ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବାଘ ଆତଙ୍କ

ଗୋପାଳପୁର : ଆଜି ଅପରାହ୍‌ଣରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ସମେତ ନିକଟବର୍ତ୍ତୀ ଅନ୍ତରବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ନେଇ ପ୍ରଚାର ହେବା ଫଳରେ ଆତଙ୍କର ବାତାବରଣ ଖେଳିଯାଇଛି। ଅନ୍ତରବାଟିଆ ଗାଁର ଜଣେ ବ୍ୟକ୍ତି ବାଘକୁ ଦେଖି ଅନ୍ୟମାନଙ୍କୁ ଜଣାଇଥିଲେ। ଏହି କଥା ପ୍ରଚାର ହେବା ପରେ ଗାଁର କିଛି ଲୋକ ମେଳି ବାନ୍ଧି ଜଙ୍ଗଲ ଆଡ଼କୁ ଯିବା ସମୟରେ ବାଘଟି ଭଞ୍ଜବିହାର କ୍ୟାମ୍ପସ ପରିସର ଆଡ଼କୁ ଚାଲି ଯାଇଥିଲା। ଏଥିନେଇ କିଛି ଲୋକ କ୍ୟାମ୍ପସ ସୁପରଭାଇଜର ମିହିର ତ୍ରିପାଠୀଙ୍କୁ ଅବଗତ କରାଇଥିଲେ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରଶାସନ ପକ୍ଷରୁ କ୍ୟାମ୍ପସ ପରିସରରେ ରହୁଥିବା କର୍ମଚାରୀଙ୍କୁ ଏଥିନେଇ ଅବଗତ କରାଇବା ସହ ରାତ୍ର ସମୟରେ ଚଳପ୍ରଚଳ ବେଳେ ସାବଧାନତା ଅବଲମ୍ବନ କରିବାକୁ କର୍ମଚାରୀଙ୍କୁ ଅବଗତ କରାଯାଇଛି। ଘଟଣାକୁ ନେଇ ଡିଏଫ୍‌ଓ ଅମ୍ଲାନ ନାୟକଙ୍କୁ ଅବଗତ କରାଯାଇଥିଲା। ଡିଏଫ୍‌ଓ ବିଭାଗୀୟ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇବା ସହ ପାଟ୍ରୋଲିଂ ଜାରି ରଖିଥିବା ଜଣାପଡିଛି। ଏ ସଂପର୍କରେ ଡିଏଫଓଙ୍କ ସହ ଯୋଗାଯୋଗ କରାଯିବାରେ ଏହି ଅଞ୍ଚଳରେ ମହାବାଳ ବାଘ ନଥିବା ବେଳେ ହେଟା ବାଘ କିମ୍ବା ଅନ୍ୟ କୌଣସି ପ୍ରଜାତିର ବନ୍ୟଜନ୍ତୁ ବୁଲିଥାଇ ପାରେ ବୋଲି କହିଛନ୍ତି। ଆଜି ରାତିରେ ବନବିଭାଗର ଏକ ଟିମ୍‌ କ୍ୟାମ୍ପସ ପରିସରରେ ଥିବା ଜଙ୍ଗଲରେ ପାଟ୍ରୋଲିଂ କରିବା ସହ ଏହା ଉପରେ ତୀକ୍ଷ୍ମ ନଜର ରଖାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର