ରାୟଗଡ଼ା: ରାୟଗଡା ଛାଡିବାର ନାମ ଧରୁନି ମହାବଳ ବାଘ। ଜିଲ୍ଲାର ଗୁଡାରି, ପଦ୍ମପୁର, ମୁନିଗୁଡା ଏବଂ ଗୁଣୁପୁର ରେଂଜ ଭିତରେ ହିଁ ଘୁରି ବୁଲୁଛି। ରାତି ହେଲେ ଗାଁ ଭିତରେ ପଶୁଛି। ଭୋକିଲା ଥିବାରୁ ଗୃହପାଲିତ ପଶୁକୁ ଟାର୍ଗେଟ କରୁଛି। ତେବେ ବାଘକୁ ଠାବ କରିବାକୁ ବନ ବିଭାଗ ନାକେଦମ ହେଲେଣି। ବାଘର ପାଦ ଚିହ୍ନ ଠାବ କରିପାରୁଛନ୍ତି। କିନ୍ତୁ ବାଘକୁ ବର୍ତ୍ତମାନ ସୁଦ୍ଧା ନିଜ ଚକ୍ଷୁରେ ଦେଖିପାରିନାହାନ୍ତି।
ବର୍ତ୍ତମାନ ପଦ୍ମପୁର ଏବଂ ଗୁଣୁପର ରେଂଜ ଭିତରେ ବାଘ ବୁଲୁଥିବା ବନ ବିଭାଗ ଜାଣିପାରିଛି। ପଦ୍ମପୁର ରେଂଜର ଆମ୍ବଖୁଲା ଗ୍ରାମ ନିକଟରେ ଏକ ଗାଈକୁ ଖାଇଥିବା ଜଣାପଡିଛି। ଗାଈର ଦୁଇଟି ଗୋଡ଼ ପଡ଼ିଥିବା ବନ ବିଭାଗ କର୍ମଚାରୀ ଦେଖିଥିଲେ। ପଦ୍ମପୁର ରେଂଜରେ ବାଘର ବଡ଼ବଡ଼ ପାଦ ଚିହ୍ନ ଠାବ ହୋଇଛି। ଏହି ଅଂଚଳରେ ବନ ବିଭାଗ ଟ୍ରାପ କ୍ୟାମେରା ଲଗାଇଥିଲେ ମଧ୍ୟ କ୍ୟାମେରାକୁ ଧକ୍କା ଦେଇ ଅନ୍ୟତ୍ର ଚାଲିଯାଉଛି ବାଘ। ଏବେ ଗୁଣୁପୁର ରେଂଜର ପୁଲିପୁଟ, ଝୁମ୍ପାପୁର ଅଂଚଳରେ ବାଘ ବୁଲୁଥିବା ଅନୁମାନ କରୁଛି ବିଭାଗ। ଦୁଇରୁ ତିନୋଟି ଟିମ କରି ବନ କର୍ମଚାରୀମାନେ ଦିନରାତି ଏକ କରି ବାଘର ସନ୍ଧାନରେ ମାତିଛନ୍ତି। କିନ୍ତୁ ବାଘକୁ ଦେଖିବା ମୁସକିଲ ହୋଇଯାଇଛି।
କେବଳ ବାଘର ପାଦ ଚିହ୍ନ ନଦୀତଟରେ ଏବଂ ଜଂଗଲ ଭିତରେ ମିଳୁଛି। ରାତିରେ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଉଛି। ବାଘ ବୁଲୁଥିବା ସ୍ଥାନରେ ରହିଥିବା ଗ୍ରାମଗୁଡିକରେ ବନ ବିଭାଗ ପକ୍ଷରୁ ସତର୍କତା ବାର୍ତ୍ତା ଦିଆଯାଉଥିବା ଦେଖିବାକୁ ମିଳିଛି। ରାତିରେ ଯେତେ କାମ ଥିଲେ ମଧ୍ୟ ଘରୁ ପଦାକୁ ବାହାରିବାକୁ ମନା କରାଯାଇଛି। ସେହିପରି ଦିନରେ ମଧ୍ୟ ଜଂଗଲରେ ନପଶିବାକୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗାଁରେ ମଣିଷ ଉପରେ ବାଘ ଆକ୍ରମଣ କରନଥିବାରୁ ହୁଏତ ବାଘ ମଣିଷର ସଂସ୍ପର୍ଶରେ ଆଜି ପର୍ଯ୍ୟନ୍ତ ଆସିପାରି ନାହିଁ। ତେବେ ବାଘକୁ ନେଇ ଚାଲିଥିବା ତଦନ୍ତ ପ୍ରକ୍ରିୟା ଆଗାମୀ ଦିନରେ ମଧ୍ୟ ଚାଲିଥିବ ବୋଲି କୁହାଯାଇଛି।ବାଘକୁ କାବୁ କରାନଯିବା ପର୍ଯ୍ୟନ୍ତ ବନ ବିଭାଗକୁ ଆରାମ ମିଳିବ ନାହିଁ ବୋଲି କୁହାଯାଇଛି। ବାଘକୁ ଠାବ କରିବାରେ ବନ ବିଭାଗକୁ ଆହୁରି କେତେ ଦିନ ଲାଗିବ ଦେଖିବାକୁ ବାକି ରହିଲା।