କଳାବାଡ଼ିଆ: ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି, ବଡ଼ଗାଁ ଓ ତାଳବନ୍ଧ ରେଞ୍ଜ ଅଞ୍ଚଳରେ ବୁଲୁଛି ଏକ କଳା ରଙ୍ଗର ମହାବଳ ବାଘ। ସୁଯୋଗ ପାଇବାମାତ୍ରେ ଜନବସତି ପାଖକୁ ଆସି ଗୃହପାଳିତ ପଶୁଙ୍କୁ ଶିକାର କରିଛୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଏହି ବାଘକୁ କୁକୁର ଗୋଡ଼ାଉଥିବାର ଭିଡିଓ ଭାଇରାଲ୍ ହେଉଛି।
୨୭ ଗୃହପାଳିତ ପଶୁ ମାରିଲାଣି
ବଡ଼ଗାଁ, ତାଳବନ୍ଧ ରେଞ୍ଜରେ ବୁଲୁଛି
ବାଘକୁ କୁକୁର ଗୋଡ଼ାଉଥିବା ଭିଡିଓ ଭାଇରାଲ୍
୨ ଦିନ ତଳେ ଏହି ବାଘଟି ବଡ଼ଗାଁ ରେଞ୍ଜ ଅଧୀନ ସୋରିଷପାଳ ପଞ୍ଚାୟତ ବେଗୁନିଆବନ୍ଧ ଗ୍ରାମ ନିକଟରେ ଏକ ଛେଳି ଶିକାର କରିଥିଲା। ତେବେ ବାଘକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଗ୍ରାମବାସୀ ତା’ ପଛରେ ୧୦ରୁ ଅଧିକ ଜଙ୍ଗଲି କୁକୁର ଛାଡ଼ିଦେବାରୁ ବାଘଟି ଜଙ୍ଗଲ ଭିତରକୁ ଦୌଡ଼ୁଥିବାର ଭିଡିଓ ଭାଇରାଲ୍ ହେଉଛି। ତେବେ ଏହି ଭିଡିଓର ସତ୍ୟତା ପ୍ରମାଣିତ ହୋଇନଥିଲେ ବି ଏହି ଅଞ୍ଚଳରେ ବାଘର ଉପସ୍ଥିତି ଓ ଶିକାର କରିବା ଘଟଣାକୁ ସ୍ବୀକାର କରିଛନ୍ତି ବଡ଼ଗାଁ ରେଞ୍ଜର ମନୋଜ ନାଏକ। ବାଘଟି ଏବେ ବାଙ୍ଗିରିପୋଷି ଓ ବଡ଼ଗାଁ ଓ ତାଳବନ୍ଧ ରେଞ୍ଜ ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ଘୂରି ବୁଲୁଛି। ୫ ଦିନ ହେବ ଏହା ତାଳବନ୍ଧ ରେଞ୍ଜ ଅଞ୍ଚଳରେ ଥିବାର ପ୍ରମାଣ ମିଳିଛି। ଏହି ମହାବଳଟି ନୂଆ ନୂଆ ଶିକାର ଶିଖୁଥିବାର ଅନୁମାନ କରାଯାଉଛି। ତେଣୁ ଏବେ ଜଙ୍ଗଲ ଭିତରକୁ ନ ଯିବା ପାଇଁ ଲୋକଙ୍କୁ ସତର୍କ କରାଯାଉଛି ବୋଲି ରେଞ୍ଜର ଶ୍ରୀ ନାଏକ କହିଛନ୍ତି।
ସୂଚନାଯୋଗ୍ୟ; ଏହି ମହାବଳଟି ୨ ମାସ ହେବ ବାଙ୍ଗିରିପୋଷି ବ୍ଲକ୍ରେ ଆତଙ୍କ ସୃଷ୍ଟି କରିଛି। ୨୭ଟି ଗୃହପାଳିତ ପଶୁଙ୍କୁ ମାରି ସାରିଲାଣି। ମୁଖ୍ୟତଃ ବ୍ରାହ୍ମଣଗାଁ ପଞ୍ଚାୟତର ବାଉଟିଆ, ଚାକିଡ଼ି ପଞ୍ଚାୟତର ବାରିବେଡ଼ା, ସୋରିଷପାଳ ପଞ୍ଚାୟତର ନେଦାମ ଓ ଘଟିଡୁବା ଅଞ୍ଚଳରେ ବାଘଟି ସମସ୍ତ ଶିକାର କରିଛି। ଜନବସତିର ନିକଟତର ହେଉଥିବାରୁ ତୁରନ୍ତ ଟ୍ରାଙ୍କୁଲାଇଜ୍ କରି ଘଞ୍ଚ ଜଙ୍ଗଲରେ ଛାଡ଼ିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/sLBsve0gBqrlZds9l0iT.jpg)