ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ମୃଗ ବିହାର ନିକଟରେ ମହାବଳ ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ମୂଲଚାଲ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିବା ସହିତ ମହାବଳ ବାଘର ଛାଲ ଜବତ କରିଛି। ଗିରଫ ଯୁବକ ଜଣଙ୍କ ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ସତନାମୀ ସାହିର କମଳ କୁମାର ମହାନ୍ତି(୩୦) ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଡିଏସ୍‌ପି ଚନ୍ଦ୍ର ଶେଖର ହୋତା।

Advertisment

ଶ୍ରୀ ହୋତାଙ୍କ କହିବା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ସ୍ଥାନୀୟ ମୃଗ ବିହାର ନିକଟରେ ମହାବଳ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ନେଇ ବିଶେଷ ସୂତ୍ରରୁ ନବରଙ୍ଗପୁର ଏସ୍‌ପି ଏସ୍‌. ସୁଶ୍ରୀ ଖବର ପାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପାପଡ଼ାହାଣ୍ଡି ଥାନା ଏସ୍‌ଆଇ ଶିବଜୀ ପଣ୍ଡାଙ୍କ ନେତୃତ୍ୱରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ରାସ୍ତା କଡ଼ରେ ମହାବଳ ବାଘ ଛାଲ ଧରି ଠିଆ ହୋଇଥିବା ଜଣେ ଯୁବକଙ୍କୁ ଗିରଫ କରିବା ସହିତ ବାଘ ଛାଲ ଜବତ କରିଥିଲା। ପଚରାଉଚରା ପରେ ଗିରଫ ଯୁବକ ଜଣଙ୍କ ପାପଡ଼ାହାଣ୍ଡି ସତନାମୀ ସାହିର କମଳ କୁମାର ମହାନ୍ତି ବୋଲି ଜଣାପଡ଼ିଥିଲା। ତେବେ କମଳ ମହାବଳ ବାଘର ଛାଲ କେଉଁଠୁ ଆଣିଲା ଏବଂ ଏହି ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି। ଏଥି ସହ ଜବତ ଛାଲ ମହାବଳ ବାଘର କି ନୁହେଁ ଜାଣିବା ନିମନ୍ତେ ଉତ୍ତରାଖଣ୍ଡର ଦେହେରାଡୁନ ପରୀକ୍ଷାଗାରକୁ ପଠାଯିବ ବୋଲି ଶ୍ରୀ ହୋତା ସୂଚନା ଦେଇଛନ୍ତି। ଏନେଇ ପାପଡ଼ାହାଣ୍ଡି ଥାନାରେ କେଶ ନଂ-୨୨୯/୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କମଳକୁ କୋର୍ଟ ଚାଲାଣ କରାଯାଇଛି। ପାପଡ଼ାହାଣ୍ଡି ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀ ସମୟରେ ନବରଙ୍ଗପୁର ଡିଏସ୍‌ପି ଚନ୍ଦ୍ରଶେଖର ହୋତା, ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ, ଏସ୍‌ଆଇ ଶିବଜୀ ପଣ୍ଡାଙ୍କ ସହିତ ଥାନାର କର୍ମଚାରୀ ଉପସ୍ଥିତ ଥିଲେ।