ବାଘ ଚମଡ଼ା ଜବତ, ୫ ଯୁବକ ଗିରଫ

ବିଶୋଇ/ଗୋରୁମହିଷାଣୀ: ଶିମିଳିପାଳ ଅଞ୍ଚଳରେ ବାଘ ଚମଡ଼ା ବେପାରୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ ମଙ୍ଗଳବାର ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏଥିରେ ସଂପୃକ୍ତ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ମଣଦା ରେଞ୍ଜ ଅଧୀନ ବିଶୋଇ ଖଜୁରିକଟାସ ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଆଜି ଏକ କଲରାପତରିଆ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ଏ ନେଇ ରାଇରଙ୍ଗପୁର ଡିଏଫ୍‌ଓ ଅରୁଣ କୁମାର ମିଶ୍ର କୌଣସି ସୂତ୍ରରୁ ଖବର ପାଇଥିଲେ। ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍‌ ବୈଦ୍ୟନାଥ ମାଝୀ ଓ ଏସିଏଫ୍‌ ନବୀନ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଏକ ବାଘ ଚମଡ଼ା ସହ ଓଡି-୧୧-ଭି-୨୦୭୯ ଓ ଓଡି-୧୧-କ୍ୟୁ-୭୧୬୧ ନମ୍ବରର ଦୁଇଟି ବାଇକ୍‌ ସହିତ ୪ଟି ମୋବାଇଲ୍‌ ଜବତ କରିଥିଲା ବନ ବିଭାଗ।

ଏହି ଘଟଣାରେ ସଂପୃକ୍ତ ବିଶୋଇ ମଧୁପୁର ଗ୍ରାମର ବାଜନାଥ ହେମ୍ବ୍ରମ (୨୫), ଜାମଦା ହରଗଡ଼ା ଗ୍ରାମର ତୁଶୀଲ ମୁର୍ମୁ (୪୨), ଚାନ୍ଦୁଆ ଗ୍ରାମର ହାମ୍ବିର ଟୁଡୁ (୧୮), ବିଶୋଇ ଅଞ୍ଚଳର ସନତ ମାରାଣ୍ଡି (୪୫) ଓ କୁଳିଅଣା ଅଞ୍ଚଳର ଖେଲାରାମ ହାଁସଦା (୨୧)ଙ୍କୁ ଗିରଫ କରାଯାଇଛି। ଜବତ ବାଘ ଚମଡ଼ାର ଲମ୍ବ ୫ ଫୁଟ୍‌ ୬ ଇଞ୍ଚ, ଓସାର ୪ ଫୁଟ୍‌ ୬ ଇଞ୍ଚ। ବାଘଟିକୁ ପ୍ରାୟ ୨ ମାସ ତଳେ ଶିକାର କରାଯାଇଥିବା ବନବିଭାଗ ଅନୁମାନ କରିଛି। ସୂଚନାଥାଉକି, ଦେଢ଼ମାସ ତଳେ ମଣଦା ରେଞ୍ଜ ଅଧୀନ ଖଜୁରିକଟାସ ଗ୍ରାମରେ ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିଲା। ଉକ୍ତ ଘଟଣାରେ ୨ ଜଣ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର