ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ରେ ଛଡ଼ାଯିବ ବାଘ

ଚାଲିଛି ବାଘ ଗଣନା, ଲାଗିଛି ହଜାରେ କ୍ୟାମେରା, ଜାନୁଆରିରେ ସାତକୋଶିଆକୁ ଦ୍ବିତୀୟ ପର୍ଯ୍ୟାୟ ବାଘ

ଭୁବନେଶ୍ବର : ସାତକୋଶିଆରେ ସଫଳ ହେବାକୁ ଯାଉଛି ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶରୁ କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ ଓ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ଏବେ ପରସ୍ପରର ନିକଟତର ହେବାରେ ଲାଗିଛନ୍ତି। କୌଣସି ବି ସମୟରେ ପରସ୍ପର ସହ ସମ୍ପର୍କ ସୃଷ୍ଟି ହେବ ବୋଲି ଆକଳନ କରିଛି ବନ ବିଭାଗ। ଏହାର ସଫଳତା ପରେ ଦ୍ବିତୀୟ ପର୍ଯ୍ୟାୟ ବାଘ ଆଣିବାକୁ ଏବେଠାରୁ ଅଣ୍ଟା ଭିଡ଼ିଛି ଜଙ୍ଗଲ ଓ ପରିବେଶ ବିଭାଗ। ପ୍ରଥମ ଯୋଡ଼ି ମିଶିଗଲା ପରେ ଜାନୁଆରି ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟରେ ଆଉ ଗୋଟିଏ ଲେଖାଏ ବାଘ-ବାଘୁଣୀ ଆଣିବାକୁ ଯୋଜନା ଚାଲିଛି। ଯଦି ‘ସୁନ୍ଦରୀ’କୁ ନେଇ ଆଉ କୌଣସି ଅସୁବିଧା ନହୁଏ ତେବେ ଦ୍ବିତୀୟ ପର୍ଯ୍ୟୟ କାର୍ଯ୍ୟକ୍ରମ ଆରମ୍ଭ ହେବ।

ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ୍‌ ପରେ ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ରେ ବାଘ ଛାଡ଼ିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନ ମୁଖ୍ୟ ବନ ସ˚ରକ୍ଷକ(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି। ତାଙ୍କ କହିବାନୁଯାୟୀ ଆମେ ଏବେ ସାତକୋଶିଆ ଉପରେ ଅଧିକ ଧ୍ୟାନ ଦେଉଛୁ। ସେଠାରେ ସଫଳତା ମିଳିଛି। ମହାବଳ ସହ ସାତକୋଶିଆରେ ଆଗରୁ ଥିବା ବାଘୁଣୀର ସମ୍ପର୍କ ସୃଷ୍ଟି ହୋଇଥିବାରୁ ନୂଆବର୍ଷ ସୁଦ୍ଧା ଖୁସି ଖବର ମିଳିବ। ତେଣୁ ଏବେ ସୁନ୍ଦରୀ ଉପରେ ଅଧିକ ନଜର ରଖାଯାଇଛି। ସାତକୋଶିଆର କୋର ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା, ସେମାନଙ୍କୁ ବାସଗୃହ ଯୋଗାଇଦେବା, ବାଘ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଜଙ୍ଗଲ ଭିତରୁ ଗାଁଗୁଡ଼ିକୁ ବାହାରକୁ ଆଣି ସେଠାରେ ଜଙ୍ଗଲ ସୃଷ୍ଟି ଉପରେ ପ୍ରାଥମିକତା ଦେଉଛୁ। ଏଥିପାଇଁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଯିବ।

ଅନ୍ୟପକ୍ଷରେ ଏବେ ସାରା ରାଜ୍ୟରେ ବାଘ ଗଣନା ଜାରି ରହିଛି। ଯେଉଁ ଜଙ୍ଗଲରେ ବାଘ ଦେଖାଯାଉଛନ୍ତି ସେଠାରେ ଅଧିକ କ୍ୟାମେରା ଲାଗୁଛି। ଏକ ହଜାରରୁ ଅଧିକ କ୍ୟାମେରା ଲଗାଯାଇ ବାଘ ଗଣନା ଚାଲିଛି। ଯେଉଁ ଜଙ୍ଗଲରେ ନୂଆ ପ୍ରଜାତି କିମ୍ବା ବାଘ କ୍ୟାମେରାରେ କଏଦ ହେଉଛି ସେଠାରେ ଅଧିକ କ୍ୟାମେରା ଲଗାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଦେବ୍ରିଗଡ଼ ଜଙ୍ଗଲରେ ବାଘ ଦେଖାଯାଇଛି। ମୁନିଗୁଡ଼ାରେ ବାଘ ଥିବା ନେଇ ସୂଚନା ମିଳିଛି। ଲୋକେ ଖବର ଦେବା ପରେ ସେଠାରେ କ୍ୟାମେରା ଲଗାଯାଇ ନଜର ରଖାଯାଇଛି। କରଳାପାଟରେ ବାଘ ଥିବା ନେଇ ଏବେ ଖବର ଆସିଛି। ତାହା ବାଘ କିମ୍ବା ହେଟାବାଘ ସ୍ପଷ୍ଟ ହୋଇନାହିଁ। ଏନେଇ ଚିହ୍ନଟ ପ୍ରକ୍ରିୟା ଚାଲିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୪-୧୫ରେ ଡେରାଡୁନ୍‌ର ଵାଇଡ୍‌ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ(ଡବ୍ଲୁଆଇଆଇ) ପକ୍ଷରୁ କ୍ୟାମେରା ଟ୍ରାପ୍‌ ପ୍ରଦ୍ଧତିରେ ଗଣାଯାଇଥିଲା। ସେତେବେଳେ ୨୮ଟି ବାଘ ଥିବା ଜଣାପଡ଼ିଥିଲା। ଏହାକୁ କିନ୍ତୁ ରାଜ୍ୟ ସରକାର ଗ୍ରହଣ କରି ନଥିଲେ। ୨୦୧୫-୧୬ରେ ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ କ୍ୟାମେରା ଟ୍ରାପ୍‌ ଓ ପାଦଚିହ୍ନ ପଦ୍ଧତିରେ ଗଣନା କରିବା ପରେ ରାଜ୍ୟରେ ୪୦ଟି ବାଘ ଥିବା ସ୍ପଷ୍ଟ ହୋଇଥିଲା।

ଏବେ ଚାଲିଥିବା ଗଣନାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବହୁତ ଆଶାବାଦୀ ରହିଛନ୍ତି। ତାଙ୍କ କହିବା କଥା ହେଲା ବାଘ ସ˚ଖ୍ୟା ଓଡ଼ିଶାରେ ବଢ଼ୁଛି। ବିରଳ ପ୍ରଜାତିର ବାଘ ଚିହ୍ନଟ ହେଉଛି। ଶିମିଳିପାଳରେ ମେଲାନିଷ୍ଟିକ୍‌ ପ୍ରଜାତିର ବାଘ ଦେଖାଦେବା ବିରଳ ଘଟଣା। କେତେକ ଜଙ୍ଗଲରେ ଏବେ ବାଘ ଚିହ୍ନଟ ହେଉଛି। ତେଣୁ ଏଥର ବାଘଙ୍କ ସ˚ଖ୍ୟା ୬୦ ଟପିଯିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର