ବାଘ ଆତଙ୍କ : ଶିମିଳିପାଳ ଅଞ୍ଚଳରେ ପୁଣି ବଳଦ ମାରି ଖାଇଲା

ରାଇରଙ୍ଗପୁର/ବିଶୋଇ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ମହାବଳକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି। ତିନିଦିନ ତଳେ ଉକ୍ତ ଅଞ୍ଚଳରେ ୪ଟି ଗୋରୁଙ୍କୁ ମହାବଳ ମାରିଥିବା ବେ‌ଳେ ୧୪ ତାରିଖରେ ଏକ ହାତୀ ଶାବକ ଶିକାର କରିଥିଲା। ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇ ରହିଥିବା ବେଳେ ଆଜି ପୁଣି ଏକ ବଳଦକୁ ମହାବଳ ବାଘ ମାରି ଖାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିଶୋଇ ରେଞ୍ଜ ବିଦୁ ଭଣ୍ତାର ପିଆର୍‌ଏଫ୍‌ ଦାନ୍ତୁଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ବଳଦଟି ଗତକାଲି ନିକଟସ୍ଥ ଜଙ୍ଗଲକୁ ଚରିବା ପାଇଁ ଯାଇଥିଲା। ଦୀର୍ଘ ସମୟ ଧରି ବଳଦଟି ନ ଫେରିବାରୁ ତାକୁ ଖୋଖୋଜି କରାଯାଇଥିଲା। ଏହି ସମୟରେ ଜଙ୍ଗଲ ମଧ୍ୟରେ ବଳଦଟିର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସଂଗେ ସଂଗେ ବନ ବିଭାଗକୁ ଖବର ଦେଇଥିଲେ ଲୋକେ। ରାଇରଙ୍ଗପୁର ବନଖଣ୍ତ କାର୍ଯ୍ୟାଳୟ ତଥା ବିଶୋଇ ରେଂଜ କାର୍ଯ୍ୟାଳୟର କର୍ମଚାରୀମାନେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବା ସହ ବଳଦର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ବଳଦଟିକୁ ମହାବଳ ମାରି ଖାଇଥିବା ବିଶୋଇ ରେଂଜ ଅଫିସର ପ୍ରଦୀପ ପୃଷ୍ଟି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗାଁ’ଲୋକ ଦେଖିବା ପରେ ସର୍ଚ୍ଚ ଅପରେସନ୍‌ ଜାରି
କୋକସରା : କଳାହାଣ୍ଡି  ଜିଲ୍ଲା ଜୟପାଟଣା ରେଞ୍ଜ ବିମଳା ଗାଁ ନିକଟରେ ଥିବା ଏକ ଶାଖା କେନାଲର ଲଟାବୁଦାରୁ ଏକ ବାଘ  ଲମ୍ଫ ମାରି ଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ବାଘ ଏକ ବୁଦାମୂଳେ ଆଶ୍ରୟ ନେଇଥିବା ଓ କଲରାପତରିଆ ବୋଲି ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ୧୨ ଘଣ୍ଟା ପରେ ମଧ୍ୟ ବାଘଟିକୁ ବନ ବିଭାଗ ଧରିପାରି ନାହିଁ। ସର୍ଚ୍ଚ ଅପରେସନ ଜାରି ରହିଛି। ପୁଲିସ ଓ ଜଙ୍ଗଲ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ବିଟ୍ରାଙ୍କୁଲାଇଜ ଦଳ ନିଶ୍ଚେତକ ମାଧ୍ୟମରେ ବାଘକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରିରଖିଛି। ଅନ୍ୟପକ୍ଷ‌େର, ସ୍ଥାନୀୟ ଅଂଚଳର ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ସତର୍କ କରାଯାଇଛି।

ସମ୍ବନ୍ଧିତ ଖବର