ବରଗଡ଼ : ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ଅଭୟାରଣ୍ୟର ରୂପ ଦେବାକୁ ଆଗରୁ ଘୋଷଣା ହୋଇଛି। କିନ୍ତୁ ଏଠାରେ କ୍ରମାଗତ ବନ୍ୟପ୍ରାଣୀ ଶିକାର ସାଂଗକୁ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏହି ପ୍ରକଳ୍ପ ପାଇଁ ଅନିଶ୍ଚିତତା ବଢ଼ି ଯାଇଛି। ଲଗାତାର ବାଘ ଶିକାର ଯୋଗୁଁ ଡେବ୍ରିଗଡ଼ କୁଖ୍ୟାତି ମୁଣ୍ଡାଇଛି। ୨୦୧୮ ମସିହାରେ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ଗତିବିଧି ଜାଣିବା ପାଇଁ କ୍ୟାମେରା ଖଞ୍ଜା ଯାଇଥିଲା। ଏଥିରୁ ଗୋଟିଏ ମହାବଳ ବାଘର ଚଳପ୍ରଚଳ ଜଣାପଡ଼ିଥିଲା। କିନ୍ତୁ ସେହିବର୍ଷ ଅକ୍ଟୋବର ୨୮ ତାରିଖ ବାଘର ଗଳିତ ଶବ ଖଜୁରିଆ ଜଂଗଲରୁ ଉଦ୍ଧାର ହୋଇଥିଲା। ଏହି ଘଟଣା ପରେ ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତା ପାଇବା ନେଇ ଆଶଂକା ସୃଷ୍ଟି ହୋଇଛି। କିନ୍ତୁ ସଦ୍ୟ ଭାବେ ଚିତା ବାଘକୁ ସେହି ଖଜୁରିଆ ଗାଁରେ ଗୁଳିମାରି ହତ୍ୟା କରାଯିବା ଆହୁରି ସମ୍ବେଦନଶୀଳ ଘଟଣା ପାଲଟିଛି। ଚିତାକୁ କିଛି ଦିନ ପୂର୍ବରୁ ହତ୍ୟା କରାଯିବା ପରେ ଛାଲ, ନଖ ଓ ଦାନ୍ତକୁ ବାହାରକୁ ଚାଲାଣ କରାଯିବା ବେଳେ ଧରାପଡ଼ିଛି। କିନ୍ତୁ ଲଗାତାର ଭାବେ ବାଘ ଶିକାର ହେବା ଯୋଗୁଁ ଡେବ୍ରିଗଡ଼ ପାଇଁ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତା ହାସଲ କରିବା କାଠିକାର କରିଦେଇଛି।
୧୯୮୫ ମସିହାରେ ଡେବ୍ରିଗଡ଼କୁ ଅଭୟାରଣ୍ୟ ମାନ୍ୟତା ମିଳିଥିଲା। ଏଠାରେ ଚିତାବାଘ, ହାତୀ, ବାର୍ହା, ଭାଲୁ, ସମ୍ବର, ହରିଣଙ୍କ ସଂଖ୍ୟା ସନ୍ତୋଷଜନକ ରହିଛି। ଡେବ୍ରିଗଡ଼ ଅଭୟାରଣ୍ୟ ୩୫୩.୮୧ ବର୍ଗ କିଲୋମିଟର୍ ପର୍ଯ୍ୟନ୍ତ ବ୍ୟାପିଛି। ନିକଟସ୍ଥ ଦେଚୁଆଁ ସଂରକ୍ଷିତ ଜଂଗଲର ୭୦.୮୮ ବର୍ଗ କିଲୋମିଟର୍ ଏବଂ ନିକଟସ୍ଥ ୭୮ ବର୍ଗ କିଲୋମିଟର୍ର ଜଂଗଲକୁ ମିଶାଇ ମୋଟ୍ ୫୦୩.୨୧ ବର୍ଗ କିଲୋମିଟର୍ରେ ବ୍ୟାଘ୍ର ଅଭୟାରଣ୍ୟ କରିବାକୁ ପ୍ରସ୍ତାବ ରହିଛି। ଏଠାରେ ୪୦ଟି ପ୍ରଜାତି ସ୍ତନ୍ୟପାୟୀ, ୨୩୪ ପ୍ରଜାତିର ପକ୍ଷୀ, ୪୧ ପ୍ରଜାତିର ସରୀସୃପ, ୧୨ ପ୍ରଜାତିର ଉଭୟଚର, ୪୨ଟି ପ୍ରଜାତିର ମତ୍ସ୍ୟ, ୮୫ ପ୍ରଜାତିର ପ୍ରଜାପତି, ୩୮ ପ୍ରଜାତିର ବୁଢ଼ୀଆଣି ୨୫୦ ପ୍ରଜାତିର ବୃକ୍ଷରାଜି ରହିଛି। ବରଗଡ଼ ଜିଲ୍ଲାରେ ବର୍ତମାନ ପାଖାପାଖି ୨୦ଟି ବାଘ ରହିଛନ୍ତି। ଏଥିରୁ ଅଧିକାଂଶ ବାଘ ହେଲେ କଲରାପତରିଆ। ଏହାବାଦ୍ ଚିତା ଏବଂ ହେଟାବାଘ ମଧ୍ୟ ରହିଥିବା କୁହାଯାଉଛି। କିନ୍ତୁ ଜୀବଜନ୍ତୁ ଗୁଡ଼ିକର ସୁରକ୍ଷା ପାଇଁ କିଛି ଠୋସ୍ ପଦେକ୍ଷପ ହୋଇନଥିବାରୁ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତାରୁ ଡେବ୍ରିଗଡ଼ ବଂଚିତ ରହିବ ବୋଲି ପରିବେଶବିତ୍ମାନେ ମତ ରଖୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/debrigarh-forest.jpg)