ବୋଲଗଡ଼ରେ ବାଘ ଆତଙ୍କ

୬ ଛେଳି ମୃତ, ୧୧ ଛେଳିଙ୍କ ପତ୍ତା ମିଳୁନି, ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି

ବୋଲଗଡ଼ : ବୋଲଗଡ଼ ବ୍ଲକ୍‌ ସାନପଦର ପଞ୍ଚାୟତରେ ବାଘ ଆତଙ୍କ ଦେଖାଦେଇଛି। ଉକ୍ତ ପଞ୍ଚାୟତର ରାସୋଳ ଗ୍ରାମ ଉପକଣ୍ଠରେ ଥିବା ବିନ୍ଧ୍ୟଗିରୀ ପାହାଡ଼ ତଳି ଅଂଚଳରେ ଶନିବାର ଏକ ଛେଳି ଗୋଠ ଚରୁଥିବା ବେଳେ ବାଘ ଆକ୍ରମଣରେ ୬ଟି ଛେଳିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଟି ଛେଳିଙ୍କର ପତ୍ତା ମିଳୁନଥିବା ସ୍ଥାନୀୟ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ଶନିବାର ଦିନ ସେହି ଗ୍ରାମର ଭାଗୀରଥି ଜୟସିଂହ ୩୦ଛେଳି ନେଇ ପାହଡ଼ ତଳି ଅଞ୍ଚଳରେ ଚରାଉଥିଲେ। ଅପରାହ୍ନ ସାଢେ ୪ଟା ସମୟରେ ଦୁଇଟି କଲରା ପତରିଆ ବାଘ ହଠାତ ଗୋଠ ଉପରେ ଆକ୍ରମଣ କରିଥିଲେ। ଭୟରେ ଭାଗୀରଥି ସେଠାରୁ ଖସିଆସି ଗାଁରେ ଏହି ବିଷୟ ଜଣାଇବା ପରେ ଗ୍ରାମବାସୀ ମିଳିତ ଭାବେ ଘଟଣାସ୍ଥଳକୁ ଯାଇଥିଲେ। ହେଲେ ବାଘ ଦୁଇଟି ‌ସେମାନଙ୍କ ଉପରକୁ ମଧ୍ୟ ମାଡ଼ି ଆସି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଗ୍ରାମବାସୀମାନେ ଘଟଣା ସ୍ଥଳକୁ ନଯାଇ କିଛି ଦୂରରେ ରହି ବାଘଙ୍କ ଗତିବିଧିକୁ ଲକ୍ଷ୍ୟ କରିଥିଲେ। ପରେ ଘଟଣାସ୍ଥଳରୁ ୪ଟି ମୃତ ଛେଳି ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ ୨ ଛେଳିକୁ ବାଘ ପାହାଡ଼ ଉପରକୁ ଘୋଷାଡ଼ି ନେଇଯାଇଥିବା ଅନୁମାନ କରାଯାଉଛି। ଗୋଠର ୩ଟି ଛେଳି ଜୀବନ୍ତ ଭାବେ ଉଦ୍ଧାର ହୋଇଛନ୍ତି। ସଂଧ୍ୟା ସମୟ ଓ ବାଘ ଭୟ ଥିବାରୁ ପାହଡ଼ ଅଞ୍ଚଳରୁ ଅନ୍ୟ ଛେଳିଗୁଡ଼ିକ ଉଦ୍ଧାର ହୋଇପାରିନାହାନ୍ତି। ୧୧ଟି ଛେଳି କୁଆଡ଼େ ଗଲେ ତାର ଖୋଜଖବର ଏବେବି ମିଳିନାହିଁ। ଏହି ବିଷୟ ଗ୍ରାମବାସୀ ବୋଲଗଡ଼ ବନପାଳଙ୍କୁ ଜଣାଇ ଦେଇଛନ୍ତି।

ପ୍ରକାଶ ଥାଉକି ବିନ୍ଧ୍ୟଗିରୀ ପାହାଡ଼ରେ ଏବେ ଘଞ୍ଚ ସବୁଜିମା ସୃଷ୍ଟି ହୋଇଥିବାରୁ ବହୁ ବନ୍ୟ ଜନ୍ତୁଙ୍କ ବଂଶ ବିସ୍ତାର ଘଟିଛି। ଆଜିର ବାଘ ଆକ୍ରମଣର ସତ୍ୟତା ଅନୁସନ୍ଧାନ କରିବା ପାଇଁ ରବିବାର ବୋଲଗଡ଼ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ ଘଟଣା ସ୍ଥଳକୁ ଯିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର