ଭୁବନେଶ୍ବର/କୁଚିଣ୍ଡା : କ୍ରାଇମ୍ ବ୍ରାଞ୍ଚର ଏସ୍ଟିଏଫ ଆଜି କୁଚିଣ୍ଡାରେ ଥିବା ସ୍ରିଷ୍ଟି ଲଜ୍ର ରୁମ୍ ନମ୍ବର ୧୧୦ରେ ଚଢ଼ଉ କରି ୪ଟି ବାଘ ଛାଲ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ବାଘ ଛାଲକୁ ବିକ୍ରି କରିବାକୁ ଆଣିଥିବା ୭ ଜଣଙ୍କୁ ମଧ୍ୟ ଗିରଫ କରିଛି ଏସ୍ଟିଏଫ୍। ସେମାନେ ହେଲେ କୁଚିଣ୍ଡା ଥାନା ଅଧୀନ ଟାଇଁସର ଗାଁର ସଂଜୟ ବାଗ, ଲାଇକେରା ଥାନା ଅଧୀନ ଗୁଲିଗାଁର ସୁନୀଲ କୁମାର କାଲୋ, ସାରପଲ୍ଲୀର ଯଶରାଜ ପଟେଲ, ମୁରାଡ଼ିପାଲ୍ଲୀର ଝସକେତନ ନାୟକ, ସମ୍ବଲପୁର ମହାଲପଲ୍ଲୀ ଥାନା ଅଧୀନ ଗୁଣ୍ଡୁରିପାଲ୍ଲୀର ମୀନକେତନ ମୁଣ୍ଡା, ଲାଇକେରା ଥାନା ଅଧୀନ କିରିମିରା ଗାଁର ଧନୁ ମାଝୀ, ମହୁଲପାଲ୍ଲୀ ଥାନା ଅଧୀନ ଝରୁମା ଗାଁର କୁମୁଡ଼ ବାରା। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରାଇମ୍ ବ୍ରାଞ୍ଚ ଏସ୍ଟିଏଫ୍ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ଯେ, କୁଚିଣ୍ଡାର ସେହି ଲଜ୍ରେ ବାଘଛାଲ ବିକ୍ରିକୁ ନେଇ କେତେକ ଶିକାରୀ ଓ ବ୍ୟବସାୟୀ ଏକାଠି ହେଉଥିବା ଖବର ମିଳିଥିଲା। ଖବର ପାଇ ଏସ୍ଟିଏଫ୍ର ଡେପୁଟି ଏସ୍ପି ବିଳାସିନୀ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ସଂପୃକ୍ତ ଲଜ୍ ଉପରେ ଚଢ଼ଉ କରିଥିଲା। ଚଢ଼ଉବେଳେ ୪ଟି ବାଘ ଛାଲ ଜବତ ହୋଇଛି। ଯେଉଁ ବାଘ ଛାଲର କୌଣସି ଲାଇସେନ୍ସ କିମ୍ବା ମାଲିକାନା ନେଇ ତଥ୍ୟ ଉପୋରକ୍ତ ଅଭିଯୁକ୍ତମାନେ ଦେଖାଇ ପାରି ନ ଥିଲେ। କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।