ସାତକୋଶିଆରେ ବନ୍ଦ ହେବ ନାହିଁ ଅନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ: ଏନ୍‌ଟିସିଏ

ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ଅନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ହେବ ନାହିଁ। ଦୁଇ ଦିନିଆ ଗସ୍ତ ଶେଷ କରିବା ପରେ ଶନିବାର ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ର ଆଇଜି ଅମିତ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବ୍ୟାଘ୍ର ପ୍ରକଳ୍ପ ସାମୟିକ ସମୟ ପାଇଁ ସ୍ଥଗିତ ରହିଛି। ଆଲୋଚନା ଓ ବିଚାରବିମର୍ଶ ପରେ ପ୍ରକଳ୍ପ କାମ ପୁଣି ଥରେ ଆଗେଇବ। ନିକଟରେ ମହାବଳ ‘ମହାବୀର’ର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସବା ପରେ ପ୍ରକୃତ କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ ଯେ, ବାଘ ବଂଶ ବୃଦ୍ଧି ପାଇଁ କାହ୍ୱା ଅଭୟାରଣ୍ୟରୁ ମହାବୀରକୁ ସାତକୋଶିଆକୁ ଅଣାଯାଇଥିଲା । ସାତକୋଶିଆର କୋର ଏରିଆରେ ରହୁଥିଲା ମହାବଳ ମହାବୀର। ଏପରିକି ବାଘର ପ୍ରତିଟି ଗତିବିଧି ଉପରେ ନଜର ରଖିବା ପାଇଁ ମହାବୀର ଦେହରେ ରେଡିଓ କଲାର ଲଗାଯାଇଥିଲା । ତେବେ ଏହା ସ୍ଥିର ହୋଇଯିବାରୁ ବାଘର ମୃତ୍ୟୁ ହୋଇଥିବା ସନ୍ଦେହ ହୋଇଥିଲା । ଏପରିକି ମହାବୀର ହରିଣ ଶିକାର କରାଯାଉଥିବା ଜାଲରେ ପଡିଥିବା ସୂଚନା ମିଳିଛି ।

ଗୋଟିଏ ପଟେ ବନବିଭାଗ ବାଘ ବଂଶ ବୃଦ୍ଧି କରିବା ପାଇଁ ସାତକୋଶିଆରେ ବାଘ ଛାଡିଥିଲା । କିନ୍ତୁ ମହାବୀରର ମୃତ୍ୟୁ ପରେ ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି । କାରଣ ଆଗକୁ ଆହୁରି ୪ଟି ବାଘକୁ ଆଣିବାକୁ ଯୋଜନା କରିଥିଲା ବନବିଭାଗ । ତେଣୁ ବନବିଭାଗର ଏହି ଯୋଜନା ମଧ୍ୟ ଫସର ଫାଟି ଯାଇପାରେ । ପୂର୍ବରୁ ସାତକୋଶିଆରେ ମଧ୍ୟ ଅନେକ ବାଘ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର