ବାଘ ଆତଙ୍କ: ୫ ଛେଳିକୁ ମାରି ଖାଇଲା

ତେଲକୋଇ/କରଦାଙ୍ଗି: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି।  ଶିଖେଶ୍ବରୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ତିନି ଚୁଳିଆ ପାହାଡ଼ରେ କଲରାପତରିଆ ବାଘ  ୫ ଛେଳିଙ୍କୁ ମାରି ଦେଇଛି। ଫଳ‌ରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟ ହୋଇଛି।

ଶନିବାର କରଦାଙ୍ଗି ଗ୍ରାମର ସୁରେଶ ପାତ୍ର ସକାଳ ସାଢେ଼ ନଅଟା ବେଳେ ଛେଳି ଚରାଇବାକୁ ପାହାଡ଼କୁ ଯାଇଥିଲେ। ସେ ଛେଳି ନେଇ ଯାଇଥିଲା ବେଳେ ୫ଟି ଛେଳି ହଜି ଯାଇଥିଲେ। ୨ଟି ଖାସି ଓ ୩ଟି ମାଈ ଛେଳି ନ ପାଇବାରୁ ଅପରାହ୍ନରେ ପୁଣି ଛେଳି ଖୋଜାଖୋଜି କରିଥିଲେ। ଗୋଟିଏ ମୃତ ଛେଳି ପାଇବାରୁ ତାକୁ ନେଇ ଘରକୁ ଆସିଥିଲେ। ପୁନର୍ବାର ଅନ୍ୟ ଛେଳି ସନ୍ଧାନରେ ସେ ଅନ୍ୟ କେତେକ ଲୋକଙ୍କ ସହିତ ମିଶି ଛେଳି ନେଇ ସେଠାକୁ ଯାଇଥିଲେ। ସମସ୍ତେ ବିଭିନ୍ନ ଦିଗରେ ଖୋଜାଖୋଜି ଆରମ୍ଭ କରିଥିଲେ।

ସୁରେଶ ଏକ ପଥର ଚଟାଣ ଉପରେ ଏକ ବାଘ ଛେଳିକୁ ଖାଉଥିବା ଦେଖିବାକୁ ପାଇଥିଲେ। ବାଘକୁ ଦେଖି ଭୟଭୀତ ହେବା ସହିତ ଚିତ୍କାର କରି ଏକ ଗଛ ଉପରକୁ ଚଢ଼ି ଯାଇଥିଲେ।  ତାଙ୍କ ସାଥିରେ ଯାଇଥିବା ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ। କିଛି ସମୟ ପରେ ବାଘ ସେଠାରୁ ଚାଲିଯିବା ପରେ ବିଜୟ ପାତ୍ର ଓ ସାଥୀମାନେ ସୁରେଶଙ୍କୁ ଗଛରୁ ଉଦ୍ଧାର କରିବା ସହିତ ମୃତ ଛେଳିଙ୍କୁ ନେଇ ଗାଁକୁ ଫେରିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି।

କେନ୍ଦୁଝର ଡିଏଫଓ ଏଚ ଡି ଧନରାଜଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ପାରିପାର୍ଶ୍ବିକ ଅବସ୍ଥିତିରୁ କଲରାପତରିଆ ବାଘ ଛେଳିକୁ ମାରି ଥିବା ଅନୁମାନ କରାଯାଉଛି। ଯେହେତୁ ଶିଖେଶ୍ବରୀ ସଂରକ୍ଷିତ ଜଙ୍ଗଲଟି ପଡ଼ୋଶୀ ଅନୁଗୋଳ ଓ ଦେବଗଡ଼ ବନଖଣ୍ଡକୁ ଲାଗି ରହିଛି ଏବଂ ନିକଟରେ ମାଲ୍ୟଗିରି ପର୍ବତ ରହିଛି, ତେଣୁ ଅଧିକ ଅନୁସନ୍ଧାନ ପରେ ଏହା କଲରାପତରିଆ କି ମହାବଳବାଘ ଜଣାପଡ଼ିବ ବୋଲି ଶ୍ରୀ ଧନରାଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର