ଦରୀର କାର୍ଯ୍ୟକଳାପ ଉଗ୍ର ହେଉଛି। ଏଣେତେଣେ ପଳାଉଛି। ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ରହୁନି। ଜନବସତି ଆଡ଼କୁ ମାଡ଼ିଯାଉଛି। ଲୋକେ ଭୟଭୀତ ହୋଇ ହୋହାଲ୍ଲା କରିବା ପରେ ଫେରି ଆସୁଛି। କିଛି ଦିନ ମଧ୍ୟରେ ‘ସୁନ୍ଦରୀ’ ସାତକୋଶିଆ ପରିବେଶ ସହ ଖାପ ଖୁଆଇବ ବୋଲି ବନ ବିଭାଗ ଅଧିକାରୀମାନେ ଆଶା ରଖିଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଯୋଜନାକୁ ସଫଳତା ମିଳିଛି। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଲାଗି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ମଧ୍ୟପ୍ରଦେଶରୁ ବର୍ଷା ଛାଡ଼ିଗଲାଣି। ସେପ୍ଟେମ୍ବର ଭିତରେ ବର୍ଷା ସମ୍ପୂର୍ଣ୍ଣରୂପେ ଛାଡ଼ିବା ପରେ ପ୍ରଥମେ ବାଘୁଣୀ ଓ ବାଘକୁ ଟାଙ୍କୁଲାଇଜ୍‌ କରାଯିବ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। କିନ୍ତୁ କେବେ କରାଯିବ ସେନେଇ ବନ ବିଭାଗର କୌଣସି ବି ଅଧିକାରୀ ମୁହଁ ଖୋଲୁନାହାନ୍ତି। ଗୁପ୍ତ ଭାବରେ ପ୍ରକ୍ରିୟା ଜାରି ରହିଥିବା ଅଧିକାରୀମାନେ କହୁଛନ୍ତି।

ସୂଚନାଯୋଗ୍ୟ ଯେ ପିସିସିଏଫ୍‌(ବନ୍ୟପ୍ରାଣୀ) ସନ୍ଦୀପ୍‌ ତ୍ରିପାଠୀ ଗତ ମାସରେ କହିଥିଲେ, ୨୦୧୯ ଜୁନ୍‌ ସୁଦ୍ଧା ମଧ୍ୟପ୍ରଦେଶରୁ ୬ଟି ବାଘ ଆଣିବାକୁ ଯୋଜନା ରହିଛି। ସେହି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବାଘ ଆସିଛି। ବର୍ଷା ଛାଡ଼ିବା ପରେ ଦ୍ୱିତୀୟ ପର୍ଯ୍ୟାୟ ବାଘ ଆଣାଯିବ।

ସମ୍ବନ୍ଧିତ ଖବର