ହାତୀ ପାଇଁ ତଳିଆଙ୍କ ମୁଣ୍ଡକାଟ୍‌ : ମହାବଳ ପାଇଁ ବଡ଼ ମୁଣ୍ଡିଆଙ୍କୁ ଦୟା!

କୋଟିଏରୁ ଅଧିକ ଟଙ୍କା ନେଇ କି ସୁରକ୍ଷା ଦେ‌ଲା ଡବ୍ଲୁଆଇଆଇ?

ଅନୁଗୁଳ : ଢେଙ୍କାନାଳ ଜିଲ୍ଲାରେ ଏକକାଳୀନ ୭ହାତୀ ମୃତ୍ୟୁ ପାଇଁ ଗଡ଼ିଲା ୭ମୁଣ୍ଡ। ଦୋଷ ଥିଲା ଏୟା, ହାତୀ ମନିଟରିଂରେ ବନ ବିଭାଗ ମାରିଥିଲା ଫେଲ। ବିପଦକୁ ମୁକୁଳା ଛାଡ଼ି ବିଦ୍ୟୁତ୍ ବିଭାଗ କରିଥିଲା ଚରମ ଅବହେଳା। କେବଳ ସେଥିପାଇଁ ସକା‌େଳ ହାତୀପଲ ଜୀବନ ହରାଇଲେ, ସନ୍ଧ୍ୟା ବେଳକୁ ଧାର୍ଯ୍ୟ ହେଲା ଦଣ୍ଡ। ଦୋଷ ପାଇଁ ଗଡ଼ିଲା ତଳିଆ କର୍ମଚାରୀଙ୍କ ମୁଣ୍ଡ। ଢେଙ୍କାନାଳ ସଦର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ଼ଙ୍କୁ ନିଲମ୍ବିତ କଲା ବନ ବିଭାଗ। ଜିଲ୍ଲାସ୍ତରୀୟ ୩ଜଣ ଯନ୍ତ୍ରୀଙ୍କ ସମେତ ଜଣେ ଲାଇନ୍‌ମ୍ୟାନଙ୍କ ବିରୋଧରେ ‌େକଇ ଘଣ୍ଟାରେ ଶକ୍ତି ବିଭାଗ ବି କାର୍ଯ୍ୟାନୁଷ୍ଠାନ ନେଲା। କେବଳ କାର୍ଯ୍ୟନୁଷ୍ଠାନ ନୁହେଁ, ବରଂ ତ୍ବରିତ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସାଙ୍ଗକୁ ଗିରଫଦାରୀ ବି ହେଲା। ରାଜ୍ୟ ସରକାର ଏହା ଜରିଆରେ ବନ୍ୟଜନ୍ତୁଙ୍କ ପ୍ରତି କେତେ ଯତ୍ନବାନ ଓ ସେମାନଙ୍କୁ ଅବହେଳା କଲେ କେତେ କଠୋର ତାହା ଦେଖାଇଥିଲେ। କିନ୍ତୁ, ହାତୀ ମୃତ୍ୟୁ ପାଇଁ ତଳିଆଙ୍କ ମୁଣ୍ଡ କାଟ୍‌ ହୋଇଥିବା ବେଳେ ଜାତୀୟ ପଶୁ ମହାବଳ ମୃତ୍ୟୁ ପାଇଁ ବଡ଼ ମୁଣ୍ଡିଆଙ୍କୁ ଦୟା କିମ୍ପାଇ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ, ମହାବଳ ମହାବୀର କେବଳ ଗୋଟିଏ ଜଙ୍ଗଲୀ ବାଘ ନ ଥିଲା, ବରଂ ସାତକୋଶିଆରେ ବୁଡ଼ି ଯାଉଥିବା ମହାବଳ ବଂଶ ସୁରକ୍ଷାର କର୍ଣ୍ଣଧାର ଥିଲା। ଏକ ବିରାଟ ମିଶନ ନେଇ ମଧ୍ୟପ୍ରଦେଶରୁ ଅନୁଗୁଳ ଆସିଥିଲା ମହାବୀର। କେନ୍ଦ୍ର ସରକାର ବାଘ ସାଥୀରେ ସୁରକ୍ଷା ବି ପଠାଇଥିଲେ। ମନିଟରିଂ ପାଇଁ ଡବ୍ଲୁଆଇଆଇକୁ କୋଟିଏରୁ ଉର୍ଧ୍ବ ଟଙ୍କା ଦେଇଥିଲେ। ମହାବୀର ପଛରେ ଦିନ ରାତି ବନ ବିଭାଗର ଟିମ୍ ଲାଗିଥିଲେ। ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମହାବଳ ସ୍ଥାନାନ୍ତର କରି ଇତିହାସ ରଚିଲା ଭଳି କାମ କରି ସେତେବେଳେ ଏସିଏଫ୍‌ଙ୍କଠାରୁ ଆରମ୍ଭ କରି ଡିଏଫ୍‌ଓ, ଆର୍‌ସିସିଏଫ୍‌, ପିସିସିଏଫ୍, ସଚିବ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବଡ଼ ମୁଣ୍ଡ ସବୁ ବେଶ୍ ବାଃ ବାଃ ଗୋଟାଇଥିଲେ। ମହାବୀରକୁ ଆଣିବାଠାରୁ ଛାଡ଼ିବା ପର୍ଯ୍ୟନ୍ତ ବଡ଼ବଡ଼ିଆ ଭୁବନେଶ୍ବରରୁ ସାତକୋଶିଆ ଚକ୍କର କାଟି ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପର ପୁରୋଧା ସାଜିଥିଲେ। କିନ୍ତୁ ମନିଟିରଂରେ ଚରମ ଅବହେଳା ପାଇଁ ଆଶାର ପ୍ରତୀକ ମହାବୀର ହାରିଗଲା। ଜାତୀୟ ପଶୁକୁ ପୋକ ଖାଇଗଲେ। ମୁଣ୍ଡରୁ ପେଟ ଯାଏ ପୂରା ଚରିଗଲେ। ଅଥଚ କୋଟିଏରୁ ଅଧିକ ଟଙ୍କା ନେଇ ମହାବଳ ସୁରକ୍ଷାର ଦାୟିତ୍ବରେ ଥିବା ‘ଭାରତୀୟ ବନ୍ୟଜନ୍ତୁ ସଂସ୍ଥାନ’ (ଡବ୍ଲୁଆଇଆଇ) କର୍ମଚାରୀ କାଣିଚାଏ ବି ସୁରାକ୍ ପାଇଲେ ନାହିଁ ? ହାତୀ ମନିଟରିଂରେ ଅବହେଳା ପାଇଁ ଯଦି ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ମୁଣ୍ଡ ଗଡ଼ିଲା, ତେବେ ମହାବଳ ମନିଟରିଂ ଦୋଷ ଓ ଦୁର୍ବଳତା ପାଇଁ ଯେଉଁ ମୂଲ୍ୟବାନ ଜାତୀୟ ପଶୁଟି ଜୀବନ ହରାଇଲା ସେମାନଙ୍କ ପ୍ରତି ସରକାର ନିରବ କାହିଁକି?

ଅନ୍ୟପକ୍ଷରେ ମହାବଳ ମନିଟରିଂରେ କୁମ୍‌କି ହାତୀର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ବେଳେ ବନ ବିଭାଗ ଏକଥା ଅଙ୍ଗେ ନିଭାଇଛି। ମହାବୀର ଜୀବନ ରକ୍ଷା ପାଇଁ ମଧ୍ୟ କୁମ୍‌କି ହାତୀର ଭୂମିକା ଅତି ଦରକାରୀ ଥିଲା। ସାତକୋଶିଆରେ ବାଘ ଛାଡ଼ିବା ପୂର୍ବରୁ ଯଦି କୁମ୍‌କି ହାତୀ ଆସିଥାନ୍ତା, ଆଜି ହୁଏତ ମହାବୀର ବଞ୍ଚିଥାନ୍ତା। ହାତୀ ପିଠିରେ ବସି ସପ୍ତାହକୁ ଅନ୍ତତଃ ଥରେ ଡାକ୍ତର ମହାବୀରକୁ ସ୍ବଚକ୍ଷୁରେ ଦେଖି ପାରିଥାନ୍ତେ। ରୋଗୀଣା କଥା ଆଗରୁ ଜଣାପଡ଼ିଥିଲେ ତା’ର ଚିକିତ୍ସା ହୋଇ ପାରିଥାନ୍ତା। କିନ୍ତୁ ବନ ବିଭାଗ ବାଘ ଛାଡ଼ିବା ପୂର୍ବରୁ ହାତୀକୁ ନ ଆଣି ସେ ବାଟକୁ ବନ୍ଦ କରିଦେଲେ। ଯାହାର ପରିଣାମ ଆଜି ମହାବୀରର ମୃତ୍ୟୁ ହୋଇଛି ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି। ସମାନ କାରଣ ପାଇଁ ବାଘୁଣୀ ସୁନ୍ଦରୀକୁ ଦୁଇ ଦୁଇଟା ମଣିଷ ମରା ଅପରାଧ‌େର ଲୋକେ ଦାୟୀ କରିଛନ୍ତି। କିନ୍ତୁ ପ୍ରକୃତରେ ଯେଉଁମାନଙ୍କର ଅପରିଣାମଦର୍ଶିତା ପାଇଁ ଆଜି ଉଭୟ ସୁନ୍ଦରୀ ଓ ମହାବୀରର ଏପ୍ରକାର ଅବସ୍ଥା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା, ମାର୍ ମାର୍ ଭଣ୍ଡାରିଆକୁ ମାର୍‌ ନ୍ୟାୟରେ ‌େକବଳ ତଳିଆଙ୍କ ମୁଣ୍ଡ ଗଡ଼ୁଥିବ ସେନେଇ ଆଲୋଚନା ଜୋର୍ ଧରିଛି।

ସମ୍ବନ୍ଧିତ ଖବର