ଇତିହାସ ରଚିଲା ‘ସାତକୋଶିଆ’ : ଗର୍ଜିଲା ‘କାହ୍ନା’, ଜୁଲାଇରେ ଆସୁଛି ବାଘୁଣୀ
ଯେତିକି ଉତ୍ସାହ, ସେତିକି ଭୟ, ଭାରତରେ ତୃତୀୟ, ଓଡ଼ିଶାରେ ପ୍ରଥମ
ଅନୁଗୁଳ/ବନ୍ତଳା : ଦୀର୍ଘ ପ୍ରତୀକ୍ଷାର ଘଟିଛି ଅନ୍ତ। ସାତକୋଶିଆର ମହାବଳ ଗୌରବ ଫେରାଇ ଆଣିବା ପାଇଁ ଦେଢ଼ ବର୍ଷ ତଳୁ ଯେଉଁ କସରତ ଆରମ୍ଭ ହୋଇଥିଲା, ଆଜି ତାହା ସାକାର ରୂପ ନେଇଛି। ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ସାତକୋଶିଆ ଜଙ୍ଗଲକୁ ଆସିଛି ୩ବର୍ଷ ବୟସର ଗୋଟିଏ ଅଣ୍ଡିରା ମହାବଳ ବାଘ। ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ସାତକୋଶିଆର ସ୍ୱତନ୍ତ୍ର ଏନ୍କ୍ଲୋଜର ଭିତରକୁ ମହାବଳ ଡିଆଁ ମାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାର ପାଣିପାଗ, ମଧ୍ୟପ୍ରଦେଶ ବନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ମହାବଳ ଆଣିବାରେ ବିଳମ୍ବ ହୋଇଥିଲା। ବିଭିନ୍ନ ଘାତ ପ୍ରତିଘାତ ପରେ ବୁଧବାର ସକାଳେ ‘କାହ୍ନା’ରୁ ଅଣ୍ଡିରା ମହାବଳକୁ ଧରା ହୋଇଥିଲା। ସ୍ୱତନ୍ତ୍ର ଟିମ୍ ବାଘକୁ ଟ୍ରାଙ୍କୁଲାଇଜର ଦେଇ ଅଚେତ କରିଥିଲେ। ବାଘର ଗତିିବିଧି ଜାଣିବା ପାଇଁ ବେକରେ ରେଡିଓ କୋଲାର ଖଞ୍ଜିଥିଲେ। ରେଡିଓ କୋଲାରକୁ ସାଟେଲାଇଟ୍ ସହିତ ଯୋଡ଼ା ଯାଇଥିଲା। ଯେହେତୁ ଟ୍ରାଙ୍କୁଲାଇଜର ପାଇଁ ବାଘ ଅସୁସ୍ଥ ହୋଇ ପଡ଼ିଥିଲା, ତେଣୁ ବିଶେଷଜ୍ଞମାନେ ସେ ସୁସ୍ଥ ହେବା ଲାଗି ଅପରାହ୍ଣ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ବାଘ ସୁସ୍ଥ ହେବା ପରେ ତାକୁ କାହ୍ନାର ଏକ ସ୍ୱତନ୍ତ୍ର ଗାଡ଼ିରେ ଓଡ଼ିଶାକୁ ପଠାଇଥିଲେ। ଗାଡ଼ିରେ ବାଘ ବିଶେଷଜ୍ଞ ସହିତ ପ୍ରାଣୀ ଚିକିତ୍ସକ ମଧ୍ୟ ମହଜୁଦ ଥିଲେ। ତାପମାତ୍ରାକୁ ଦୃଷ୍ଟିରେ ରଖି ପାଣି ସିଞ୍ଚନ ବ୍ୟବସ୍ଥା ବି ହୋଇଥିଲା। ବୁଧବାର ଅପରାହ୍ଣରୁ ଗୁରୁବାର ଅପରାହ୍ଣ ଯାଏ ଦୀର୍ଘ ୨୨ଘଣ୍ଟାର ଅନବରତ ଯାତ୍ରା ପରେ ଆଜି ସଂଧ୍ୟାରେ ସାତକୋଶିଆ ଜଙ୍ଗଲରେ ପହଞ୍ଚିଥିଲା ମହାବଳ। ପୂର୍ବରୁ ବନ ବିଭାଗ ମହାବଳ ପାଇଁ ଅଢ଼େଇ ଏକର ଜମିରେ ସ୍ୱତନ୍ତ୍ର ଏନ୍କ୍ଲୋଜର ଗଢ଼ିଥିଲା। ତା’ ମଧ୍ୟରୁ ଗାଡ଼ିରୁ ମହାବଳକୁ ଛଡ଼ା ଯାଇଛି। ନୂଆ ଜଳବାୟୁରେ ପାଦ ଦେବା କ୍ଷଣି ମହାବଳ ରଡ଼ି ଛାଡ଼ିଛି। ଏନ୍କ୍ଲୋଜର ଭିତରକୁ ଡିଆଁ ମାରିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ସାତକୋଶିଆରେ ମୋଟ୍ ୬ଟି ମହାବଳ ଛାଡ଼ିବାକୁ ଯୋଜନା ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଯଦିଓ ଗୋଟିଏ ଅଣ୍ଡିରା ବାଘ ଛଡ଼ାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ବାଘୁଣୀକୁ ଅଣାଯିବ। ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସେହି କାହ୍ନାରୁ ବାଘୁଣୀ ଆଣି ସାତକୋଶିଆରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଥିବା ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୪ଟି ମହାବଳଙ୍କୁ ଅଣାଯିବ। ସେଗୁଡ଼ିକ ମଧ୍ୟପ୍ରଦେଶର ପାନ୍ନା ଓ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଆସିବେ ବୋଲି ଡ. ପଣ୍ଡା କହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଘ ସ୍ଥାନାନ୍ତରରେ ଏହା ଓଡ଼ିଶାରେ ପ୍ରଥମ ଓ ଭାରତରେ ତୃତୀୟ ଘଟଣା। ପୂର୍ବରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏହିପରି ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ମହାବଳଙ୍କୁ ସ୍ଥାନାନ୍ତର କରାଯାଇ ବଂଶ ରକ୍ଷା କରାଯାଇଥିଲା। କିନ୍ତୁ ଓଡ଼ିଶାରେ କେବେ ହୋଇନଥିଲା। ଯାହା ସାତକୋଶିଆ ପାଇଁ ଇତିହାସ ରଚିଛି। ତା’ଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯଦିଓ ବାଘ ସ୍ଥାନାନ୍ତର ହୋଇଥିଲା, କିନ୍ତୁ ସେହି ସମାନ ରାଜ୍ୟର ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବାଘକୁ ନିଆଯାଇଥିଲା। କିନ୍ତୁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବାଘ ପଠାଇବା ଦେଶର ବନ୍ୟଜନ୍ତୁ ଇତିହାସରେ ପ୍ରଥମ। କେବଳ ଭାରତ କାହିଁକି ବିଶ୍ୱରେ ବି ଏମିତି ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ କେବେ ହେଲେ ବାଘ ସ୍ଥାନାନ୍ତର ହୋଇ ନାହିଁ ବୋଲି ଡ. ପଣ୍ଡା ଦାବି କରିଛନ୍ତି।
ନୂଆ ମହାବଳକୁ ଜଙ୍ଗଲରେ ପାଇ ବନ କର୍ମଚାରୀ ଯେତିକି ଉତ୍ସାହିତ, ସେତିକି ଭୟଭୀତ ମଧ୍ୟ। ଇତିହାସ ରଚିଥିବା ଏହି ନୂଆ ମହାବଳର ସୁରକ୍ଷା ଦାୟିତ୍ୱ ବନ ବିଭାଗର। ଅତୀତରେ ଅନେକ ବାଘଙ୍କୁ ଏଠାରେ ଶିକାର କରାଯିବାର ଇତିହାସ ରହିଛି। ଅପରପକ୍ଷେ ସାତକୋଶିଆ ବାସିନ୍ଦା ମଧ୍ୟ ବାଘକୁ ବିରୋଧ କରୁଛନ୍ତି। ଜଙ୍ଗଲରେ ମାଓବାଦୀଙ୍କର ଆତଯାତ ବି ରହିଛି। ଏଭଳି ସ୍ଥିତିରେ ବାଘର ସୁରକ୍ଷାକୁ ନେଇ ବନ କର୍ମଚାରୀ ଭୟଭୀତ ଅଛନ୍ତି। ବାଘ ମୁଣ୍ଡ ଗଡ଼ିଲେ, ଉପରୁ ତଳ ପର୍ଯ୍ୟନ୍ତ ବନ କର୍ମଚାରୀଙ୍କର ବି ମୁଣ୍ଡ ଗଡ଼ିବା ନିଶ୍ଚିତ ବୋଲି କର୍ମଚାରୀଙ୍କ ମହଲରେ ଆଲୋଚନା ହେଉଛି। ବାଘ ଛାଡ଼ିବା ବେଳେ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପିସିସିଏଫ୍(ଓ୍ଵାଇଲ୍ଡ଼ ଲାଇଫ୍) ଡ. ସନ୍ଦୀପ ତ୍ରିପାଠୀ, ଅତିରିକ୍ତ ପିସିସିଏଫ୍(ଓ୍ଵାଇଲ୍ଡ଼ ଲାଇଫ୍) ତଥା ସାତକୋଶିଆର କ୍ଷେତ୍ର ନିର୍ଦେଶକ ଡ. ପଣ୍ଡା, ସାତକୋଶିଆ ଡିଏଫ୍ଓ ଏସ୍ଏମ୍ଟି ରେହ୍ମାନ, ଅନୁଗୁଳ ଡିଏଫ୍ଓ କାର୍ତ୍ତିକ ଭି. ଏସିଏଫ୍ ଶୁଭେନ୍ଦୁ ବେହେରା, ରାଜକିଶୋର ସ୍ୱାଇଁ, ଓ୍ଵାଇଲ୍ଡ଼ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଡ. ଆର୍. ରମେଶ, ରାଇଗୁଡ଼ା ରେଞ୍ଜର ଘନଶ୍ୟାମ ମହାନ୍ତଙ୍କ ସମେତ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।