ବାଘଛାଲ ଜବତ ଘଟଣା : ଅଭିଯୁକ୍ତ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ‘ଅସଲି ବୋଲି ପ୍ରମାଣ ପାଇଁ ହୁଏ ଭିଡିଓ ରେକର୍ଡିଂ’

ଭୁବନେଶ୍ୱର : ବାଘ ଛାଲ କାରବାରରେ ସମ୍ପୃକ୍ତ ରଣପୁର ବ୍ଲକ୍‌ ବନ୍ଧମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ ଜେଲ୍‌ ଯିବା ପରେ ରିମାଣ୍ଡରେ ଆସିଛନ୍ତି। ତିନିଦିନିଆ ରିମାଣ୍ଡରେ ଆଣି ଏସ୍‌ଟିଏଫ୍‌ ମାରାଥନ୍‌ ଜେରା ଚଲାଇଛି। ଲଗାତାର ଦୁଇଦିନ ଜେରା ପରେ ଲକ୍ଷ୍ମୀଧରଙ୍କଠାରୁ ଦୁଇ ବେପାରୀ ଓ ଶିକାରୀଙ୍କ ଲିଙ୍କ୍‌ ମିଳିଛି। ସେମାନଙ୍କୁ ‌ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କିପରି ବେପାର ହୁଏ ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଲକ୍ଷ୍ମୀଧର ବର୍ଣ୍ଣନା କରିବା ସହ ଏ ସଂପର୍କରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବାଘ ଛାଲ ଅସଲି ବୋଲି ବେପାରୀକୁ ଦେଖାଇବା ପାଇଁ ସମଗ୍ର ଘଟଣାର ଭିଡିଓ ରେକର୍ଡିଂ କରାଯାଇ ଥାଏ ଓ ଫଟୋ ଉଠା ଯାଇଥାଏ, ଆଉ ଏହି ଫଟୋ ଦେଖିବା ପରେ ବେପାରୀ ଛାଲର ଦର ଲଗାଇଥାଏ ବୋଲି ସେ କହିଛନ୍ତି। ତିନିଦିନ ରିମାଣ୍ଡ ଅବଧିରୁ ଦୁଇଦିନ ଶେଷ ହୋଇଛି। ଆସନ୍ତାକାଲି ଶେଷ ଦିନ ପାଇଁ ତାଙ୍କୁ ଜେରା କରାଯିବ। ଆବଶ୍ୟକ ସ୍ଥଳେ ଘଟଣାସ୍ଥଳ ନିଆଯାଇ ଡେମୋ କରାଯିବ ବୋଲି ଜଣାପଡ଼ିଛି।

ଗତ ୧୪ ତାରିଖ ଦିନ ବାଘଛାଲ କାରବାର ଅଭିଯୋଗରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ବନ୍ଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ଜାମୁଗଣ୍ଡ ଗ୍ରାମର ଲକ୍ଷ୍ମୀଧର ନାୟକଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିଥିଲା। ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ଏସ୍‌ଟିଏଫ୍‌ କୋର୍ଟରେ ଆବେଦନ କରିଥିଲା। ତିନିଦିନ ପାଇଁ ରିମାଣ୍ଡ ମଞ୍ଜୁର ହେବା ପରେ ତାଙ୍କୁ ଗତକାଲି ରିମାଣ୍ଡରେ ଅଣା ଯାଇଥିଲା। ସେ ଗିରଫ ହେବା ପରେ ପରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଲକ୍ଷ୍ମୀଧର ବାଘର ଛାଲ ଉତାରୁଥିବା ଦେଖିବାକୁ ମିଳିଥିଲା।

ଲକ୍ଷ୍ମୀଧର କହିଛନ୍ତି, ପ୍ରଥମେ ବେପାରୀକୁ ଫଟୋ ଓ ଭିଡିଓ ପଠାଯାଏ। ଭିଡିଓରୁ ବେପାରୀ ବାଘର ବୟସ ଅନୁମାନ ଲଗାଏ। ମୃତ ବାଘର ଶରୀରକୁ ମାପ କରାଯାଏ। କେତେ ଲମ୍ବା ଓ କେତେ ଓସାର ଅଛି ଲେଖାଯାଇ ତାହାର ଭିଡିଓ ରେକର୍ଡିଂ ହୁଏ। ନଖ ସଂଗ୍ରହ କରାଯାଏ। ନଖ ନେବା ପାଇଁ ମଧ୍ୟ ବେପାରୀ ଥାଆନ୍ତି। ମାରିବାର ଗୋଟିଏ ମାସ ମଧ୍ୟରେ ବେପାର ହୋଇଯାଏ। ଗୁଳିରେ ଶିକାର କଲେ ଛାଲରେ କଣା ରହିଯାଏ। ସେଥିପାଇଁ ଦାମ୍‌ କମିଯାଏ। ଏଣୁ ଫାଶରେ ମାରିବା ପ୍ରଣାଳୀକୁ ଶିକାରୀ ପ୍ରାଥମିକତା ଦେଇଥାଏ।

ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ମୀଧର ବନ୍ୟଜନ୍ତୁ କାରବାରରେ ଥିବା ସନ୍ଦେହ କରି ଏସ୍‌ଟିଏଫ୍‌ ରଣପୁର ଅଞ୍ଚଳରେ ଜାଲ ବିଛାଇଥିଲା। ୧୪ ତାରିଖ ସନ୍ଧ୍ୟାରେ ଅନ୍ତଃରାଜ୍ୟ ବେପାରୀଙ୍କ ସହ ଦୁଇଟି ବାଘ ଛାଲ ବିକିବା ପାଇଁ ଡିଲ୍‌ ସମୟରେ ଏସ୍‌ଟିଏଫ୍ ତାଙ୍କୁ ସାନମଣିନାଗ ଜଙ୍ଗଲରୁ ଛାଲ ସହ ଗିରଫ କରିଥିଲା। ୭ ଦିନ ଭିତରେ ନୟାଗଡ଼ ଜିଲ୍ଲାରେ ଏହା ଦ୍ବିତୀୟ ଘଟଣା ଥିଲା।

ସମ୍ବନ୍ଧିତ ଖବର