ଭୁବନେଶ୍ବର: କର୍ଣ୍ଣାଟକରୁ ଭାୟା ରାଉରକେଲା ହୋଇ ରାଜଧାନୀକୁ ବାଘ ଛାଲ ଆସୁଛି। ଛାଲ ପାଇବା ପାଇଁ ମାଫିଆ ରାଜଧାନୀରେ ଡେରା ପକାଇ ରହୁଛନ୍ତି। ପୁଲିସକୁ ଚକ୍‌ମାଦେଇ ଲକ୍ଷ ଲକ୍ଷ ଟଙ୍କାର ଡିଲ୍‌ କରି ଛାଲ ଧରି ଚାଲିଯାଉଛନ୍ତି। ବହୁଦିନ ହେବ ରାଜଧାନୀରେ ଚାଲିଥିବା ଏଭଳି ଏକ ବାଘଛାଲ ରୢାକେଟ୍‌ର ମାଷ୍ଟରମାଇଣ୍ଡ ସହିତ ୩ ଜଣଙ୍କୁ ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌(ଏସ୍‌ସିୟୁ) ଗିରଫ କରିଛି। ସେମାନେ ହେଲେ ରୢାକେଟ୍‌ର ମାଷ୍ଟରମାଇଣ୍ଡ ଦିଲ୍ଲୀ ଲୋଧିରୋଡ୍‌ ରୋହିତ ମହାପାତ୍ର(୨୬), ଏଜେଣ୍ଟ ଗଣ୍ଡମୁଣ୍ଡା ଅଞ୍ଚଳର ଶମ୍ଭୁ ବିଶୋଇ(୨୩) ଓ  ଗଞ୍ଜାମ ଭଂଜନଗରର ମଞ୍ଜିତ ସାବତ(୨୧)। ପୁଲିସ ସେମାନଙ୍କ ନିକଟରୁ ଏକ କଲରାପତରିଆ ବାଘଛାଲ ଜବତ କରିଛି। ପୁଲିସ ସେବା ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଏବଂ ଡିସିପି(ଏସ୍‌ସିୟୁ) ଅନୁପ୍‌ କାନୁନ୍‌ଗୋ ଏହି ରୢାକେଟ୍‌ର ଗୁମର ଖୋଲିଛନ୍ତି। 

Advertisment

କମିସନର ଶ୍ରୀ ସିଂଙ୍କ ସୂଚନା ମୁତାବକ, ଗତ ୮ମାସ ହେବ ରୋହିତ ଦିଲ୍ଲୀରୁ ଆସି ରାଜଧାନୀର ଖଣ୍ଡଗିରି ଥାନା ପଞ୍ଚଶାଖାନଗରରେ ଭଡ଼ାଘର ନେଇ ରହୁଥିଲା।  କର୍ଣ୍ଣାଟକ ସମେତ ଅନ୍ୟ ରାଜ୍ୟରୁ ବାଘ ଛାଲ, ଅନ୍ୟ ଜୀବଜନ୍ତୁଙ୍କ ଛାଲ, ନଖ, କାତି ଅଦି ରାଜଧାନୀକୁ ମଗାଇ ବଡ଼ ବଡ଼ ମାଫିଆଙ୍କୁ ଯୋଗାଉଥିଲା। ଏଥିପାଇଁ ଏଠାରେ ନିଜର ଏଜେଣ୍ଟ ରଖିଥିଲା। ସେମାନଙ୍କୁ ମାଫିଆଙ୍କ ସହ ଡିଲ୍‌ ପାଇଁ ପଠାଉଥିଲା। ଡିଲ୍‌ ହିସାବରେ ସେମାନଙ୍କୁ ମୋଟା ଅଙ୍କର କମିସନ ଦେଉଥିଲା। ୨ମାସ ତଳେ ଏସ୍‌ସିୟୁକୁ ରୋହିତ ସମ୍ପର୍କରେ ସୂଚନା ମିଳିଥିଲା। ଏସ୍‌ସିୟୁ ଡିସିପି ଅନୁପ୍‌ କାନୁନ୍‌ଗୋ ରୢାକେଟ୍‌ର ଗତିବିଧି ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ।

କର୍ଣ୍ଣାଟକ ଅଣାଯାଇ ରାଜଧାନୀରେ ହେଉଥିଲା ଡିଲ୍‌
ପରୀକ୍ଷା ପାଇଁ ଯିବ ଡେରାଡୁନ୍‌
ଅଧିକ ତଥ୍ୟ ପାଇଁ ରିମାଣ୍ଡରେ ଆଣିବ ପୁଲିସ

