ଅନୁଗୁଳ : କୁମ୍ଭୀର ପ୍ରକଳ୍ପ ପାଇଁ ମତ୍ସ୍ୟଜୀବୀଙ୍କ ପେଟକୁ ମାରିଲେ ନାତ। ହସ୍ତୀ ପ୍ରକଳ୍ପ ଯୋଗୁ ଚାଷୀଙ୍କ ଉଜୁଡ଼ୁଛି ଫସଲ। ଏବେ ଖୋଲାମେଲାରେ ମହାବଳ ଆଣି ଛାଡ଼ିଲେଣି। ପଶୁପାଳନ କରି ସାତକୋଶିଆ ଜଙ୍ଗଲବାସୀ ଯାହା ଯେମିତି ନିଜର ଗୁଜୁରାଣ ମେଣ୍ଟାଉଥିଲେ, ଏବେ ବାଘ ଭୟରେ ସେ ଜୀବିକା ବାଟ ବି ବନ୍ଦ ହେବାକୁ ବସିଛି। ଏସବୁକୁ ନେଇ ଗର୍ଜିଛନ୍ତି ସାତକୋଶିଆ ବନବାସୀ। ସାତକୋଶିଆ କ୍ଷତିଗସ୍ତ ପ୍ରଜା ସୁରକ୍ଷା ସମିତିର ଆହ୍ଵାନ କ୍ରମେ ଆଜି ଜଗନ୍ନାଥପୁର, ପୁରୁଣାକୋଟ୍, ଟିକରପଡ଼ା, ମାଟିଆସାହି, ମାଣିକଯୋଡ଼ି, ଟାଇଁସି, କୋଠଭୂଇଁ, ଅନ୍ତୁଳିଆ, ବଲଙ୍ଗ ଆଦି ଅନେକ ପଞ୍ଚାୟତର ହଜାର ହଜାର ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ସାତକୋଶିଆ ଡିଏଫ୍ଓଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି। ବନ ବିଭାଗକୁ ଚେତାବନୀ ଦେଇ କହିଛନ୍ତି ଯେ, ମହାବଳକୁ ତାର ଜାଲି ମଧ୍ୟରେ ରଖ। ଆମକୁ ସୁରକ୍ଷା ଦିଅ। ନଚେତ୍ ମହାବଳକୁ ଗୁଳି କରି ମାରିଦେବୁ ବୋଲି ଲୋକେ ସିଧାସିଧା ଚେତାବନୀ ଦେଇଛନ୍ତି।
ବନ ବିଭାଗ ବିରୋଧରେ ହଜାର ହଜାର ଲୋକଙ୍କ ଏ ପ୍ରକାର ବିଷୋଦ୍ଗାର ମଧ୍ୟପ୍ରଦେଶ ବାଘବାଘୁଣୀଙ୍କ ଭବିଷ୍ୟତକୁ ବିପଦ ମୁହଁକୁ ଠେଲି ଦେଇଛି। ସ୍ଥାନୀୟ ବନବାସୀଙ୍କ ସହିତ ବନ ବିଭାଗର ସମ୍ପର୍କ କେଡ଼େ ଢିଲା ଆଜିର ବିକ୍ଷୋଭ ତାର ପ୍ରମାଣ ଦେଉଛି। ବର୍ଷ ସାରା ଯଦି ଏମିତି ଚାଲେ ତେବେ, ଇତିହାସ ରଚିବାର ଡିଣ୍ଡିମ ପିଟୁଥିବା ବନ ବିଭାଗ ପରିଚାଳିତ ‘ପ୍ରୋଜେକ୍ଟ ମହାବଳ’ର ଭବିଷ୍ୟତ କ’ଣ ହେବ? ପରିବେଶବିତ୍ଙ୍କୁ ତାହା ବଡ଼ ଚିନ୍ତାରେ ପକାଇଛି।