ବାରିପଦା: ମହାରାଷ୍ଟ୍ରର ତଡ଼ୋବା ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳ ଆସିଥିବା ବାଘୁଣୀ ‘ଯମୁନା’ ନିଜର ପ୍ରଥମ ଶିକାର କରିଛି। ଶିମିଳିପାଳର କୋର୍‌ ଏରିଆ ଭିତରେ ସ୍ବତନ୍ତ୍ର ଏନ୍‌କ୍ଲୋଜର୍‌ରେ ରହୁଥିବା ଯମୁନା ଗୁରୁବାର ଦିନ ଏକ ବାର୍‌ହା ଶିକାର କରି ଖାଇଛି। ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ଯୋଗ ଦୟାନନ୍ଦଙ୍କ କହିବା ଅନୁସାରେ; ଯମୁନା ରହୁଥିବା ଏନ୍‌କ୍ଲୋଜର୍‌ ଭିତରେ ଏକ ହରିଣ ଓ ଏକ ବାର୍‌ହା ଛଡ଼ାଯାଇଥିଲା। ଯମୁନା ବାର୍‌ହାଟିକୁ ଶିକାର କରିଥିବା ବେଳେ ଏବେ ହରିଣ ପଛରେ ପଡ଼ିଛି। ବାଘୁଣୀ ଧୀରେ ଧୀରେ ନୂଆ ପରିବେଶ ସହ ନିଜକୁ ଖାପ ଖୁଆଉଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି।

Advertisment

ଏନ୍‌କ୍ଲୋଜର୍‌ରୁ ବାହାରି‌ଲେ ଖୋଜିବ ସାଥୀ
ଅନ୍ୟ ବାଘଙ୍କ ସହ ହୋଇପାରେ ଲଢ଼େଇ

ସୂଚନାଯୋଗ୍ୟ; ଓଡ଼ିଶାର ଶିମିଳିପାଳରେ ଏବେ ରାଜ୍ୟର ୯୦ ପ୍ରତିଶତ ବାଘ ଥିବା ବେଳେ ଏଠାରେ କିନ୍ତୁ ମହାବଳଙ୍କ ରଙ୍ଗ ଅସ୍ବାଭାବିକ ଭାବେ ଦିନକୁ ଦିନ କଳା ପଡ଼ିଯାଉଛି। ଗବେଷଣା ପରେ ଏହା ଏକ ଜେନେଟିକ୍‌ ଡାଇଭର୍‌ସିଟି ବୋଲି କୁହାଯାଉଛି। ମହାବଳ ନିଜବର୍ଗର ବାଘଙ୍କ ପରିଧି ବାହାରକୁ ଯାଇ ପ୍ରଜନନ କରିବା ଦ୍ୱାରା ଏଭଳି ଜନ୍ମ ସମ୍ୱନ୍ଧୀୟ ଅସାମଞ୍ଜସ୍ୟ ଦେଖାଦିଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। କେବଳ ବାଘ ନୁହେଁ, ଅନ୍ୟ ପ୍ରାଣୀଙ୍କ କ୍ଷେତ୍ରରେ ବି ଏହି ପରିବର୍ତ୍ତନ ଦେଖାଯାଇଥାଏ। ଶିମିଳିପାଳରେ ଥିବା ବାଘବଂଶର ଅନୁବଂଶୀୟ ବିବିଧତା, ଗୁଣବତ୍ତାରେ ଉନ୍ନତି ଏବଂ ଲିଙ୍ଗଗତ ଅସଙ୍ଗତିକୁ ଦୂର କରିବା ପାଇଁ ‘ଯମୁନା’କୁ ଅଣାଯାଇଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଲା, ଯମୁନାକୁ ଏନ୍‌କ୍ଲୋଜର୍‌ରୁ ବାହାର କରି ଜଙ୍ଗଲରେ ଛାଡ଼ିବା ପରେ ସେ ନିଜ ପାଇଁ ସାଥୀ ଖୋଜିବ। ଏହି ସମୟରେ ଶିମିଳିପାଳରେ ରହିଥିବା ପୁରୁଷ ମହାବଳ ବାଘ ଓ ଯମୁନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇପାରେ। ଲଢ଼େଇରେ ଯମୁନା ପରାସ୍ତ ହେଲେ ଯାଇ ପୁରୁଷ ମହାବଳକୁ ନିଜ ସହ ପ୍ରଜନନ ପାଇଁ ଅନୁମତି ଦେବ।