ଭୁବନେଶ୍ବର : ଏସ୍ଟିଏଫ୍ ପଞ୍ଝାରେ ୩ ବାଘଛାଲ ବ୍ୟବସାୟୀ। ଦେବଗଡ଼ ଜିଲ୍ଲା ବାରକୋଟ୍ ଅଞ୍ଚଳରେ ଚିତାବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ୩ ବ୍ୟବସାୟୀ କ୍ରାଇମ୍ବ୍ରାଞ୍ଚର ସ୍ପୋସାଲ ସ୍କ୍ବାଡ୍ ହାତରେ ଧରା ପଡ଼ିଛନ୍ତି। ସେମାନେ ହେଲେ, ସୁନ୍ଦରଗଡ଼ ଅଞ୍ଚଳର ସଚ୍ଚିକାନ୍ତ ନାୟକ, ଦେବଗଡ଼ ଅଞ୍ଚଳର ରାମଣୀସେନ୍ ବେହେରା ଓ ଜ୍ଞାନଦତ୍ତ ବେହେରା। ଏସ୍ଟିଏଫ୍ ସେମାନଙ୍କଠାରୁ ଗୋଟିଏ ଚିତାବାଘ ଛାଲ ଜବତ କରିଛି।
କୌତୂହଳର ବିଷୟ ହେଲା ଅଭିଯୁକ୍ତମାନଙ୍କ ମଧ୍ୟରେ ୨ଜଣ ପୁଲିସ ପୁଅ ଥିବା ଜଣାପଡ଼ିଛି। ସଚ୍ଚିକାନ୍ତଙ୍କ ବାପା କୁଚିଣ୍ଡା ଜେଲ୍ରେ ଫାର୍ମାସିଷ୍ଟ ଭାବେ କାମ କରୁଥିବା ବେଳେ ଜ୍ଞାନଦତ୍ତଙ୍କ ବାପା ଜଣେ ଅବସରପ୍ରାପ୍ତ ଜେଲ୍ ହେଡ୍ ୱାର୍ଡର୍। ଅଭିଯୁକ୍ତମାନଙ୍କୁ ଆଜି ଦେବଗଡ଼ କୋର୍ଟରେ ହାଜର କରାଯାଇଛି। ଏହି ବେଆଇନ କାରବାର ସଂପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି। ଏହି କାରବାର ପଛରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି? ସେମାନେ ବାଘ ଶିକାର କରିଛନ୍ତି ନା ଶିକାରୀଠାରୁ ଆଣି ଏହାକୁ ବିକ୍ରି ଉଦ୍ୟମ କରୁଥିଲେ? କାହାକୁ ଚମଡ଼ା ବିକ୍ରି କରିଥାଆନ୍ତେ? ପୂର୍ବରୁ କେତେଥର ଏମିତି କରିଛନ୍ତି? ଆଦି ବିଷୟରେ ଅଭିଯୁକ୍ତମାନଙ୍କୁ ଏସ୍ଟିଏଫ ପଚରାଉଚରା କରିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍ଟିଏଫ ତରଫରୁ କୁହାଯାଇଛି। ଅପରପକ୍ଷେ ବାଘ ହତ୍ୟା ନେଇ ଗୁଇନ୍ଦା ସୂଚନା ସଂଗ୍ରହ କରିବା ପାଇଁ ବନବିଭାଗ ସ୍ବତନ୍ତ୍ର ଟିମ୍ ଗଠନ କରିଛି। ଆଉ କିଛି ବାଘ ମରିଛନ୍ତି କି ନାହିଁ, ସେ ନେଇ ଜଙ୍ଗଲରେ ଅନୁସନ୍ଧାନ କରିବା ସହ ଏହି ମରିଥିବା ବାଘ ସମ୍ବନ୍ଧରେ ପାଖ ଗ୍ରାମରେ ଖବର ଅଛି କି ନାହିଁ ଗଠିତ ଟିମ୍ ତାହାର ଅନୁସନ୍ଧାନ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଏସ୍ଟିଏଫ ଜାଣିବାକୁ ପାଇଛି ଯେ ବାଘକୁ ଗୁଳି କରି ହତ୍ୟା କରିବା ପରେ ଛାଲ ବାହାର କରାଯାଇଛି। ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ ଜଙ୍ଗଲରେ କଲରାପତରିଆ ବାଘ ରହିଥିବାରୁ ବାଘଟି କେଉଁଠାର, ତାହା ସ୍ପଷ୍ଟ ହୋଇନାହିଁ। ସେହିପରି ଚମଡ଼ା କେତେ ପୁରୁଣା, ତାହା ଜାଣିବା ଲାଗି ମଧ୍ୟ ତଦନ୍ତ ଜାରି ରହିଛି।
ଏକ ବିଶେଷ ସୂତ୍ରରୁ ଖବର ପାଇ ଏସ୍ଟିଏଫ୍ ଚମଡ଼ା ବିକ୍ରି କରୁଥିବା ଏହି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ନିଜକୁ ଚମଡ଼ା ବ୍ୟବସାୟୀ ସଜାଇ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲା। ସେମାନଙ୍କ ମଧ୍ୟରେ ୮ ଲକ୍ଷ ଟଙ୍କାରେ ଡିଲ୍ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଅଭିଯୁକ୍ତମାନଙ୍କର ଭରସା ନ ପାଇବାରୁ ସେମାନଙ୍କ ସର୍ତ୍ତ ଅନୁଯାୟୀ ଏସ୍ଟିଏଫ୍ର କର୍ମଚାରୀ କିଛି ଅଗ୍ରୀମ ଟଙ୍କା ଦେବା ସହ ନିଜର ଭିଡିଓ କରି ପଠାଇଥିଲେ। ଅଭିଯୁକ୍ତମାନଙ୍କ ବିଶ୍ବାସ ହେବା ପରେ ବାରକୋଟ୍ସ୍ଥିତ ଏକ ହୋଟେଲ ନିକଟରେ ଡିଲ୍ ପାଇଁ ସ୍ଥାନ ନିର୍ଣ୍ଣୟ ହୋଇଥିଲା। ତଦନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସେମାନେ ଚମଡ଼ା ଧରି ବାରକୋଟ୍ସ୍ଥିତ ଏକ ହୋଟେଲ୍ ନିକଟକୁ ଆସିଥିଲେ। ବଡ଼ କଥା ହେଲା, ଉକ୍ତ ସ୍ଥାନଟି ବାର୍କୋଟ୍ ଥାନା ଓ ରେଞ୍ଜ ଅଫିସ୍ଠାରୁ ମାତ୍ର କେଇ ମିଟର ଦୂରରେ ଥିଲେ ହେଁ ଅଭିଯୁକ୍ତମାନଙ୍କର ସେଥିପ୍ରତି ଭ୍ରୂକ୍ଷେପ ନଥିଲା। ଓଲଟା ଅଭିଯୁକ୍ତମାନେ କହିଥିଲେ, ‘ଆମେ ପୁଲିସ ପୁଅ; କିଛି ଭୟ କରନି। ଥାନା ଅତିକ୍ରମ କରିବା ପରେ ଆମକୁ କଲ୍ କର, ଆମେ ଠିକ୍ ସମୟରେ ପହଞ୍ଚିବୁ।’ ଅଭିଯୁକ୍ତଙ୍କ ଏଭଳି କଥା ଶୁଣିବା ପରେ ଏସ୍ଟିଏଫ୍ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିଥିଲା। କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଅଭିଯୁକ୍ତମାନେ ହଠାତ୍ ଆକ୍ରମଣ କରିବାର ଭୟ ଥିବାରୁ ଏସ୍ଟିଏଫ ଅଧିକାରୀମାନେ ଏକେ-୪୭ ନେଇ ଅପରେସନ୍ରେ ବାହାରିଥିଲେ। ଦୁଇଟି ଟିମ୍ ଓ କିଛି ସାଦା ପୋଷାକଧାରୀ ଯୋଜନା ମୁତାବକ ହୋଟେଲମୁହାଁ ହୋଇଥିଲେ। ଏସ୍ଟିଏଫ୍ର୍ ଦୁଇଟି ଟିମ୍ ଆଗପଛ ହୋଇ ଛକି ରହିଥିଲେ। ସାଦା ପୋଷାକରେ ଥିବା କର୍ମଚାରୀ ଚମଡ଼ା କିଣିବା ପାଇଁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲେ। ଆଉ ଅଭିଯୁକ୍ତମାନେ ଚମଡ଼ା ବାହାର କରିବା ମାତ୍ରେ ଏସ୍ଟିଏଫ୍ର କର୍ମଚାରୀ ସେମାନଙ୍କୁ ଘେରି ଯାଇ କାବୁ କରି ନେଇଥିଲେ।