ଅନୁଗୁଳ : ସାତକୋଶିଆ କଲରାପତରିଆ ବାଘ ମୃତ୍ୟୁ ଘଟଣା ଉପରୁ ପରଦା ଉଠିଛି। ଗତବର୍ଷ ଜୁଲାଇ ୧ ତାରିଖ ଦିନ ଏ ବାଘକୁ ଫାଶ ପକାଇ ହତ୍ୟା କରାଯାଇଥିଲା। ପମ୍ପାସର ରେଞ୍ଜ୍‌ କୁମୁରୀ ଗାଁର ଦୁଇ ବାପ-ପୁଅ ଏ କାରନାମା କରିଥିଲେ। ବାଘକୁ ଫାଶରେ ପକାଇ ହତ୍ୟା କରିବା ପରେ ତା’ର ଚମଡ଼ା ଉତାରି ଘରକୁ ଆଣିଥିଲେ। ପରେ ଚମଡ଼ାକୁ ଅନୁଗୁଳରେ ପାଠ ପଢ଼ୁଥିବା ଜଣେ ଯୁବକ ସହିତ ଡିଲ୍ କରି ବିକ୍ରି କରାଯାଇଛି। ବାଘକୁ ମାରିବାଠାରୁ ଚମଡ଼ା ବିକ୍ରି କରିବା ଯାଏ ପୂରା ଘଟଣାରେ ମୋଟ୍ ଚାରି ଜଣଙ୍କ ସମ୍ପୃକ୍ତି ଥିବାବେଳେ ସାତକୋଶିଆ ବନ ବିଭାଗ କେବଳ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ତା’ର ବାପା ସହିତ ଅନ୍ୟ ତିନିଜଣ ଅଭିଯୁକ୍ତ କୁଆଡ଼େ ଫେରାର୍‌ ହୋଇଯାଇଛନ୍ତି। ବାଘର ଚମଡ଼ା ବିକ୍ରିର ମୁଖ୍ୟ ଅଭିଯୁକ୍ତ ଯୁବକ ଅନୁଗୁଳର ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ରେ ପାଠ ପଢ଼ୁଥିଲା। ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକ ଅନୁଗୁଳରୁ ଆନ୍ଧ୍ରପ୍ରଦେଶକୁ ପଳାୟନ କରିଥିବା ଜଣାପଡ଼ିଛି।

Advertisment

ସାତକୋଶିଆ ଅଭୟାରଣ୍ୟରେ ଖଞ୍ଜାଯାଇଥିବା କ୍ୟାମେରାରୁ ଏ ଘଟଣାର ଖିଅ ମିଳିଥିଲା। ବନ ବିଭାଗ ସୂଚନା ଅନୁଯାୟୀ, ଜଙ୍ଗଲରେ ଲାଗିଥିବା କ୍ୟାମେରା ପ୍ରତି ସପ୍ତାହରେ ଯାଞ୍ଚ ହୁଏ। କ୍ୟାମେରା ସାମ୍ନା ଦେଇ କିଏ କୁଆଡ଼େ ଗତି କରୁଛି, ତା’ର ଫଟୋ ସବୁ ଯାଞ୍ଚ କରାଯାଏ। ଚଳିତମାସ ୧୦ତାରିଖ ଦିନ ପମ୍ପାସର ରେଞ୍ଜ୍‌ କୁମୁରୀ ଜଙ୍ଗଲରେ ଲାଗିଥିବା ଏକ କ୍ୟାମେରାରେ ଦୁଇ ଜଣ ଅଭିଯୁକ୍ତଙ୍କ ଫଟୋ ମିଳିଥିଲା। ଯେଉଁଥିରେ ଶିରିଶିକଟା ଗାଁର ସହଦେବ ଗଡ଼ନାୟକ ଏବଂ କୁମୁରୀ ଗାଁର ବେଣୁଧର ଗଡ଼ନାୟକ ବନ୍ଧୁକ ଧରି ଜଙ୍ଗଲରେ ପଶିଥିଲେ ବୋଲି ବନ ବିଭାଗ ଜାଣିବାକୁ ପାଇଥିଲା। ସେହି ଫଟୋ ଆଧାରରେ ବନ ବିଭାଗ ତନାଘନା କରୁ କରୁ ପୁରୁଣାକୋଟ୍ ରେଞ୍ଜ୍ ବାଘମୁଣ୍ଡାର ସର୍ବେଶ୍ବର ନାଏକଙ୍କ ଘରେ ପହଞ୍ଚିଥିଲା। ଯେଉଁଠାରୁ ଦେଢ଼ ବର୍ଷ ତଳେ ବାଘ ଶିକାର ହୋଇଥିବାର ଅନ୍ୟ ଏକ ସୁରାକ ବନ ବିଭାଗ ହାତରେ ପଡ଼ିଥିଲା।

ଏ ସମ୍ପର୍କରେ ସାତକୋଶିଆ ଡିଏଫ୍‌ଓ ଡ. ସରୋଜ କୁମାର ପଣ୍ଡା କହିଛନ୍ତି, ଦେଢ଼ ବର୍ଷ ତଳେ ହୋଇଥିବା ବାଘ ଶିକାର ଘଟଣାର ଉନ୍ମୋଚନ ହୋଇଛି। ଘଟଣାରେ ପୁପୁନ୍‌ ବିଶ୍ବାଳକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବାଘକୁ ଯେଉଁଠାରେ ପୋତାଯାଇଥିଲା, ସେ ଅଞ୍ଚଳକୁ ଖୋଳାଯିବା ପରେ ବାଘର ମୃତଦେହ ଜବତ ହୋଇଛି। ବାଘ ମୃତ୍ୟୁର ନମୁନା ଓୟୁଏଟିକୁ ପଠାଯିବ। ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ଡ. ପଣ୍ଡା ପ୍ରକାଶ କରିଛନ୍ତି। ତେବେ, ତା’ ବାପା ପ୍ରମୋଦ ବିଶ୍ବାଳଙ୍କ ସମେତ ୩ ଜଣ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।