ଭୁବନେଶ୍ବର/ ରା.ଉଦୟଗିରି : ବାଘଛାଲ ଚୋରା ଚାଲାଣ ପାଇଁ ଯୋଜନା ବେଳେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ଜଣେ ଶିକାରୀକୁ ଗିରଫ କରିଛି। ସେ ହେଲା ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଖମାରୀସାହି ଅଞ୍ଚଳର ପବିତ୍ର ଲିମା। ତା’ଠାରୁ ଗୋଟିଏ ବାଘଛାଲ ସହ କେତେକ ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ ହୋଇଛି। ଛାଲର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ମୁତାବକ, ପବିତ୍ର ସ୍ଥାନୀୟ ଜଙ୍ଗଲରୁ ଅବାଧରେ ଜଙ୍ଗଲୀଜନ୍ତୁ ଶିକାର କରି ମାଫିଆଙ୍କୁ ଦାନ୍ତ, ନଖ, ଚମଡ଼ା ଆଦି ଯୋଗାଉଥିବା ଏସ୍ଟିଏଫ୍ ହାତରେ ସୂଚନା ଲାଗିଥିଲା। ଜଣେ ମାଫିଆକୁ ଛାଲ ବିକ୍ରି ପାଇଁ ଡିଲ୍ ହୋଇଥିବା ବେଳେ ଖବରପାଇ ଏସ୍ଟିଏଫ୍ ଟିମ୍ ଆଜି ସେଠାରେ ପହଞ୍ଚି ଡେରା ପକାଇଥିଲା। ସେ ଛାଲ ଧରି ଆର୍ ଉଦୟଗିରି ଥାନା ମହେନ୍ଦ୍ରଗଡ ନିକଟ ମାଛଘର ଓ ଖମାରୀସାହି ରାସ୍ତାରେ ଆସୁଥିବା ବେଳେ ଏସ୍ଟିଏଫ୍ ଟିମ୍ ତାକୁ କାବୁ କରିଥିଲା। ଏସ୍ଟିଏଫ୍ ତାକୁ ଗିରଫ କରି ରାମଗିରି ଫରେଷ୍ଟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା। ସେହିପରି ଜବତ ଛାଲର ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍ସ୍ଥିତ ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନକୁ ପଠାଯାଇଛି। ଏନେଇ ଘଟଣାର ତଦନ୍ତ ଜାରି ରହିଛି।
ପ୍ରକାଶ ଥାଉ କି,ଏସ୍ଟିଏଫ୍ ଟିମ୍ ୨୦୨୦ରୁ ଏପର୍ଯ୍ୟନ୍ତ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରି ୨୬ଟି ଚିତାବାଘ ଛାଲ, ୧୫ଟି ହାତୀଦାନ୍ତ, ୭ଟି ହରିଣ ଚମଡ଼ା, ୧୧ଟି ଜୀବନ୍ତ ବଜ୍ରକାପ୍ତା, ସାଢ଼େ ୧୯ କେଜି କାତି, ୨ଟି ଚିତାବାଘ ଦାନ୍ତ, ୨୯ଟି ଚିତାବାଘ ପଞ୍ଝା, ୪୬ଟି ଜୀବନ୍ତ ଶୁଆ ଜବତ କରିଥିବା ବେଳେ ୬୦ଜଣ ଶିକାରୀଙ୍କୁ ଗିରଫ କଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/gajapati.jpg)