ବନ୍ତଳା : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୁଲାଙ୍ଗୀ ଗାଁରେ ଦୁଇଟି କଲରାପତରିଆ ବାଘ ଶିକାର ଘଟଣାର ଦୁଇ ଶିକାରୀ ଠାବ ହୋଇଛନ୍ତି। ତେବେ, ଦୁଇ ଶିକାରୀଙ୍କୁ ବାନ୍ଧିବା ପାଇଁ ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରାୟ ୯ଘଣ୍ଟା କାଳ ଛକାପଞ୍ଝା ଲାଗିଥିଲା। ଶେଷରେ, ପୁଲିସ ଟିମ୍‌ ନେଇ ସାତକୋଶିଆ କର୍ତ୍ତୃପକ୍ଷ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିବାରେ ସଫଳ ହୋଇଛନ୍ତି। ସେମାନଙ୍କ ନାଁ ସୁଶୀଳ ଦେହୁରୀ ଓ ପ୍ରଶାନ୍ତ ଦେହୁରୀ ବୋଲି ଜଣାପଡ଼ିଛି।

Advertisment

ରବିବାର ସକାଳ ପ୍ରାୟ ୬ଟା ବେଳେ ପୁରୁଣାକୋଟ୍‌ ଥାନା ପୁଲିସକୁ ନେଇ ସାତକୋଶିଆ ବନଖଣ୍ଡର ଏସିଏଫ୍‌ ଶୁଭେନ୍ଦୁ ବେହେରା, ପମ୍ପାସର ରେଞ୍ଜର ସୁଦୀପ୍ତା ମହାପାତ୍ର, ପୁରୁଣାକୋଟ୍ ଥାନା ଏସ୍‌ଆଇ ଅଜୟ କୁମାର ସାହୁ ପ୍ରମୁଖ ଗାଁରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଘରୁ ଉଠାଇ ଆଣିଥିଲେ। ଗାଡ଼ିରେ ଦୁଇ ଅଭିଯୁକ୍ତଙ୍କୁ ବସାଇବା କ୍ଷଣି ଗାଁର ସବୁଲୋକେ ଠୁଳ ହୋଇଥିଲେ। ବାଘ ମୃତ୍ୟୁ ଘଟଣାରେ ଯେଉଁଠି ଗାଁ ଲୋକଙ୍କ ଜଣଙ୍କର ବି ଦେଖା ମିଳି ନ ଥିଲା, ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କଲାବେଳେ ସେଇଠି ପୂରା ଗାଁ ଏକଜୁଟ୍‌ ହୋଇଥିଲା। ବନ ବିଭାଗ ଉଠାଇ ନେଉଥିବା ଦୁଇ ଯୁବକ ନିର୍ଦ୍ଦୋଷ ବୋଲି ଗାଁ ଲୋକେ କହିଥିଲେ। ନିର୍ଦ୍ଦୋଷଙ୍କୁ ଛାଡ଼ି ଦୋଷୀଙ୍କୁ ବାନ୍ଧ ବୋଲି ଗାଁ ମହିଳାମାନେ ନାରା ଦେଇଥିଲେ। ଗାଁ ମହିଳାମାନେ ପୁଲିସ ଓ ବନ ବିଭାଗର ବାଟ ଓଗାଳିଥିଲେ। ଗାଁ ପ୍ରବେଶ ପଥରେ ଠେଙ୍ଗା ବାଡ଼ିଧରି ମହିଳାମାନେ ପୁଲିସକୁ ଜଗି ରହିଥିଲେ। ଘଟଣାକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଥିଲା। ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପୁଜି ଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁଗୁଳ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ସିଂହଙ୍କୁ ମାଜିଷ୍ଟ୍ରେଟ୍ ହିସାବରେ ଗାଁକୁ ପଠାଇଥିଲା। ସାତକୋଶିଆ ଡିଏଫ୍‌ଓ ଡ. ସରୋଜ ପଣ୍ଡା, ପୁରୁଣାକୋଟ୍ ଥାନା ଅଧିକାରୀ ଆଶିଷ ଜେନା ପ୍ରମୁଖ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ, ଗାଁଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ବହୁ ବୁଝାସୁଝା ପରେ ଗାଁ ଲୋକେ ଦୁଇ ଅଭିଯୁକ୍ତକୁ ବନ ବିଭାଗ ସହ ଛାଡ଼ିଛନ୍ତି।

ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିବା ପାଇଁ ସକାଳ ଛଅ ଠାରୁ ଅପରାହ୍ନ ତିନିଟା ଯାଏ ଗାଁରେ ଲାଗି ରହିଥିବା ଉତ୍ତେଜନା ଚର୍ଚ୍ଚାର ବିଷୟ ହୋଇଛି। ଏ ପ୍ରସଙ୍ଗରେ ସାତକୋଶିଆ ଡିଏଫ୍‌ଓ ଶ୍ରୀ ପଣ୍ଡା କହିଛନ୍ତି, ବାଘ ମୃତ୍ୟୁ ଘଟଣାରେ ଯିଏ ବି ଦାୟୀ ତାଙ୍କୁ ନିଶ୍ଚିତ ଗିରଫ କରାଯିବ। ଲୋକଙ୍କୁ ବୁଝାସୁଝା କରାଯାଇ ଦୁଇ ଜଣଙ୍କୁ ଅଣାଯାଇଛି। ପଚରାଉଚରା କଲା ପରେ ହିଁ ବାଘ ମୃତ୍ୟୁ ଘଟଣା ଉପରୁ ରହସ୍ୟ ଖୋଲିବ ବୋଲି ଡ. ପଣ୍ଡା କହିଛନ୍ତି।