‘ସୁନ୍ଦରୀ’ ଭୟ : ଗାଁକୁ ଆସିଲେନି ଶିକ୍ଷକ, ପାଠପଢ଼ା ଠପ୍‌; ଦିନରେ ତାଟି କବାଟ ବନ୍ଦ, ରାତିରେ ଉଜାଗର

ପରିବେଶ୍‌ବିତ୍‌ଙ୍କ ପ୍ରଶ୍ନ, ସୁନ୍ଦରୀ ଏମିତି ହେଲା କାହିଁକି?

ବନ୍ତଳା/ନରସିଂହପୁର : ଗାଁ-ଗାଁରେ ପଡ଼ିଛି କୋକୁଆ ଭୟ। ଗତ ସଂଧ୍ୟାରେ ବାଘୁଣୀ ‘ସୁନ୍ଦରୀ’ ଓ୍ଵାଚରଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବା ପରେ ଟିକରପଡ଼ା ପଞ୍ଚାୟତ କଟରଙ୍ଗା ଗାଁ ସମେତ ଆଖପାଖର ଲୋକଙ୍କ ଭିତରେ ଛନକା ଖେଳିଯାଇଛି। ପରିସ୍ଥିତି ଏମିତି ହୋଇଛି ଯେ କଟରଙ୍ଗା ଗାଁର ପିଲାଛୁଆ ଓ ମହିଳା ତାଟି କବାଟ ଦେଇ ଘରେ ପଶିଥିବା ବେଳେ ପୁରୁଷ ଲୋକେ ଉଜାଗର ରହି ରାତି କାଟିଛନ୍ତି। ସ୍ଥାନୀୟ ସେବା ଶିକ୍ଷାଶ୍ରମ ସ୍କୁଲ ନିକଟରେ ବାଘୁଣୀ ଲୋକଙ୍କ ନଜରକୁ ଆସିଥିବାରୁ ଆଜି ସ୍କୁଲକୁ ଶିକ୍ଷକମାନେ ପାଠ ପଢ଼ାଇବାକୁ ବି ଆସିନାହାନ୍ତି। ‘ସୁନ୍ଦରୀ’ ଭୟରେ ସ୍କୁଲ ଆଜି ଅଘୋଷିତ ଛୁଟି ହୋଇଛି। କେବଳ ସେତିକି ନୁହେଁ, ଗାଁ ପାଖରେ ବାଘୁଣୀ ଏବେ ବି ଘୂରି ବୁଲୁଥିବା ଲୋକେ ଆଶଙ୍କା କରୁଥିବା ବେଳେ ବନ କର୍ମଚାରୀମାନେ ଗାଁ ମୁଣ୍ଡରେ ଆଣ୍ଟିନା ଧରି ବୁଲୁଛନ୍ତି। ଏହାକୁ କେନ୍ଦ୍ର କରି କଟରଙ୍ଗା ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଏକୁଟିଆ କେହି ଘରୁ ଗୋଡ଼ କାଢ଼ୁ ନାହାନ୍ତି। ସେହିପରି ନରସିଂହପୁର ଥାନା ଅନ୍ତର୍ଗତ ରେଗେଡା ରୁଗୁଡିସାହିର ଅକ୍ଷୟ ବେହେରା(୫୫) ଆଜି ଭୋର ସମୟରେ ବାଙ୍କଧର ଗାଁ ନିକଟରେ ନିଜ ମଇଁଷି ଗୋଠରେ ଥିବାବେଳେ ପଛପଟୁ ବାଘୁଣୀ ଝାମ୍ପ ମାରିଥିଲା। ସେ ଭୟରେ ହାତରେ ଧରିଥିବା କାଠରେ ପାହାରେ ପକାଇବାରୁ ବାଘୁଣୀ ପଳାଇଥିଲା ବୋଲି କହିଛନ୍ତି । ଜିଲିଣ୍ଡା ସ୍ଥିତ ବନ୍ୟ ଜନ୍ତୁ ସଂରକ୍ଷଣ ବିଭାଗରେ ୱାଚର ଭାବେ କାର୍ଯ୍ୟ କରୁଥିବା ନରସିଂହପୁର ପଶ୍ଚିମ ରେଞ୍ଜ ଅନ୍ତର୍ଗତ ବାଲିକିଆରୀ ବାରଭାୟା ନିକଟ ନୂଆସାହିର ସୁରେଶ ଆଜି ଦିନ ପ୍ରାୟ ୧୧ଟା ସମୟରେ ସେ ବାରାଭାୟାର ଟୁଲୁକା ଅଞ୍ଚଳକୁ କାମ ପାଇଁ ଯାଇଥିଲେ। ହଠାତ୍‌ ତାଙ୍କ ଆଡକୁ ଏକ ବାଘ ଦୌଡି ଆସିଥିଲା। ସେ ବାଘକୁ ଦେଖି ଦୌଡି ପଳାଇବା ବେଳେ ଗଛରେ ପିଟି ହୋଇ ଯାଇଥିଲେ।

