ଦୁଇ କଲରାପତରିଆ ବାଘଛାଲ ଜବତ; ଖସିଗଲେ କ୍ରେତା, ୨ ବିକ୍ରେତା ଗିରଫ

ବାଘଙ୍କୁ ଗୁଳି କରି ହତ୍ୟା କରିଥିଲେ ଶିକାରୀ

କିଣାବିକା ପାଇଁ କୋଡ୍‌ ୱାର୍ଡ ଥିଲା ‘ସାର୍ଟ ଅଛି କି’
ବନ୍ୟଜନ୍ତୁ ବେପାର ସଂପର୍କରେ ଏସ୍‌ଟିଏଫ୍ ହାତରେ ଗୁରୁତ୍ବପୂର୍ଣ୍ଣ ସୁରାକ୍‌

ବେତନଟୀ : ବାଘଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ଶିମିଳିପା‌ଳ। କଡ଼ା ପହରା ସତ୍ତ୍ବେ ଜଙ୍ଗଲ ଭିତରେ ବନ୍ଧୁକ ଧରି ବନ୍ୟଜନ୍ତୁଙ୍କ ମୁଣ୍ଡ ଗଡ଼ାଇ ଦେଉଛନ୍ତି ଶିକାରୀ। ଆଉ ଶିକାର ପରେ ଲକ୍ଷାଧିକ ଟଙ୍କାରେ ଚମଡ଼ା ବିକ୍ରି କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ରାଗଧା କଲେଜ ନିକଟ ପଡ଼ିଆରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ୍‌ ବେଳେ ଏସ୍‌ଟିଏଫ୍‌ ଓ ବେତନଟୀ ବନ ବିଭାଗ ଚଢ଼ଉ କରି ଦୁଇଟି କଲରାପତରିଆ ବାଘ ଛାଲକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ବଡ଼ସାହି ଥାନା ବାଲିଯୋଡ଼ା ଗ୍ରାମର ଗୁରା ବିନ୍ଧାଣୀ (୬୫) ଓ ଖୁଣ୍ଟା ଥାନା କୁଆମରା କ୍ଷୀରପଦା ଗ୍ରାମର ପ୍ରଶାନ୍ତ କୁମାର ମହାନ୍ତି (୪୦)। ସେମାନଙ୍କ ପାଖରୁ ଜବତ ହୋଇଥିବା ବାଘଛାଲ ମଧ୍ୟରୁ ଗୋଟିଏ ବାଘର ବୟସ ୯ରୁ ୧୦ ବର୍ଷ ଭିତରେ ହେବ। ୪୮ ଇଞ୍ଚ ଲମ୍ବର ଏହି ବାଘ ଛାଲରେ ଗୁଳିବିଦ୍ଧ ଚିହ୍ନ ଭାବେ ଦୁଇଟି ବଡ଼କଣା ରହିଛି। ବାଘଟିକୁ ପ୍ରାୟ ବର୍ଷେ ପୂର୍ବରୁ ଗୁଳି କରି ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି। ବାଘର ଚମଡ଼ାଟି ସାମାନ୍ୟ ଟାଣ ହୋଇ ଯାଇଥିବାରୁ ଏହାର ମୂଲ୍ୟ ୧ ଲକ୍ଷ ଟଙ୍କା ରଖିଥିଲେ ବେପାରୀ। ସେହପରି ୪୨ ଇଞ୍ଚ ଲମ୍ବର ଅନ୍ୟ ବାଘ ଛାଲକୁ ଯାଞ୍ଚ କରାଯିବା ବେଳେ ଏହା ୭ରୁ ୮ ବର୍ଷ ବୟସର ବାଘ ବୋଲି ଜଣାପଡ଼ିଛି। ମାସକ ପୂର୍ବରୁ ଏହାକୁ ଶିକାର କରାଯାଇଥିବା ବେଳେ ଏହାର ଚମଡ଼ାଟି ନରମ ଥିବାରୁ ଦର ୩ ଲକ୍ଷ ଟଙ୍କା ରଖାଯାଇଥିଲା।

ବନ ବିଭାଗର ସୂଚନା ଅନୁଯାୟୀ, ବାରିପଦାରେ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ପ୍ରଶାନ୍ତ ନିଜର ଜଣେ ବନ୍ଧୁ ବାରିପଦା ପୋଡ଼ାଅସ୍ତିଆ ଅଞ୍ଚଳର ରୋହିତ ଖାଁଙ୍କ ପାଖରୁ ବଡ଼ବାଘ ଛାଲଟିର ସନ୍ଧାନ ପାଇଥିଲା। ଏହାକୁ ବିକ୍ରି କରି ୭୦ରୁ ୮୦ ହଜାର ଟଙ୍କା ଦେବ ବୋଲି କହି ବନ୍ଧୁ ପାଖରୁ ଛାଲ ନେଇ ଆସିଥିଲା ପ୍ରଶାନ୍ତ। ସେପଟେ ଗୁରା ବିନ୍ଧାଣୀ ଏକ କମାରଶାଳରେ କାର୍ଯ୍ୟ କରୁଥିଲା ଓ ନିଜ ଗ୍ରାମର ଜଣେ ଯୁବକଙ୍କ ପାଖରୁ ଉକ୍ତ ବାଘ ଛାଲଟିକୁ ବିକ୍ରି ପାଇଁ ଆଣିଥିଲା। ଗତ ଡିସେମ୍ବର ୩୧ ତାରିଖରେ ଗୁରା ଓ ପ୍ରଶାନ୍ତଙ୍କୁ ଏକାସଙ୍ଗେ ଭେଟିଥିଲେ ବାଲେଶ୍ବରରୁ ଏକ ବୋଲେରୋରେ ଯାଇଥିବା ୫ ଜଣ କ୍ରେତା। ସେଦିନ ବାଘ ଛାଲର ମାପଚୁପ ଓ ଦର ନିର୍ଦ୍ଧାରଣ ହୋଇଥିଲା। ପରେ କ୍ରେତାମାନେ ବାରିପଦାର ଏକ ହୋଟେଲରେ ଖାଇବା ସହ ଟଙ୍କା ଯୋଗାଡ଼ ପରେ ଛାଲ ନେବେ ବୋଲି କହିଥିଲେ। ଗତକାଲି ସନ୍ଧ୍ୟାରେ ରାଗଧା କଲେଜ ପାଖରେ ଉଭୟ ପକ୍ଷଙ୍କ ମଧ୍ୟରେ ଶେଷ ମୂଲଚାଲ୍‌ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବେତନଟୀ ବନ ବିଭାଗ ସହାୟତାରେ ଚଢ଼ଉ କରିଥିଲା ଏସ୍‌ଟିଏଫ୍‌। ପ୍ରଶାନ୍ତ ଓ ଗୁରା ଧରାପଡ଼ିଥିବା ବେଳେ ସେମାନଙ୍କର ୩ ସହଯୋଗୀ ଏକ ବାଇକ୍‌ରେ ଚମ୍ପଟ ମାରିଥିଲେ। ଏଥିସହ ବାଘଛାଲ କିଣିବାକୁ ଆସିଥିବା ୪ ଅଭିଯୁକ୍ତ ମଧ୍ୟ ଏକ ବୋଲେରୋରେ ଖସି ଯାଇଥିଲେ। ଚଢ଼ଉରେ ଏସ୍‌ଟିଏଫ୍‌ର ଇନ୍‌ସପେକ୍ଟର ଜିତୁମୋହନ ବେସ୍ରା, ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବନପାଳ ପ୍ରଶାନ୍ତ କୁମାର ସିଂସାମନ୍ତ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ବାରିପଦା ଡିଏଫ୍‌ଓ ସନ୍ତୋଷ ଯୋଶୀ, ଏସିଏଫ୍‌ ଦିଲ୍ଲୀପ କୁମାର ବାରିକ, ଏସିଏଫ୍‌ ରବିନାରାୟଣ ମହାନ୍ତି ବିଳମ୍ବିତ ରାତିରେ ଦୁଇ ଅଭିଯୁକ୍ତଙ୍କୁ ମାରାଥନ୍‌ ଜେରା କରିବା ପରେ ଶିମିଳିପାଳରେ ବାଘ ଶିକାରକୁ ନେଇ ଅନେକ ତଥ୍ୟ ହସ୍ତଗତ ହୋଇଛି। କେଉଁ ସ୍ଥାନରେ ବାଘଛାଲ କିଣାବିକା ହୁଏ, କେମିତି ଡିଲ୍‌ କରାଯାଏ, ଏହି ରାକେଟ୍‌ରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଖସି ଯାଇଥିବା ଅଭିଯୁକ୍ତଙ୍କ ଘର କେଉଁଠି, ବାଘଛାଲ ବେପାର ପାଇଁ କ୍ରେତା ‘ସାର୍ଟ ଅଛିକି’ ବୋଲି କୋଡ୍‌ ୱାର୍ଡ ବ୍ୟବହାର କରୁଥିବା ଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ଓଗାଳିଛନ୍ତି ୨ ଅଭିଯୁକ୍ତ। ଗୁରୁବାର ଦିନ ବେତନଟୀ କୋର୍ଟରେ ଉଭୟଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜବତ ଛାଲ ଦୁଇଟିକୁ ବାରିପଦା ବନ୍ୟପ୍ରାଣୀ ଡିଭିଜନ୍‌ ମୁଖ୍ୟାଳୟରେ ରଖାଯାଇଥିବା ବେଳେ ଏହାର ନମୁନାକୁ ପରୀକ୍ଷା ପାଇଁ ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନକୁ ପଠାଯାଇଛି। ଏଥିସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ବାରିପଦା ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର