ଅନୁଗୁଳ : ମଧ୍ୟପ୍ରଦେଶ ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ଗତମାସ ୨୧ତାରିଖରେ ସାତକୋଶିଆ ଆସିଥିବା ଯୁବ ମହାବଳ ଆଜି ମୁକୁଳିଛି। ଦୀର୍ଘ ୧୬ଦିନ ଧରି ଗୋଟିଏ ଏନ୍କ୍ଲୋଜରରେ ରହିବା ପରେ ଅପରାହ୍ଣ ପ୍ରାୟ ୨ଟାରେ ସାତକୋଶିଆ କର୍ତୃପକ୍ଷ ଏନ୍କ୍ଲୋଜର ଫାଟକ ଖୋଲି ଦେଇଥିଲେ। ମାତ୍ର କେଇଟା ମୁହୂର୍ତ୍ତରେ ୩ବର୍ଷିୟ ଏହି ଯୁବ ମହାବଳ ଏନ୍କ୍ଲୋଜରରୁ ଜଙ୍ଗଲ ଆଡ଼କୁ ଡିଆଁ ମାରିଥିଲା। ଏତେ କ୍ଷୀପ୍ର ଗତିରେ ବାଘ ଦୌଡ଼ିଥିଲା ଯେ ଆଖପାଖ ଇଲାକାରେ ବି ନଜରକୁ ଆସି ନଥିଲା।
ମହାବଳକୁ ଜଙ୍ଗଲରେ ଛାଡ଼ିବା ସାତକୋଶିଆ କର୍ତୃପକ୍ଷଙ୍କୁ ଯେତିକି ଆନନ୍ଦିତ କରିଛି, ତା’ର ସୁରକ୍ଷାକୁ ନେଇ ବନ କର୍ମଚାରୀଙ୍କ ଚିନ୍ତା ବି ସେତିକି ବଢ଼ିଛି। ବେଶି ଚିନ୍ତିତ ହୋଇଛନ୍ତି ସ୍ଥାନୀୟ ଗ୍ରାମବାସୀ। ବିଶେଷ କରି ସାତକୋଶିଆ ସହ ସମ୍ପୃକ୍ତ ଲବଙ୍ଗୀ, ବଲଙ୍ଗ, ଯୋକୁବ, ଟୁଲ୍କା ଆଦି ଗାଁକୁ ମହାବଳ ଭୟ ଘାରିଛି। ମହାବଳ ଏନ୍କ୍ଲୋଜରରୁ ମୁକ୍ତ ହେବା ଖବର ବିଜୁଳି ବେଗରେ ଗାଁ ଗାଁରେ ପ୍ରଚାରିତ ହୋଇଛି। କାଳେ ଗାଁକୁ ମହାବଳ ମୁହାଁଇବ ସେନେଇ ଏବେ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି।
ଉଲ୍ଲେଖଯୋଗ୍ୟ, ସାତକୋଶିଆରେ ମହାବଳ ଗୌରବ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାର ମଧ୍ୟପ୍ରଦେଶରୁ ୬ଟି ମହାବଳ ଆଣି ସାତକୋଶିଆରେ ଛାଡ଼ିବା ପାଇଁ ଯୋଜନା କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଜୁନ୍ ୨୧ତାରିଖରେ ଏହି ଯୁବ ମହାବଳକୁ ଆଣି ଏନ୍କ୍ଲୋଜରରେ ଛଡ଼ାଯାଇଥିଲା। ମହାବଳ ଶିକାର କରିବା ପାଇଁ ଏନ୍କ୍ଲୋଜର ଭିତରକୁ ଜଙ୍ଗଲୀ ବାର୍ହା ଓ ଅନ୍ୟାନ୍ୟ ଜନ୍ତୁ ପଠାଯାଉଥିଲା ବୋଲି ସାତକୋଶିଆ କର୍ତୃପକ୍ଷ କହିଥିଲେ। ନୂଆ ଜଙ୍ଗଲ, ନୂଆ ପରିବେଶ ମଧ୍ୟରେ ଯୁବ ମହାବଳ କେମିତି ଖାପ ଖୁଆଉଛି ଏନ୍କ୍ଲୋଜର ମଧ୍ୟରେ ତାହାର ତନାଘନା ଚାଲିଥିଲା। ଏନେଇ ଚଳିତ ସପ୍ତାହରେ ଏନ୍ଟିସିଏର ମୁଖ୍ୟ ଅନୁପ ନାୟକ ମଧ୍ୟ ସାତକୋଶିଆ ଆସି ମହାବଳର ଗତିବିଧି ଅନୁଧ୍ୟାନ କରିଥିଲେ। ଓ୍ଵାଇଲ୍ଡ଼ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞମାନେ ମଧ୍ୟ ମହାବଳର ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ସମୀକ୍ଷା କରିଥିଲେ। ମୌସୁମୀ ବର୍ଷା ଯୋଗୁ ବାଘ ଛାଡ଼ିବାରେ କିଛିଟା ବିଳମ୍ବ ହୋଇଥିଲା। କିନ୍ତୁ ଆଜି ପାଗ ଶୁଖିଲା ଥିବାରୁ ମହାବଳକୁ ଏନ୍କ୍ଲୋଜରରୁ ମୁକ୍ତ କରାଯାଇଛି।
ଅପରପକ୍ଷେ ବାଘୁଣୀ ‘ସୁନ୍ଦରୀ’କୁ କେବେ ଏନ୍କ୍ଲୋଜରରୁ ମୁକ୍ତ କରାଯିବ ସେନେଇ କୌଣସି ସୂଚନା ମିଳି ପାରିନାହିଁ। ମହାବଳକୁ ଛଡ଼ାଯିବା ସମୟରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପିସିସିଏଫ୍ (ଓ୍ଵାଇଲ୍ଡ଼ ଲାଇଫ୍) ଡ. ସନ୍ଦୀପ ତ୍ରିପାଠୀ, ଅତିରିକ୍ତ ପିସିସିଏଫ୍ ଡ. ସୁଦର୍ଶନ ପଣ୍ଡା, ସାତକୋଶିଆ ଡିଏଫ୍ଓ ଏସ୍ଏମ୍ଟି ରେହ୍ମାନ, ଅନୁଗୁଳ ଡିଏଫ୍ଓ ଭି. କାର୍ତ୍ତିକଙ୍କ ସମେତ ବନ କର୍ମଚାରୀ ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।