ରାୟଗଡ଼ା: ଗଂଜେଇ ଧରପଗଡ଼ କରିବାକୁ ଯାଇଥିବା ରାୟଗଡା ଜିଲ୍ଲା ପୁଲିସକୁ ବଡ ସଫଳତା ମିଳିଛି। ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲରେ ଅତର୍କିତ ଚଢ଼ଉ ସମୟରେ ପୁଲିସ ଏକ କଲରାପତରିଆ ବାଘ ଛାଲ ସମେତ ୧୩୬ କିଲୋ ଗଂଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମହୁପଦର ଗ୍ରାମର ନାଗେଶ୍ବର ମାଝି, ନାହୁସନ ମଲ୍ଲିକ ଏବଂ ସଉଲା ମାଝି।
ସୂଚନା ଅନୁଯାୟୀ ପୁଲିସର ଏକ ଟିମ ନାରାୟଣପୁର ଜଂଗଲରେ ଚଢଉ କରିଥିଲେ। ସେଠାରେ ପ୍ରଥମେ ୬୪ କିଲୋ ଗଂଜେଇ ଗଚ୍ଛିତ ହୋଇ ରହିଥିବା ପୁଲିସ ଦେଖିବାକୁ ପାଇଥିଲା। ତେବେ ଅଧିକ ତନାଘନା କରିବା ପରେ ସେହି ଜଂଗଲରୁ ପୁଣି ୭୨ କିଲୋ ଗଂଜେଇ ଉଦ୍ଧାର ହୋଇଥିଲା। ଏହି ଗଂଜେଇକୁ ଚାଲାଣ କରୁଥିବା ମହୁପଦର ଗ୍ରାମର ନାଗେଶ୍ବର ମାଝି, ନାହୁସନ ମଲ୍ଲିକ ଏବଂ ସଉଲା ମାଝିଙ୍କୁ ମଧ୍ୟ ପୁଲିସ କାବୁ କରିଥିଲା। ଏମାନଙ୍କୁ ଧରି ପୁଲିସ ପଚରାଉଚରା କରିବା ସହ ଅଧିକ ତଦନ୍ତ କରୁଥିବା ସମୟରେ ଏମାନଙ୍କ ନିକଟରେ ଏକ କଲରାପତରିଆ ବାଘର ଚମଡା ମଧ୍ୟ ପୁଲିସ ଜବତ କରିଥିଲା।ଏହାର ଓସାର ୪ ଫୁଟ ଥିବା ଏସପି ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2023/03/Rgda-ganja-and-leopard-skin-jabat-5.jpg)
ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ୍, ନଗଦ ୧୧୫୦ ଟଂକା ଜବତ ମଧ୍ୟ କରିଛି। ଏହି ଗଂଜେଇକୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥାନ୍ତା। ତେବେ ବାଘ ଛାଲ ଜଣେ ବେପାରୀଙ୍କୁ ଦେଇଥିବା ନେଇ ଅଭିଯୁକ୍ତମାନେ ପ୍ରକାଶ କରିଥିଲେ। ଏହି ବାଘ ଛାଲକୁ ବନ ବିଭାଗକୁ ହସ୍ତାନ୍ତର କରାଯିବା ସହ ଏହା କେଉଁଠାରୁ ଆସିଲା ଏବଂ ଏହି ଚାଲାଣରେ କିଏ କିଏ ସଂପୃକ୍ତ ରହିଛନ୍ତି ମିଳିତ ଭାବେ ତଦନ୍ତ କରାଯିବ ବୋଲି ଏସପି ପ୍ରକାଶ କରିଥିଲେ।
ପ୍ରକାଶ ଥାଉକି ବାଘକୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିର ଚିହ୍ନ ଚମଡାରେ ଥିବା ସ୍ପଷ୍ଟ ବାରି ହେଉଛି ବୋଲି ପୁଲିସ କହିଛି। ତେବେ ଏହା ଆନ୍ତର୍ଜାତିକ ରାକେଟ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଅଧିକା ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/e1877d79-b5ee-4265-a257-876e766aa8cc.jpg)