ବାଘଛାଲ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର/ ଖୋର୍ଦ୍ଧା : ବାଘଛାଲ ଚୋରା ଚାଲାଣ ଅଭିଯୋଗରେ କ୍ରାଇମ୍‌ବ୍ରା‌ଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳର ଉମେଶ ରଥକୁ ଗିରଫ କରିଛି। ତା’ ଠାରୁ ଗୋଟିଏ ବାଘଛାଲ ସହ କେତେକ ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ କରିଛି। ଛାଲର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଗତ ୪ ତାରିଖ ରାତିରେ ଶିକାରୀ ଛାଲ ନେଇ ଉମେଶ ପାଖକୁ ଅସିଥିଲା। ଜଙ୍କିଆ ଥାନା ହଜ ଅଞ୍ଚଳରେ ବାଘଛାଲ ପାଇଁ ଡିଲ୍‌ ଚାଲୁଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌, ଖୋର୍ଦ୍ଧା ବନ ବିଭାଗ ଓ ଜଙ୍କିଆ ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ପୁଲିସ ଉମେଶକୁ କାବୁ କରିବା ସହ ବାଘ ଛାଲ ଜବତ କରିଥିଲା। ହେଲେ ଅନ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ଏନେଇ ଏସ୍‌ଟିଏଫ୍‌ କେସ୍‌ ନଂ୩୦ରେ ଏକ ମାମଲା ରୁଜୁକରି ଉମେଶକୁ କୋର୍ଟ ଚାଲାଣ କରିଛି। ସେହିପରି ଜବତ ଛାଲର ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନକୁ ପଠାଯାଇଛି। ଦରକାର ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର