ଅନୁଗୁଳ : ୨୦୧୩ମସିହା ଏପ୍ରିଲ୍‌ ମାସ। ଆଜକୁ ସାଢେ଼ ୫ବର୍ଷ ତଳେ ମାଇଲ୍‌ ମାଇଲ୍‌ ଜଙ୍ଗଲ ଡେଇଁ ନନ୍ଦନକାନନ ଖୁଆଡ଼ରେ ପଶିଥିଲା ସାତକୋଶିଆର ଯୁବ ମହାବଳ ‘ନନ୍ଦନ’। ବାଘୁଣୀ ‘ମେଘା’ ପ୍ରେମରେ ଚିରଦିନ ପାଇଁ ଏମିତି ଅନ୍ଧ ହେଇଗଲା ଯେ ଏବେ ନନ୍ଦନକାନନ ଖୁଆଡ଼ରେ ନନ୍ଦନ କେବଳ ବିନ୍ଦାସରେ ବୁଲୁନାହିଁ, ବରଂ ମହାବଳ ବ˚ଶ ବୃଦ୍ଧି ସ୍ବରୂପ ଦୁଇଟି ଶାବକର ବାପା ବି ହେଇଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ ବି ସେତେବେଳେ ନନ୍ଦନ ପାଇଁ ଆଇନକୁ କୋହଳ କରିଦେଲେ। ହେଲେ ଏବେ ବାଘୁଣୀ ‘ସୁନ୍ଦରୀ’ ସାତକୋଶିଆରୁ ସ୍ଥାନାନ୍ତର କ୍ଷେତ୍ରରେ କର୍ତୃପକ୍ଷ ଏତେ କଠୋର କାହିଁକି? ବାଘ ବଦଳିଲେ କ’ଣ କେନ୍ଦ୍ରୀୟ ଚିଡ଼ିଆଖାନା କତୃର୍ପକ୍ଷଙ୍କ ନିୟମ ବଦଳିଯାଉଛି? ନା ବାଘୁଣୀକୁ ସାତକୋଶିଆରୁ ନ ହଟାଇବା ପାଇଁ ନିୟମକୁ ଗଣ୍ଠି ପକାଇ ଭିତିରି ଷଡ଼ଯନ୍ତ୍ର ରଚାଯାଇଛି? ସୁନ୍ଦରୀକୁ ନନ୍ଦନକାନନ ସ୍ଥାନାନ୍ତର ପ୍ରସଙ୍ଗରେ କେନ୍ଦ୍ରୀୟ ଚିଡ଼ିଆଖାନା କତୃର୍ପକ୍ଷ ଆଇନ୍‌ ଢ଼ାଲ କରି ମନା କରିବା ପରେ ଏମିତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଲାଣି।

Advertisment

publive-image

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ନନ୍ଦନକାନନ ଖୁଆଡ଼ରେ ପୋଷା ବନିଥିବା ଯୁବ ମହାବଳ ‘ନନ୍ଦନ’ ହେଉଛି ସାତକୋଶିଆ ଜଙ୍ଗଲର। ସାଢେ଼ ୫ବର୍ଷ ତଳେ ନନ୍ଦନ ସାଥୀ ସନ୍ଧାନରେ ଜଙ୍ଗଲରୁ ଡିଆଁ ମାରିଥିଲା। ବାଘୁଣୀ ବାସ୍ନା ବାରି ବାରି ସିଧା ପହଞ୍ଚିଥିଲା ନନ୍ଦନକାନନରେ। ସେତେବେଳେ ଉନ୍ମାଦ ‘ନନ୍ଦନ’ ସୁଉଚ୍ଚ ଜାଲକୁ ଡେଇଁ ଖୁଆଡ଼ରେ ପଶିଥିଲା। ଜଙ୍ଗଲୀ ବାଘ ଏନ୍‌କ୍ଲୋଜର ଭିତରେ ପଶିବା ଘଟଣା ସେତେବେଳେ ବଡ଼ ଚର୍ଚ୍ଚିତ ଓ ବିବାଦୀୟ ପ୍ରସଙ୍ଗ ହୋଇଥିଲା। ନନ୍ଦନ ରହିବ କେଉଁଠି? ତାକୁ ପୁଣି ଥରେ ସାତକୋଶିଆରେ ଛଡ଼ାଯିବ ନା, ନନ୍ଦନକାନନରେ ପୋଷା ବନାଯିବ ସେନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଏମିତିକି ନନ୍ଦନକୁ ପୋଷା ବନାଇବା ସପକ୍ଷରେ ନ ଥିଲା ଏନ୍‌ଟିସିଏ। କିନ୍ତୁ ସେତେବେଳର ସାତକୋଶିଆ ମୁଖ୍ୟ ନନ୍ଦନକୁ ଆପଣେଇବାକୁ ସିଧାସିଧା ମନା କରିଥିଲେ। ଯୁକ୍ତି ଦର୍ଶାଇଥିଲେ, ବର୍ତ୍ତମାନ ସାତକୋଶିଆ ଜଙ୍ଗଲରେ ନନ୍ଦନ ରହିବା ପାଇଁ ଉପଯୁକ୍ତ ପରିବେଶ ନାହିଁ। ଏମିତିକି ନନ୍ଦନକୁ ଜଙ୍ଗଲକୁ ଛାଡ଼ିଲେ ବିପଦ ହୋଇପାରେ ବୋଲି କେତେକ ବିଶେଷଜ୍ଞ ବି ମନ୍ତବ୍ୟ ଦେଲେ। ଓଡ଼ିଶା ସରକାର, ନନ୍ଦନକାନନ କତୃର୍ପକ୍ଷ ପୋଷା ବନାଇବା ସପକ୍ଷରେ ଯୁକ୍ତି ବାଢ଼ିବା ପରେ ନନ୍ଦନ ସବୁ ଦିନ ପାଇଁ ହୋଇଗଲା ପୋଷା ମହାବଳ।