କାହ୍ନାରୁ ଆସିଥିବା ଯୁବ ମହାବଳ ଇତିମଧ୍ୟରେ ଅଭୟାରଣ୍ୟରେ ସ୍ୱାଭାବିକ ଜୀବନ ବିତାଉଥିବା ବେଳେ ସୁନ୍ଦରୀର ଏ ପ୍ରକାର ଭୟଙ୍କର ରୂପ ବନ ବିଭାଗକୁ ଚିନ୍ତାରେ ପକାଇଛି। ବାଘୁଣୀ ‘ସୁନ୍ଦରୀ’ ମଣିଷ ଉପରକୁ ଏମିତି ଆକ୍ରମଣ କରିବା ଘଟଣା ପରିବେଶ୍‌ବିତ୍‌ଙ୍କୁ ବିବ୍ରତ କରିଛି।

ଗତକାଲି ଜିଲିଣ୍ଡା ରେଞ୍ଜ୍‌ର ଓ୍ଵାଚର ସୁରେଶ ବାରିକ(୩୦) ବାଘୁଣୀ ଆକ୍ରମଣରେ ଆହତ ହୋଇଥିଲେ। ଗତ ରାତିରେ ବନ ବିଭାଗର ବରିଷ୍ଠ ତିନି ଏସିଏଫ୍‌ ଲୋକଙ୍କୁ ବୁଝାସୁଝା କରିବା ପାଇଁ କଟରଙ୍ଗା ଯାଇଥିଲେ। କିନ୍ତୁ ଲୋକମାନେ ସେମାନଙ୍କୁ ଅଟକ ରଖିଥିଲେ। ରାତିରେ ପୁରୁଣାକୋଟ୍‌ ଥାନା ପୁଲିସ କଟରଙ୍ଗା ଗାଁକୁ ଯାଇ ତିନି ଅଧିକାରୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଏ ପ୍ରସଙ୍ଗରେ ମତାମତ ପାଇଁ ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ଓ ସାତକୋଶିଆ ଡିଏଫ୍‌ଓ ଏସ୍‌ଏମ୍‌ଟି ରେହ୍‌ମାନଙ୍କ ସହ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଉଭୟେ ଫୋନ୍‌ ନ ଉଠାଇବାରୁ କୌଣସି ଉତ୍ତର ମିଳି ପାରି ନାହିଁ।

ଶିକାର କରିପାରୁନି

କଟକ/ନରସିଂହପୁର : ଜଙ୍ଗଲରେ ବୁଲୁଛି ସୁନ୍ଦରୀ। ହେଲେ ଶିକାର କରି ଜାଣୁନି ବୋଲି କହିଛନ୍ତି କିଛି ଗ୍ରାମବାସୀ। ଗତକାଲି ଓ ଆଜି ଦୁଇଥର ଛେଳିକୁ ଗୋଡାଇଥିଲା ସୁନ୍ଦରୀ। କିନ୍ତୁ ଶିକାର କରିପାରିନଥିଲା। ବରଂ ଛେଳି ଡିଅାଁ ମାରି ଖସିଯାଇଥିବା କହିଛନ୍ତି ଘଟଣାର ପ୍ରତ୍ୟକ୍ଷଦର୍ଶୀ। ବାଘୁଣୀ ପାଇଁ ଗ୍ରାମବାସୀ ଭୟରେ ଜଙ୍ଗଲକୁ ଗାଈ, ଛେଳିି ଗୋଠ ଛାଡୁ ନଥିବା ବେଳେ ସୁନ୍ଦରୀ ଶିକାର କରି ନ ଜାଣିବା ଘଟଣା ଅନେକଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର