ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ ଦ୍ବନ୍ଦ୍ବ ବଢ଼ିଲା : କେମିତି ହେଲା ଘା’

ଭୁବନେଶ୍ବର : ସାତକୋଶିଆରେ ‘ମହାବୀର’ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ପହଞ୍ଚିଛି। ଘା’ ସଂକ୍ରମଣ ଯୋଗୁଁ ବାଘର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି। ଏନେଇ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବାଘର ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ଆସିଛି। ମହାବଳର ବେକରେ ଏକ କ୍ଷତ ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଅଧିକ ସଂକ୍ରମିତ ହୋଇଥିଲା। ଯେଉଁଥିପାଇଁ ମହାବୀର ଦିନକୁ ଦିନ ଦୁର୍ବଳ ହୋଇ ଯାଇଥିଲା। ଆଉ ଶେଷରେ ମରିଥିଲା। କିନ୍ତୁ ବାଘର ବେକରେ କେଉଁ ପରିସ୍ଥିତିରେ କ୍ଷତ ହୋଇଥିଲା ଓ କାହିଁକି ହୋଇଥିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ କାରଣ ଜଣା ନପଡ଼ିବାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପ୍ରକୃତ କାରଣ ଜଣାପଡ଼ିଛି ନା ରିପୋର୍ଟ ଚାପିବାକୁ ବନ ବିଭାଗର ଅଧିକାରୀମାନେ ଉଦ୍ୟମ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ପରିବେଶବିତ୍‌ ତଥା ବାଘ ଶବ ବ୍ୟବଚ୍ଛେଦ ସମୟରେ ଏନ୍‌ଟିସିଏ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ବିଶ୍ବଜିତ୍‌ ମହାନ୍ତି କହିଛନ୍ତି ଯେ ଘା’ ହେବା ଯୋଗୁଁ ମୃତ୍ୟୁ ହୋଇଥିବା ପୂର୍ବରୁ ସମସ୍ତଙ୍କୁ ଜଣାଅଛି। ହେଲେ କାରଣ କ’ଣ ତାହାକୁ ଖୋଜିବାକୁ ହେବ। ଶିକାରୀଙ୍କ ଦ୍ବାରା ବିଛା ଯାଇଥିବା ଫାଶରେ ପଡ଼ିବା ଦ୍ବାରା ବାଘର ବେକରେ ଘା’ ହୋଇଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ତାହାର ମୃତ୍ୟୁ ହୋଇଛି। ଭଲ ଭାବେ ତଦନ୍ତ ହେବା ଆବଶ୍ୟକ। ବାଘ ସମ୍ପ୍ରସାରଣ ପ୍ରକଳ୍ପ ଆଗକୁ ନେବା ପୂର୍ବରୁ ସାତକୋଶିଆ ଭିତ୍ତିଭୂମିକୁ ଆଗେ ଠିକ୍‌ କରାଯିବା ଦରକାର। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଉ। ସେମାନଙ୍କ ସହଯୋଗ ବିନା ପ୍ରକଳ୍ପ ଆଗକୁ ବଢ଼ିବା ସମ୍ଭବପର ନୁହେଁ।

ସାତକୋଶିଆରେ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଭାଗ୍ୟ କ’ଣ ହେବ? ସ୍ଥଗିତ ରଖାଯାଇଥିବା ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ପୁଣିଥରେ ଅନୁମତି ଦେବ ତ? ‘ସୁନ୍ଦରୀ’ ପୁଣିଥରେ ସାତକୋଶିଆ ଅଭୟାରଣ୍ୟକୁ ଫେରିବ କି? ମଧ୍ୟପ୍ରଦେଶ ସରକାର ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶାକୁ ବାଘ ପଠାଇବେ ତ? ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ପରେ ଏଭଳି ଅନେକ ପ୍ରଶ୍ନ ଉଠିଛି। ପ୍ରକଳ୍ପ ପୁଣିଥରେ ଆରମ୍ଭ ହେବା ନେଇ ବନ ବିଭାଗ ଆଶାବାଦୀ ଥିବା ବେଳେ ଏନ୍‌ଟିସିଏ ଓ ମଧ୍ୟପ୍ରଦେଶ ସରକାରଙ୍କ ପରବର୍ତୀ ନିଷ୍ପତ୍ତି ଉପରେ ଏବେ ସବୁ କିଛି ନିର୍ଭର କରୁଛି।

ପରି‌ବେଶବିତ୍‌ ଏବେ ସିଧାସଳଖ ବନ ବିଭାଗର ପରିଚାଳନାଗତ ତ୍ରୁଟିକୁ ଦର୍ଶାଇଛନ୍ତି। ସେମାନେ କହିଛନ୍ତି ଯେ ସାତକୋଶିଆ ସ୍ଥିତିକୁ ଭଲ ଭାବେ ଅନୁଧ୍ୟାନ ନ କରି ବନ ବିଭାଗ ଅଧିକାରୀମାନେ ତରବରିଆ ନିଷ୍ପତ୍ତି ନେଇଗଲେ। ଯେଉଁଥିପାଇଁ ଏଭଳି ସମସ୍ୟା ହୋଇଛି। ଗତ ୧୦ ବର୍ଷ ହେଲା ସାତକୋଶିଆକୁ ଶନିଦଶା ପଡ଼ିଛି। ୨୦୦୭ରେ ଏଠାରେ ୧୨ଟି ବାଘ ଥିବା ବେଳେ ଏବେ ତାହା ୨ଟିକୁ ହ୍ରାସ ପାଇଛି। ଅଭୟାରଣ୍ୟରେ ବଂଶ ସଂଖ୍ୟା ବୃଦ୍ଧି ପାଉନାହିଁ। ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ତାହାର ସଫଳତା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ଇତି ମଧ୍ୟରେ ଦୁଇଟି ବାଘ ହରାଇଥିବାରୁ ଭବିଷ୍ୟତରେ ଆଉ ବାଘ ଦେବାକୁ ଅରାଜି ହୋଇପାରେ। ପ୍ରକଳ୍ପ ଅଗ୍ରଗତିରେ ଏହା ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ସେମାନେ କହିଛନ୍ତି।

ସେପଟେ ଓଡ଼ିଶାରେ ଏବେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଗତ ୫ ବର୍ଷରେ ୨୫୪୯ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି। ୩୬୩ଟି ହାତୀ ମରିଥିବା ବେଳେ ୩୩୩ଟି ଚିତ୍ରା ହରିଣ ଓ ୧୮୧ଟି ଭାଲୁଙ୍କ ଜୀବନ ଯାଇଛି। ଗତ ଏକ ମାସ ମଧ୍ୟରେ ୧୦ରୁ ଅଧିକ ହାତୀ ମୃତ୍ୟୁ ଓ ଦୁଇଟି ମହାବାଘ ଟଳିପଡ଼ିବା ଘଟଣାକୁ ବନ୍ୟପ୍ରାଣୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର