ଭୁବନେଶ୍ବର: ରାଜଧାନୀରେ ବାଘ ନୁହେଁ, ବଣଭୁଆ ବୁଲୁଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଡମ୍ପିଂୟାର୍ଡ ନିକଟରେ ବାଘ ବୁଲୁଥିବା ନେଇ ଗତକାଲି ଦିନତମାମ ହେଉଥିବା ଚର୍ଚ୍ଚା ଉପରୁ ପରଦା ହଟାଇ ବନ ବିଭାଗ ଆଜି ଏଭଳି ପ୍ରତିକ୍ରିୟା ଦେଇଛି। ଏଥିସହ କଲରାପତରିଆ ବାଘ ଖୋଜିବାକୁ ବିମାନବନ୍ଦର ନିକଟ ଜଙ୍ଗଲରେ ଲଗାଯାଇଥିବା ୪ଟି ଯାକ କ୍ୟାମେରାରେ ମଧ୍ୟ ସେହି ବଣଭୁଆ ଦୃଶ୍ୟମାନ ହୋଇଛି। ସମସ୍ତ କ୍ୟାମେରାରେ ସେହି ଗୋଟିଏ ଜନ୍ତୁର ଚିତ୍ର ସାମ୍ନାକୁ ଆସିଛି। ବାଘର ପାଦଚିହ୍ନ କୌଣସି ସ୍ଥାନରେ ଦେଖିବାକୁ ମିଳି ନାହିଁ। ସବୁ ଦିଗରୁ ଅନୁସନ୍ଧାନ ପରେ କ୍ୟାମେରାଗୁଡ଼ିକୁ ଖୋଲି ଦିଆଯାଇଛି। ବାଘ ଧରିବାକୁ ଥିବା ଯେଉଁ ଯନ୍ତା ବସାଯାଇଥିଲା ତାହାକୁ ମଧ୍ୟ ଫେରାଇ ନିଆଯାଇଥିବା ଭୁବନେଶ୍ବର ସିଟି ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀ ଆଜି ‘ସମ୍ବାଦ’କୁ କହିଛନ୍ତି।
ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ନେଇ ଏଭଳି ଗୁଜବ ପ୍ରଥମ ଘଟଣା ନୁହେଁ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ସିଂହକୁ ନେଇ ମଧ୍ୟ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ପିତାପଲ୍ଲୀରୁ ଚନ୍ଦକା ରାସ୍ତାର ନାୟର ପେଟ୍ରୋଲ ପମ୍ପ ନିକଟରେ ଏକ ସିଂହ ବୁଲୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ଓଡ଼ିଶା ଜଙ୍ଗଲରେ ଆଦୌ ସିଂହ ନ ଥିବା ବେଳେ ଚନ୍ଦକା ଜଙ୍ଗଲକୁ ଲାଗି ନନ୍ଦନକାନନ ପ୍ରାଣୀଉଦ୍ୟାନ ରହିଥିବାରୁ ସିଂହ ସେଠାରୁ ବାହାରି ଆସି ଏହି ରାସ୍ତାରେ ବୁଲୁଥିବାର ଖବର ପ୍ରଚାର ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନିକଟବର୍ତ୍ତୀ ଗାଁ ଲୋକେ ରାତି ଅନିଦ୍ରା ହୋଇ ସିଂହ ଖୋଜିବାରେ ଲାଗିପଡ଼ିଥିଲେ। ବନ ବିଭାଗକୁ ମଧ୍ୟ ଖବର ଦେଇଥିଲେ। କେହି କେହି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ପିସିସିଏଫ୍ (ବନ୍ୟପ୍ରାଣୀ), ବନ ବିଭାଗ ଓ କମିସନରେଟ୍ ପୁଲିସର ହସ୍ତକ୍ଷେପ ଲୋଡ଼ିବା ପରେ ଏଭଳି ଭିଡିଓରେ ସତ୍ୟତା ନ ଥିବା ପିସିସିଏଫ୍(ବନ୍ୟପ୍ରାଣୀ) ସୂଚନା ଦେଇଥିଲେ।
ଅନୁରୂପ ଭାବେ ଜାନୁଆରି ଶେଷ ସପ୍ତାହରେ ମଧ୍ୟ ବାଘକୁ ନେଇ ଭୁବନେଶ୍ବରରେ ଆଉ ଏକ ଗୁଜବ ସୃଷ୍ଟି ହୋଇଥିଲା। ଭରତପୁର ଜଙ୍ଗଲ ସଂଲଗ୍ନ ନୀଳାଦ୍ରିବିହାର ପାଚେରି ଉପରେ ବାଘ ବୁଲୁଥିବାର ଏକ ଭିଡିଓ ଭାଇରାଲ ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଡିଏଫ୍ଓ ଶ୍ରୀ ଶତପଥୀ ସେତେବେଳେ ଏହାକୁ ଖଣ୍ତନ କରିଥିଲେ। ଗତ ସପ୍ତାହରେ ଭରତପୁର ଅଞ୍ଚଳରେ ଏକ ବାଘ ବୁଲୁଥିବା ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା। କେବଳ ଚନ୍ଦକା ଜଙ୍ଗଲ ନୁହେଁ, ଓଡ଼ିଶାରେ ଲଗାତାର ଭାବେ ଏଭଳି ଘଟଣା ବନ ବିଭାଗ ନିଦ ହଜାଇ ଦେଲାଣି। ସେପ୍ଟେମ୍ବର ଶେଷ ସପ୍ତାହରେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଏକ ବାଘ ଚଳପ୍ରଚଳ କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଶେଷକୁ ପିସିସିଏଫ୍ (ସୁଶାନ୍ତ ନନ୍ଦ) ଏହା ଉପରେ ସ୍ପଷ୍ଟୀକରଣ ରଖି ଭାଇରାଲ ଭିଡିଓର ଓଡ଼ିଶାର ନୁହେଁ ବୋଲି କହିଥିଲେ।
ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ଭୁବନେଶ୍ବରକୁ ବାଘ ପଶି ଆସିବାର ନଜର ରହିଛି। ୧୨ ବର୍ଷ ତଳେ ନନ୍ଦନକାନନକୁ ଏକ ମହାବଳ ପଶି ଆସିଥିଲା। ଏକ କଲରାପତରିଆ ପଶି ଆସିଥିବା ବେଳେ ଗଣ୍ଡରପୁରରେ ତାହାକୁ ଲୋକେ ବାଡ଼େଇ ବାଡ଼େଇ ମାରି ଦେଇଥିଲେ। ୨୦୧୯ ଫେବ୍ରୁଆରି ୨୦ରେ ବିମାନବନ୍ଦର ଅଞ୍ଚଳକୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ସେବେଠାରୁ ଚନ୍ଦକା ଜଙ୍ଗଲରେ ବାଘଙ୍କର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଏମିତିକି ୨୦୨୩ର ମହାବଳ ଗଣନା, ୨୦୨୪ର କଲରାପତରିଆ ଗଣନା ସମୟରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ନଜର ଆସି ନାହାନ୍ତି। ତେଣୁ ଗତକାଲି ଖବର ପରେ ଟିକିଏ ଦ୍ବନ୍ଦ୍ବରେ ପଡ଼ିଥିଲୁ। ତଥାପି ଆମେ ତତ୍ପରତାର ସହ କ୍ୟାମେରା ଲଗାଇଥିଲୁ। ଏଭଳି ଗୁଜବରେ ସାଧାରଣ ଜନତା ଭୟଭୀତ ନ ହେବାକୁ ଅଧିକାରୀ ଜଣକ ନିବେଦନ କରିଛନ୍ତି।