ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦ୍ରୁତଗତିରେ ଜଙ୍ଗଲ କ୍ଷୟ ହେଉଥିବା ଯୋଗୁଁ ବାଘ ବଂଶ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ଓ ଶିକାର ଯୋଗୁ ବାଘବଂଶ ଲୋପ ପାଉଥିବା ପରିବେଶବିତ୍ ମତ ରଖିଛନ୍ତି।
ବନବିଭାଗ ପକ୍ଷରୁ କରାଯାଇଥିବା ବ୍ୟାଘ୍ର ଗଣନାରେ ଉତ୍ତର ବନଖଣ୍ଡରେ କୌଣସି ବାଘ ନଥିବା ବେଳେ କେବଳ ଚିତାବାଘ ଥିବା ଜଣାପଡ଼ିଛି। ସେହିପରି, ଦକ୍ଷିଣ ବନଖଣ୍ଡରେ ବ୍ୟାଘ୍ର ଗଣନାରେ ମାତ୍ର ଗୋଟିଏ ବାଘ ଏବଂ ୪୬ଟି କଲରାପତରିଆ ବାଘ ଥିବା ସୂଚନା ମିଳିଛି। ବର୍ତ୍ତମାନ ଏହି ଚିତାବାଘ ବଂଶ ମଧ୍ୟ ଲୋପ ପାଇବାକୁ ଯାଉଛି। ଛତିଶଗଡ଼ର ଉଦନ୍ତୀ ସୀତାନଦୀ ବାଘ ଅଭୟାରଣ୍ୟ ଏବଂ ଓଡ଼ିଶାର କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ବାଘ ଶିକାର କରି ବାଘ ଛାଲ, ନଖ ଛତିଶଗଡ଼ ଓ ମହାରାଷ୍ଟ୍ରର ମୁମ୍ବାଇକୁ ବାଘଛାଲ ଚାଲାଣ ହେଉଛି। ତଥ୍ୟ ଅନୁସାରେ, କଳାହାଣ୍ଡି ଜିଲ୍ଲାରେ କେବଳ ଉତ୍ତର ବନଖଣ୍ଡ ଡିଭିଜନରେ ଗତ ୨୦୦୫ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଶିକାରୀ ଓ ତସ୍କର ଅଭିଯୋଗରେ ୭୭ ଜଣ ଗିରଫ ହୋଇ ସାରିଛନ୍ତି। ବାଘ ସଂଖ୍ୟା ହ୍ରାସ ପଛରେ ଏହା ଏକ ଜ୍ବଳନ୍ତ ଉଦାହରଣ ବୋଲି କୁହାଯାଉଛି।