ପୁଲିସ ଭୟ, ବାଘ ଛାଲ ଛାଡ଼ି ୨ ଦୁର୍ବୃତ୍ତ ଫେରାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଅମ୍ବାଦଳା ଠାରୁ ବିଶ୍ୱନାଥପୁର ଧଅଁଡାଭଟା ରାସ୍ତାରେ ପୁଲିସ ପାଟ୍ରୋଲିଂ ସମୟରେ ୨ ଦୁର୍ବୃତ୍ତ ବାଘ ଛାଲ ଓ ପଲ୍‌ସର ବାଇକ୍‌ ଛାଡ଼ି ଫେରାର ହୋଇ ଯାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ସୋମବାର ରାତିରେ ବିଶ୍ୱନାଥପୁର ଥାନା ଅଞ୍ଚଳରେ ପୁଲିସର ଦିନ ୩ ଟାରୁ ରାତ୍ର ୧୧ ପଯ୍ୟନ୍ତ ପାଟ୍ରୋଲିଂ ଥିବା ବେଳେ ଷ୍ଟାଟିଷ୍ଟିକ ସର୍ଭେ ପାର୍ଟି ଟିମ ମାଜିଷ୍ଟ୍ରେଟ ଗୋବିନ୍ଦ ଚନ୍ଦ୍ର ମାଝୀ, ବିଶ୍ୱନାଥପୁର ଏଏସଆଇ ଆର୍‌.ଏସ୍‌. ବାଗ ଓ କନେଷ୍ଟବଳ ମାନଙ୍କ ସହିତ ପାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୯ଟାରେ ରାୟଗଡ଼ା ଜିଲ୍ଲା ଅମ୍ବାଦଳାରୁ କାଲହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଧଡାଭଟା ଆସୁଥିବା ବାଇପାସ ରାସ୍ତାରେ ଏକ ବଜାଜ ପଲସର ବାଇକ (ଓଆର ୦୮ଇ ୦୯୯୦)ରେ ଆସୁଥିବା ୨ ଜଣଙ୍କୁ ପୁଲିସ ଅଟକାଇ ଥିଲେ। ପୁଲିସ ଅଟକାଇବା ପରେ ସେମାନେ କୌଶଳ କ୍ରମେ ବାଇକ ଓ ଅଖା ବସ୍ତା ଛାଡ଼ି ଅନ୍ଧାରରେ ଦଉଡ଼ି ପଳାଇ ଥିଲେ। ବସ୍ତାକୁ ଯାଞ୍ଚ କରିବାରୁ ସେଥିରେ ବାଘ ଛାଲ ଥିବା ଦେଖିବାକୁ ମିଳିଥିଲା। ପୁଲିସ ବାଇକ୍ ଓ ବାଘ ଛାଲ ଜବତ କରି ବିଶ୍ୱନାଥପୁର ଥାନାକୁ ଆଣିଥିଲେ। ପରେ ବାଇକ ଓ ବାଘ ଛାଲକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ବୋଲି ବିଶ୍ୱନାଥପୁର ଥାନା ଅଧିକାରୀ କାହ୍ନୁ ଚରଣ ସ୍ୱାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର