ରାୟଗଡ଼ା: ଦୁଇ ଦିନ ତଳେ କନ୍ଧମାଳକୁ ଚାଲିଯାଇଥିବା ମହାବଳ ବାଘ ପୁଣି ଫେରିଛି। ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଛି ବାଘ। ଗୁଡ଼ାରି ଓ ପଦ୍ମପୁର ସୀମାନ୍ତ ଜଂଗଲରେ ଘୁରିବୁଲୁଛି। କଦମା ପଞ୍ଚାୟତର ମେରେଣ୍ଡା ଗ୍ରାମ ନିକଟସ୍ଥ ଡିପଗାଁରେ ବାଘ ପଶି ଗୋଟଏ ଗାଈକୁ ଟାର୍ଗେଟ କରିଥିଲା। ତାର ବେକକୁ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲା।ଗାଈର ବିକଟାଳ ଚିତ୍କାର ଏବଂ ବାଘର ଗର୍ଜନରେ ଗାଁ ବାସିନ୍ଦା ଉଠିପଡ଼ିଥିଲେ। ଗ୍ରାମବାସୀ ହୋହଲ୍ଲା ଏବଂ ପାଟିତୁଣ୍ଡ କରିବା ପରେ ବାଘଟି ଜଂଗଲ ଭିତରକୁ ଚାଲିଯାଇଥିଲା। ବନ ବିଭାଗର କର୍ମଚାରୀ ଖବର ପାଇ ଗାଁକୁ ଆସି ତଦନ୍ତ କରିଥିଲେ।

Advertisment

ତେବେ ପୁଣି ବାଘ ଏହି ଗାଁ ଉପରେ ଆକ୍ରମଣ କରିପାରେ ଭାବି ବନ ବିଭାଗ ପକ୍ଷରୁ ଜଂଗଲରେ ଟ୍ରାପ କ୍ୟାମେରା ଲଗାଯାଇଥିବା ଗୁଡାରୀ ବନ ଅଧିକାରୀ ଦିଲୀପ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଗାଁ ଲୋକେ ଏତେ ସଂଖ୍ୟକ ଗୃହପାଳିତ ପଶୁକୁ କେଉଁଠି ରଖିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ରାତିରେ ଘରୁ ପଦାକୁ ନବାହାରିବା ପାଇଁ ଚେତାବନୀ ଦିଆଯାଇଛି। ପୁଣି ଦିନରେ ମଧ୍ୟ ଜଂଗଲକୁ ନଯିବା ପାଇଁ ତାଗିଦ କରାଯାଇଛି। ବାଘ କୌଣସି ମୁହର୍ତ୍ତରେ ଆକ୍ରମଣ କରିପାରେ। ବାଘ ବର୍ତ୍ତମାନ ପଦ୍ମପୁର ଜଂଗଲରେ ଘୁରି ବୁଲୁଛି। ହୁଏତ କିଛି ଦିନ ହେଲା ଖାଦ୍ୟ ଖାଇନଥିବାରୁ ଭୋକିଲା ବୁଲୁଛି। ଜଂଗଲରେ ଜୀବଜନ୍ତୁଙ୍କର ଅଭାବ ଯୋଗୁଁ ବାଘକୁ ଗାଁ ମୁହାଁ କରୁଥିବା କୁହାଯାଇଛି। ବାଘ ଏତେ ସବୁ ଘଟଣା ଘଟାଉଥିଲେ ମଧ୍ୟ କାହାରି ଆଖିରେ ପଡୁ ନାହିଁ।ବନ ବିଭାଗ ନାକେଦମ ହେଲେଣି।

publive-image

ଆଜି ଟ୍ରାପ କ୍ୟାମେରା ଲଗାଇବା ପରେ ହୁଏତ ବାଘର ଗତିବିଥି ସଂପର୍କରେ ଜଣାପଡ଼ିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି। ଗୁଡାରି, ପଦ୍ମପୁର, ମୁନିଗୁଡା ଏବଂ ଗୁଣୁପୁର ବନ କର୍ମଚାରୀ ରାତିଦିନ ଏକ କରି ବାଘକୁ ଠାବ କରିବାକୁ ଲାଗିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ସେମାନେ ମଧ୍ୟ ଅତିଷ୍ଠ ହୋଇପଡିଲେଣି। ଗୋଟିଏ ପଟେ ବନ କର୍ମଚାରୀ ଥିବା ବେଳେ ବାଘ ଅନ୍ୟ ପଟେ ବୁଲୁଥିବା କୁହାଯାଇଛି। ଆଜି ରାତି ବାଘ କେଉଁ ଗାଁକୁ ଟାର୍ଗେଟ କରୁଛି ଦେଖିବାକୁ ବାକି ରହିଲା।