ସପ୍ତାହ ତଳେ ରୋହିତ କର୍ଣ୍ଣାଟକରୁ ବାଘଛାଲ ମଗାଉଥିବା ସୂଚନା ମିଳିଥିଲା। ଏହି ଛାଲକୁ ରାଉରକେଲା ଦେଇ ରାଜଧାନୀ ଆଣିବା ପରେ ବିକ୍ରି ପାଇଁ ୩୦ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ରୢାକେଟ୍‌ର ସବୁ ତଥ୍ୟ ସଂଗ୍ରହ କରି ଏସ୍‌ସିୟୁ ଟିମ୍‌ ସେମାନଙ୍କୁ ଧରିବା ପାଇଁ ଗ୍ରାହକ ସାଜିଥିଲା। ଟିମ୍‌ର କିଛି ସଦସ୍ୟ ରୋହିତକୁ ଫୋନ୍‌ କରି ଛାଲନେବା ପାଇଁ କହିଥିଲେ। ରୋହିତ କହିଥିଲା ଯେ ଏହି ଛାଲ ୩୦ଲକ୍ଷ ଟଙ୍କାରେ ଡିଲ୍‌ ସରିଛି। ପରବର୍ତ୍ତୀ ସମୟରେ ଆଉ ଏକ ଛାଲ ଆସିବା ପରେ ଦିଆଯିବ। ହେଲେ ଏସ୍‌ସିୟୁ ଟିମ୍‌ ସେମାନଙ୍କୁ ୪୦ଲକ୍ଷ ଟଙ୍କା ଦେବାର ଲୋଭ ଦେଖାଇବା ପରେ ରୋହିତ ପୁଲିସ ଟିମ୍‌ ସହ ଡିଲ୍‌ କରିଥିଲା। ଯୋଜନା ମୁତାବକ ରବିବାର ସନ୍ଧ୍ୟା ୫ଟା ସମୟରେ ରୋ‌ହିତ, ମଞ୍ଜିତ ଓ ଶମ୍ଭୁ ମେ ଫେୟାର ବସ୍ତିରେ ଛାଲ ଧରି ଗ୍ରାହକ ଭାବି ପୁଲିସ ଟିମ୍‌କୁ ଡାକିଥିଲେ। ଯୋଜନା ମୁତାବକ ପୁଲିସର ୨ଟି ଟିମ୍‌ ସେଠାରେ ଅତର୍କିତ ଭାବେ ଚଢ଼ଉ କରି ୩ଜଣଙ୍କୁ କାବୁ କରିବା ସହ ଛାଲକୁ ଜବତ କରିଥିଲା। ଏସ୍‌ସିୟୁ ସେଲ୍‌କୁ ନେଇ ଜେରା ବେଳେ ସେମା‌ନେ ସତ ଓଗାଳିଥିଲେ। କିଭଳି କର୍ଣ୍ଣାଟକରୁ ମଗାଇଥିଲେ? ଆଉ ଜଣେ ମାଫିଆଙ୍କ ସହ ମଞ୍ଜିତ ଓ ଶମ୍ଭୁ ଡିଲ୍‌ କରିଥିବା କଥା ବି କହିଥିଲେ। ଏଥିପାଇଁ ଉଭୟଙ୍କୁ ରୋହିତ ୫ଲକ୍ଷ ଟଙ୍କା କମିସନ ଦେବାକୁ ମଧ୍ୟ ଡିଲ୍‌ କରିଥିଲା। ସବୁ ସତ ଓଗାଳିବା ପରେ ପୁଲିସ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି ଛାଲର ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍‌ ସ୍ଥିତ ପରୀକ୍ଷାଗାରକୁ ପଠାଯିବ ବୋଲି ଜଣାପଡ଼ିଛି। 

ଅନ୍ୟପଟେ ରୢାକେଟ୍‌ରେ ସମ୍ପୃକ୍ତ ଥିବା ଅନ୍ୟ ମାଫିଆଙ୍କୁ ଗିରଫ ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଓଡ଼ିଶାର ଜଙ୍ଗଲରୁ ମଧ୍ୟ ଏମାନେ ଜୀବଜନ୍ତୁ ଛାଲ ସଂଗ୍ରହ କରୁଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତେଣୁ ଓଡ଼ିଶାର କେଉଁମାନେ ଏହି ରୢାକେଟ୍‌ ସହ ସମ୍ପୃକ୍ତ ଅଛନ୍ତି, ଏ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ୩ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଡିସିପି ଶ୍ରୀ କାନୁନ୍‌ଗୋ କହିଛନ୍ତି।