କଟକ: କଟକ ସହରରେ କଲରାପତରିଆ ବାଘଛାଲ ରାକେଟ୍ ଠାବ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କଟକ ସହରରେ ଏଭଳି କାରବାର ପ୍ରଥମଥର ହୋଇଥିବା କୁହାଯାଉଛି। ଦୁଇ ବାଘଛାଲ ମାଫିଆଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାହାଙ୍ଗା ଥାନା କୁହୁଣ୍ଡା ଗାଁର କୁଆଁପାଳର ପ୍ରମୋଦ ଜେନା(୩୧) ଏବଂ କେନ୍ଦ୍ରାପଡ଼ାର ରବିନାରାୟଣ ବାରିକ(୩୨)। ତେବେ ଏହି ବାଘ ଛାଲ କେଉଁ ଜିଲ୍ଲାରୁ ଆସୁଥିଲା ଏବଂ କାହାକୁ ବିକ୍ରି ହୋଇଥାନ୍ତା, ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ସାମନାକୁ ଆସିପାରି ନାହିଁ।

Advertisment

ସୂଚନା ଅନୁଯାୟୀ, କଟକ ମହାନଦୀବିହାରସ୍ଥିତ ସିଟି ଡିଭିଜନ୍‌କୁ ଗଲା ୫ ତାରିଖରେ ଡିଏଫ୍‌ଓଙ୍କ ଜରିଆରେ ଏକ ବାଘ ଛାଲ କଟକ ସହରରେ ଡିଲ୍ ହେବାର ସୂଚନା ମିଳିଥିଲା। ମଧ୍ୟପ୍ରଦେଶ ଜବଲପୁରସ୍ଥିତ ୱାଇଲ୍‌ଡ ଲାଇଫ୍‌ କ୍ରାଇମ୍‌ କ​ଣ୍ଟ୍ରୋଲ୍‌ ବ୍ୟୁରୋ, ସେଣ୍ଟ୍ରାଲ୍‌ ରିଜିଅନ୍‌ ନିକଟରୁ ଏହି ଖବର ଆସିଥିଲା। ସୂଚନା ଆଧାରରେ ବନବିଭାଗର କର୍ମଚାରୀ ବାଦାମବାଡ଼ି ଥାନା ଅନ୍ତର୍ଗତ ଦୋଳମୁଣ୍ଡାଇ ଶ୍ରୀଜଗନ୍ନାଥ ହୋଟେଲ୍ ନିକଟରେ ସକାଳ ପ୍ରାୟ ୧୦ଟା ବେଳେ ପହଞ୍ଚିଥିଲେ। କିନ୍ତୁ ସେଠାରେ କେହି ବାଘ ଛାଲ ମାଫିଆ ଦେଖିବାକୁ ମିଳି ନ ଥିଲା। ପୁଣି ଦିନ ପ୍ରାୟ ୧୨ଟା ବେଳେ ବାଘଛାଲ ମାଫିଆ ବେଲ୍‌ଭ୍ୟୁ ଛକ ନିକଟରେ ଥିବା ଖବର ମିଳିଥିଲା। ବନବିଭାଗ କର୍ମଚାରୀ ବେଲ୍‌ଭ୍ୟୁ ଛକରେ ପହଞ୍ଚିବା ସମୟରେ ସେଠାରେ ଏକ ବାଇକ୍‌ରେ ଥିବା ଦୁଇ ମାଫିଆ ଲିଙ୍କରୋଡ ଆଡ଼କୁ ଦ୍ରୁତ ଗତିରେ ଫେରାର୍‌ ହୋଇଯାଇଥିଲେ। ବନବିଭାଗ କର୍ମଚାରୀ ସେମାନଙ୍କ ପିଛା କରିବାରୁ ସେମାନେ ଟାଙ୍ଗୀ ଟୋଲ୍‌ଗେଟ୍ ଆଡ଼କୁ ଦ୍ରୁତଗତିରେ ପଳାଇଥିଲେ ଓ ଟୋଲ୍‌ଗେଟ୍ ପୂର୍ବରୁ ଏକ ବ୍ୟାଗ୍ ରାସ୍ତାରେ ଫିଙ୍ଗିଦେଇଥିଲେ। ସେ ବ୍ୟାଗକୁ ରାସ୍ତାରୁ ବନବିଭାଗ କର୍ମଚାରୀ ଜବତ କରିଥିଲେ। ସେଥିରେ ଏକ କଲରାପତରିଆ ବାଘଛାଲ ଥିବା ଦେଖିବାକୁ ମିଳିଥିଲା। ତାହାକୁ ବନବିଭାଗ ଜବତ କରିଥିବା ବେଳେ ଦୁଇ ମାଫିଆଙ୍କ ପତ୍ତା ମିଳି ନ ଥିଲା। ୬ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ପ୍ରମୋଦ କୁଆଁପାଳ ଘରେ ଥିବା ଖବର ମିଳିଥିଲା। ଖବର ଆଧାରରେ ବନବିଭାଗର କର୍ମଚାରୀ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲେ। ତାକୁ ପଚରାଉଚରା ପରେ ରବିନାରାୟଣ ସମ୍ପର୍କରେ ସୂଚନା ମିଳିଥିଲା। ୭ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ରବିନାରାୟଣ ଚହଟା ଛକ ନିକଟକୁ ଆସିବାକୁ ଥିବା ସମ୍ପର୍କରେ ପ୍ରମୋଦ ସୂଚନା ଦେଇଥିଲା। ଏହି ସୂଚନା ଆଧାରରେ ବନବିଭାଗର କର୍ମଚାରୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚହଟା ଛକରେ ଛକି ରହିଥିଲେ। ରବିନାରାୟଣ ସେଠାରେ ପହଞ୍ଚିବା ସମୟରେ ତାକୁ କାବୁ କରିନେଇଥିଲେ। ଦୁଇଜଣଙ୍କ ନିକଟରୁ ଗୋଟିଏ ବାଘଛାଲ ସହିତ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଏହି ଚଢ଼ଉରେ ସିଟି ଫରେଷ୍ଟ ଡିଭିଜନ୍ ଡିଏଫ୍‌ଓ ଅଜିତ କୁମାର ଶତପଥୀ ନେତୃତ୍ବ ନେଇଥିଲେ। ତାଙ୍କ ସହିତ ଏସ୍‌ପିଏଫ୍‌ ବିଜୟ ପରିଡ଼ା, ସିଟି ଫରେଷ୍ଟ କଟକ ରେଞ୍ଜର ରଶ୍ମିରେଖା ପରିଡ଼ା, ରାକେଶ ସ୍ବାଇଁ, ସୂର୍ଯ୍ୟକାନ୍ତ ସାହୁ, ସମ୍ବିତ ଆଚାର୍ଯ୍ୟ, ଭାସ୍କର ମହାରଣା, ବନ୍ୟପ୍ରାଣୀ ସଂରକ୍ଷକ କୌଶଲ୍ ବିଶ୍ବାସ ପ୍ରମୁଖ ସାମିଲ ହୋଇଥିଲେ।