୨୦୧୩ମସିହା ଜୁଲାଇ ୧୩ତାରିଖରେ ନନ୍ଦନକାନନ କତୃର୍ପକ୍ଷ ନନ୍ଦନକୁ କାବୁ କଲେ। ତା’ ଔରସରୁ ବାହୁବଳି ଓ କୁନ୍ଦନ ଶାବକ ଜନ୍ମ କରାଇଲେ। ସେତେବେଳେ ନନ୍ଦନ ପ୍ରତି କେନ୍ଦ୍ରୀୟ ଚିଡ଼ିଆଖାନା କତୃର୍ପକ୍ଷଙ୍କ କୌଣସି ନିୟମ ଅଙ୍କୁଶ ଲାଗିଲା ନାହିଁ, ଅଥଚ ସାତକୋଶିଆରେ ଆତଙ୍କ ଖେଳାଇଥିବା ‘ସୁନ୍ଦରୀ’ ନନ୍ଦନକାନନକୁ ସୁରକ୍ଷିତ ଫେରି ଯିବାକୁ ଚାହୁଁଥିବା ବେଳେ ଆଇନ୍‌କୁ ଗଣ୍ଠି କରାଯାଇଛି କାହିଁକି? ରାଜ୍ୟ ସରକାରଙ୍କୁ ଚିଠିରେ କୁହାଯାଇଛି, ୧୯୯୮ମସିହା ଜାତୀୟ ଚିଡ଼ିଆଖାନା ନୀତି ଧାରା ୩,୨,୧ରେ ପ୍ରଜନନ କାର୍ଯ୍ୟକ୍ରମ ଛଡ଼ା ବନ୍ୟଜନ୍ତୁଙ୍କୁ ଚିଡ଼ିଆଖାନା କତୃର୍ପକ୍ଷ ନେଇ ପାରିବେ ନାହିଁ। ତେଣୁ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ଜାତୀୟ ଚିଡିଆଖାନା ନୀତିକୁ ଅନୁସରଣ କରିବାକୁ କତୃର୍ପକ୍ଷ କହିଛନ୍ତି। ‘ସୁନ୍ଦରୀ’ ବେଳକୁ ଯଦି ଏ ପ୍ରକାର ନିୟମ କାନୁନ୍‌ କଠୋର କରାଯାଉଛି, ତେବେ ‘ନନ୍ଦନ’ ପାଇଁ କୋହଳ ହେଲା କାହିଁକି?

ମାତ୍ର ୫୦ଦିନର ଜଙ୍ଗଲ ଭ୍ରମଣ ଭିତରେ ସୁନ୍ଦରୀ ସାତକୋଶିଆ ଭିତରେ ଦୁଇ ଦୁଇଟା ମଣିଷ ମରା ଅପରାଧ ମୁଣ୍ତେଇଛି। ଖଣ୍ତଯୁଦ୍ଧ ଓ ଲଙ୍କାକାଣ୍ତ ଭଳି ଘଟଣା କେବଳ ସୁନ୍ଦରୀକାଣ୍ତରୁ ହିଁ ସୂତ୍ରପାତ ହୋଇଛି। ଏଭଳି ପରିସ୍ଥିତିରେ ସୁନ୍ଦରୀକୁ ନନ୍ଦନକାନନ ଖୁଆଡ଼ରେ ରଖିବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପ୍ରତିଶ୍ରୁତି ସାତକୋଶିଆ ବନବାସୀଙ୍କୁ କେବଳ ଆଶ୍ବସ୍ତ କରି ନ ଥିଲା, ବରଂ ସୁନ୍ଦରୀକାଣ୍ଡରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ଟାଣିଥିଲା। କିନ୍ତୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ବାଦ୍‌ ପୁଣି ନିୟମ କାନୁନ୍‌ର ଆଳ ‘ସୁନ୍ଦରୀ’କୁ ସାତକୋଶିଆରେ ଅଟକାଇ ପାଇଁ ଏକ ଷଡ଼ଯନ୍ତ୍ର ନୁହେଁ ତ? ଲୋକଙ୍କ ମଧୢରେ ଏମିତି ପ୍ରଶ୍ନ ଉଙ୍କି ମାରିଲାଣି।