ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍ : ଫାଶ ଯୋଗୁଁ ‘ମହାବୀର’ର ମୃତ୍ୟୁ

ରାଜ୍ୟକୁ ସ୍ପଷ୍ଟୀକରଣ ମାଗିବ ଏନ୍‌ଟିସିଏ

ଅନୁଗୁଳ/ନୂଆଦିଲ୍ଲୀ : ସାତକୋଶିଆର ଯୁବ ମହାବଳ ‘ମହାବୀର’ର ମୃତ୍ୟୁ ଶିକାରୀ ଫାଶରୁ ହୋଇଛି। ଜଙ୍ଗଲରେ ଚଲାବୁଲା ସମୟରେ ମହାବୀର ସେଥିରେ ଫସିଯାଇଛି। ଫାଶକୁ ଛିଣ୍ଡାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଶେଷରେ ନିଜ ବେକର ଉପରି ଭାଗରେ ଗଭୀର କ୍ଷତର ଶିକାର ହୋଇଛି। କ୍ଷତକୁ ଚିକିତ୍ସା ମିଳି ପାରିନାହିଁ। ପୋକ ସାଲୁବାଲୁ ହୋଇ ସେପ୍ଟିସେମିଆ, ମଲ୍‌ଟି ଅର୍ଗାନ ଫେଲୟର ଯୋଗୁଁ ମହାବୀର ମରିଛି।

ମହାବଳ ‘ମହାବୀର’ ମୃତ୍ୟୁର ୨୪ ଦିନ ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନଟିସିଏ)କୁ କେନ୍ଦ୍ରୀୟ ଟିମ୍ ଦେଇଥିବା ଏମିତି ଏକ ନିରପେକ୍ଷ ରିପୋର୍ଟ ପଦାକୁ ଆସିଛି। ଯେଉଁଥିରେ ବ୍ୟବଚ୍ଛେଦ ରିପୋର୍ଟ ଉପରେ କେନ୍ଦ୍ରୀୟ ଟିମ୍ ସନ୍ଦେହ ପ୍ରକାଶ କରିବା ସହିତ ବ୍ୟବଚ୍ଛେଦ ପୂର୍ବରୁ ବନ ବିଭାଗ ଉତ୍ତୋଳନ କରିଥିବା ଫଟୋ ଏବଂ ଭିଡ଼ିଓରୁ କେନ୍ଦ୍ରୀୟ ବିଶେଷଜ୍ଞମାନେ ଫାଶର ଖୁଲାସା କରିଛନ୍ତି। ଏ ସମ୍ପର୍କିତ ଏକ ବିସ୍ତୃତ ରିପୋର୍ଟ ଆଜି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ରିପୋର୍ଟ ପଦାକୁ ଆସିଲା ପରେ ରାଜ୍ୟ ବନ ବିଭାଗର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ସନ୍ଦେହ ବଳୟକୁ ଆସିଯାଇଛି। ବନ ବିଭାଗ ଏ ନେଇ ଅଡ଼ୁଆରେ ପଡ଼ିଯାଇଛି।

ଉଲ୍ଲେଖଯୋଗ୍ୟ, ମହାବୀର ମୃତ୍ୟୁ ପରେ ଏନଟିସିଏର ଇନ୍‌ସପେକ୍ଟର ଜେନେରାଲ ଅମିତ ମଲ୍ଲିକଙ୍କ ନେତୃତ୍ବରେ ୱାଇଲ୍‌ଡ଼ ଲାଇଫ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଡାକ୍ତର କେ. ରମେଶ ପ୍ରମୁଖ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍‌ ସାତକୋଶିଆ ଆସି ତଦନ୍ତ କରିଥିଲେ। ଯାହାର ପ୍ରାଥମିକ ରିପୋର୍ଟ ଏନଟିସିଏ ମୁଖ୍ୟଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ଏକ ଇଂରାଜୀ ଜାତୀୟ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି।

ମହାବୀର ମୃତ୍ୟୁକୁ ନେଇ ଓଡ଼ିଶାର ବନ ବିଭାଗର ଦର୍ଶାଇଥିବା ବିଭିନ୍ନ କାରଣକୁ କେନ୍ଦ୍ରୀୟ ଟିମ୍‌୍ ଖଣ୍ଡନ କରିଛନ୍ତି। ମହାବୀର ବେକରେ କେମିତି ଏତେ ବଡ଼ ଘା’ ହେଲା, ଶବ ବ୍ୟବଚ୍ଛେଦ ରିପୋର୍ଟରେ କିଛି ସ୍ପଷ୍ଟ କରାଯାଇ ନ ଥିବା‌ରୁ କେନ୍ଦ୍ରୀୟ ଟିମ୍ ସନ୍ଦେହ ପ୍ରକଟ କରିଛନ୍ତି। କିନ୍ତୁ ଶବ ବ୍ୟବଚ୍ଛେଦ ପୂର୍ବରୁ ମହାବଳର ଯେଉଁ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରାଯାଇଥିଲା, ତାକୁ ଯାଞ୍ଚ କରିଥିଲେ। ଏଥିରୁ ମହାବୀର କ୍ଷତ ଫାଶ ଜନିତ ବୋଲି ଟିମ୍ ଦର୍ଶାଇଛନ୍ତି। ତେଣୁ ଶିକାରୀଙ୍କ ଯୋଗୁ ମହାବୀରର ମୃତ୍ୟୁ ହୋଇଥିବା ଦିଗରେ ତଦନ୍ତ ଅଗ୍ରସର କରିବାକୁ କେନ୍ଦ୍ରୀୟ ଟିମ୍ ସୁପାରିସ କରିଛନ୍ତି।

ଏହି ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଏହାକୁ ଗୁରୁତର ସହ ନେଇଛନ୍ତି। ଏହାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ପୂର୍ବରୁ ଏହି ମାମଲାରେ ରାଜ୍ୟ ବନ ବିଭାଗର ଯେଉଁ ରିପୋର୍ଟରେ ମହାବୀରର ମୃତ୍ୟୁର କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା, ସେହି ରିପୋର୍ଟର ମଧ୍ୟ ସ୍ପଷ୍ଟୀକରଣ ଲୋଡ଼ାଯିବ। ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉଲ୍ଲେଖଯୋଗ୍ୟ, ଜୁନ୍ ୨୧ତାରିଖରେ ମହାବଳ ବଂଶ ବୃଦ୍ଧି ଆଶାରେ ମଧ୍ୟପ୍ରଦେଶ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପରୁ ମହାବୀର ସାତକୋଶିଆକୁ ଆସିଥିଲା। ଜଙ୍ଗଲ ପରିବେଶ ସହିତ ବେଶ ଭଲ ଭାବେ ଖାପଖୁଆଇ ରହିଥିଲା। କିନ୍ତୁ ନଭେମ୍ବର ୧୪ତାରିଖ ଦିନ ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ା ରେଞ୍ଜ୍‌ଠାରୁ କଟକ ଜିଲ୍ଲା ଆଠଗଡ଼ ବନଖଣ୍ତ ନୂଆଗଡ଼ ସ˚ରକ୍ଷିତ ଜଙ୍ଗଲ ଆଡ଼କୁ ୫ଶହ ମିଟର ଦୂର ରାସ୍ତା କଡ଼ରେ ଲତାବୁଦା ମୂଳେ ମହାବଳ ପୋକ ସାଲୁବାଲୁ ମୃତଦେହ ପଡ଼ିଥିଲା। ସମ୍ଭବତଃ ନିକଟସ୍ଥ ବ୍ରାହ୍ମୀ/ଖାରୁଆଣି ଗାଁ ପାଖରେ ନଭେମ୍ବର ୯ତାରିଖରେ ଏହି ଫାଶ ବସିଥିଲା। ଜଙ୍ଗଲୀ ବାର୍‌ହା କିମ୍ବା ମହାବଳ ଶିକାର ଉଦେଶ୍ୟରେ ଏ ଫାଶ ବିଛାଯାଇଥିଲା। ଏହି ଫାଶରେ ମହାବଳ ଫସିଥିଲା। ଫାଶ ଛିଣ୍ଡାଇବାକୁ ଯାଇ ବେକରେ କ୍ଷତ ହେଲା। ଫଳତଃ ନଭେମ୍ବର ୧୪ ତାରିଖରେ ତା’ର ମୃତ୍ୟୁ ହେଲା ବୋଲି ରିପୋର୍ଟରେ ଇଙ୍ଗିତ କରାଯାଇଛି। ଏମିତିକି ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଟିମ୍ ସନ୍ଦେହ ପ୍ରକାଶ କରିଛନ୍ତି। ଦର୍ଶାଇଛନ୍ତି, କ୍ଷତ ସମ୍ପର୍କରେ ରିପୋର୍ଟରେ କିଛି ଦର୍ଶାଯାଇ ନାହିଁ। କିନ୍ତୁ ବ୍ୟବେଚ୍ଛଦ ପୂର୍ବରୁ ଯେଉଁ ଫଟୋ, ଭିଡ଼ିଓ ଉତ୍ତୋଳନ ହୋଇଥିଲା ତାହା କ୍ଷତର କାରଣ ଜଳଜଳ ଦେଖାଯାଉଛି। ଏମିତିକି ମହାବୀର ପେଟରୁ ଝିଙ୍କ କାଠି ବାହାରିବା, ଅନ୍ୟ ଏକ ବାଘ ସହ ଲଢ଼େଇ ହୋଇ ମୃତ୍ୟୁ ହେବା କାରଣକୁ ଟିମ୍ ଖଣ୍ଡନ କରିଛି। କେନ୍ଦ୍ରୀୟ ରିପୋର୍ଟ ପରେ ସାତକୋଶିଆ କର୍ତୃପକ୍ଷଙ୍କ ନିରପେକ୍ଷ ତଦନ୍ତ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ‌

ମଧ୍ୟପ୍ରଦେଶର ସୂଚନା ଅଧିକାର କର୍ମୀ ଅଜୟ ଦୁବେ ‘ସମ୍ବାଦ’କୁ କହିଛନ୍ତି, ମହାବୀରକୁ ହତ୍ୟା କରାଯାଇଥିବା ଆଶଙ୍କା ସତ ହୋଇଛି। ଏଥିପାଇଁ ଉଭୟ ମଧ୍ୟପ୍ରଦେଶ ଓ ଓଡ଼ିଶା ସରକାର ଦାୟୀ। ସୁପ୍ରିମକୋର୍ଟରେ ତ୍ବରିତ ଶୁଣାଣି ହୋଇପାରୁ ନ ଥିବା ଯୋଗୁଁ ସେ ମହାବୀରର ମୃତ୍ୟୁ ମାମଲାକୁ ନେଇ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ପିଟିସନ୍ ଦାଖଲ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର