ଫୁଲବାଣୀ/ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାରୁ ଲୁଚାଚୋରାରେ ବାଘଛାଲ ଚୋରା ଚାଲାଣ ରାକେଟ୍ ଏବେ ବି ସକ୍ରିୟ ଅଛନ୍ତି। ପୁଣି ଜିଲ୍ଲା ବାହାରକୁ ବାଘଛାଲ ଚାଲାଣ ବେଳେ ଦୁଇ ଜଣଙ୍କୁ ବନବିଭାଗ ସ୍ବତନ୍ତ୍ର ଟିମ୍ ଗିରଫ କରିଛି। ଫୁଲବାଣୀ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଏସ୍ସିଏଫ୍ ମଳୟରଞ୍ଜନ କାଲୋ, ଫୁଲବାଣୀ ରେଞ୍ଜର୍ ଶିଶିର କୁମାର ଝାକରଙ୍କ ନେତୃତ୍ବରେ ଏକ ୧୨ ଜଣିଆ ସ୍ବତନ୍ତ୍ର ଟିମ୍ ଖଜୁରୀପଡ଼ା ଅଞ୍ଚଳରେ ଚଢ଼ଉ କରି ଗୋଟିଏ ବାଘ ଛାଲ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣ ମାଫିଆଙ୍କୁ ଗିରଫ କରିଛନ୍ତି।
ସେମାନଙ୍କ ଠାରୁ ଏକ ବାଇକ୍ ମଧ୍ୟ ଜବତ ହୋଇଛି। ଗିରଫ ୨ ବେପାରୀ ହେଉଛନ୍ତି, ଖଜୁରୀପଡ଼ା ବ୍ଲକ୍ ପଖାଳଖିଆ ଗ୍ରାମର ଯଶୋବନ୍ତ କହଁର ଏବଂ ଆଲୋକ କହଁର। ଆଜି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍ ଏକ ସାମ୍ବାଦିକ ସମ୍ମଳନୀ କରି ଏହି ସୂଚନା ଦେଇଛନ୍ତି। ଡିଏଫ୍ଓଙ୍କ କହିବା ଅନୁସାରେ, ଏକ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଖଜୁରୀପଡ଼ା ବ୍ଲକ୍ର ପଖାଳଖିଆ ଗ୍ରାମରେ ଚଢ଼ଉ କରିଥିଲା। ଏହି ଗାଁର ୨ ଜଣ ବେପାରୀ ବାଘଛାଲ ବାହାର ଜିଲ୍ଲାକୁ ନେଇ ବିକ୍ରି କରିବାର ଯୋଜନା କରୁଥିଲେ। ଏହି ସୂଚନା ପାଇବା ପରେ ଫୁଲବାଣୀ ବନଖଣ୍ଡର ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ୨ ଜଣ ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ତେବେ ଏହି ରାକେଟ୍ କେତେଦୂର ଲମ୍ବିଛି, ଆଉ କେଉଁମାନେ ସମ୍ପୃକ୍ତ, ସେ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। ଆବଶ୍ୟକ ପଡ଼ିଲେ ଏହି ୨ ଜଣଙ୍କୁ ରିମାଣ୍ଡ୍ରେ ଆଣି ପଚରାଉଚରା କରାଯିବ ବୋଲି ଡିଏଫ୍ଓ ଶ୍ରୀ ପଟେଲ୍ ସୂଚନା ଦେଇଛନ୍ତି।