ତିଗିରିଆ : କଟକ ଜିଲ୍ଲା ତିଗିରିଆ ବନଖଣ୍ଡ ଅନ୍ତର୍ଗତ ଭିରୁଡ଼ା ପଞ୍ଚାୟତ ନିକଟ ସୋରିଷପାଳ ଜଙ୍ଗଲରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଆଜି ଏକ ଚିତା ବାଘ ଅତର୍କିତ ଭାବେ ଗାଈ ଗୋଠକୁ ଆକ୍ରମଣ କରି ଗୋଟିଏ ବାଛୁରୀକୁ ମାରି ଖାଇ ଦେଇଛି। ଏହି ଘଟଣା ପରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ସୂଚନା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧୨ଟାରେ ଗ୍ରାମର ଜଣେ ଗାଈ ଚରାଳି ଗୋଠ ନେଇ ସୋରିଷପାଳ ସଂରକ୍ଷିତ ଜଙ୍ଗଲକୁ ଯାଉଥିଲେ। ଏହି ସମୟରେ ଜଙ୍ଗଲରୁ ହଠାତ୍ ଏକ ଚିତା ବାଘ ଅତର୍କିତ ଭାବେ ଗାଈ ଗୋଠ ଉପରେ ଆକ୍ରମଣ କରିବା ସହ ଗାଈ ଚରାଳିଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲା। ସେ ଜୀବନ ବିକଳରେ ଗୋଠ ଛାଡ଼ି ଗ୍ରାମକୁ ଦଉଡ଼ି ପଳାଇ ଯାଇଥିଲେ। ଏହାପରେ ଗୋଠରେ ଥିବା ପ୍ରାୟ ସାଢ଼େ ତିନିବର୍ଷର ଏକ ବାଛୁରୀକୁ ବାଘ ମାରି ଖାଇ ଦେଇଥିବା ଦେଖିବାକୁ ମିଳିଛି। ପ୍ରକାଶଥାଉ କି, ଗତବର୍ଷ ଏହି ଜଙ୍ଗଲରୁ ମାଈ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।