ବନ୍ତଳା : ଭାରତରେ ଥିବା ୫୪ଟି ବ୍ୟାଘ୍ର ପ୍ରକଳ୍ପ ମଧ୍ୟରୁ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅନ୍ୟତମ। ୨୦୦୭ ମସିହାରେ ସ୍ବୀକୃତି ପାଇଥିବା ଏହା ରାଜ୍ୟର ଦ୍ବିତୀୟ ବ୍ୟାଘ୍ର ପ୍ରକଳ୍ପ। ସେତେବେଳେ ସାତକୋଶିଆରେ ୧୮ଟି ମହାବଳ ଏବଂ ୩୨ କଲରାପତରିଆ ବାଘ ଥିବା ରେକର୍ଡ କରାଯାଇଥିଲା। ଏଥିରୁ ସାତକୋଶିଆ ବନଖଣ୍ଡରେ କେବଳ ୧୧ଟି ମହାବଳ ଥିବାବେଳେ ମହାନଦୀ ବନଖଣ୍ଡରେ ୭ଟି ଥିଲେ। ବାଘ ପ୍ରକଳ୍ପ ଘୋଷଣା ପରେ ସାତକୋଶିଆକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ମିଳିଲା ଏବଂ ବାଘ, ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଯୋଜନା କରାଯିବା ସହ ସ୍ବତନ୍ତ୍ର ଭାବେ ଅନୁଦାନ ବି ଆସିଲା। ହେଲେ ଉଦ୍ବେଗର ବିଷୟ ହେଲା; ଏହି ୧୫ବର୍ଷ ମଧ୍ୟରେ ସାତକୋଶିଆ ମହାବାଳ ଶୂନ୍ୟ ହୋଇଗଲା। ୧୮ଟି ଭିତରୁ ସାତକୋଶିଆରେ ଆଉ ଗୋଟିଏ ବି ମହାବଳ ବାଘ ନାହାନ୍ତି। ଅନ୍ୟପଟେ ଯେଉଁ ପ୍ରସଙ୍ଗଟି ପରିବେଶବିତ୍ଙ୍କୁ ଚିନ୍ତାରେ ପକାଇଛି, ତାହା ହେଲା ଏହି ଜଙ୍ଗଲରେ ଥିବା କଲରାପତରିଆ ବାଘଙ୍କ ପ୍ରତି ବିପଦ ବଢ଼ିଯାଇଛି। ଗଲା ଚାରିବର୍ଷ ମଧ୍ୟରେ ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆଙ୍କ ସଂଖ୍ୟା ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି। ହେଲେ ନିୟମିତ ବ୍ୟବଧାନରେ କଲରାପତରିଆଙ୍କୁ ହତ୍ୟା କରାଯାଉଛି। ନିକଟରେ ଦୁଇ ଦୁଇଟି କଲରା ପତରିଆଙ୍କୁ ହତ୍ୟା ପରେ ସାତକୋଶିଆର ବାଘ ପ୍ରସଙ୍ଗକୁ ନେଇ ବୁଦ୍ଧିଜୀବୀଙ୍କ ଠାରୁ ପରିବେଶବିତ୍, ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସବୁ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
ସ୍ମରଣଥାଉକି, ସାତକୋଶିଆରେ ବାଘ ବଂଶବୃଦ୍ଧି ପାଇଁ ୨୦୧୮ ମସିହାରେ ଜାତୀୟସ୍ତରରେ ପଦକ୍ଷେପ ନିଆଯାଇଥିଲା। ୬ଟି ମାଈ ଓ ଅଣ୍ଡିରା ବାଘ ଅଣାଯିବାର ଯୋଜନା କରାଗଲା ଏବଂ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ମହାବଳ ବାଘୁଣୀ ଓ ଗୋଟିଏ ଅଣ୍ଡିରା ବାଘ ଅଣାଯାଇ ସାତକୋଶିଆ ଜଙ୍ଗଲରେ ଛଡ଼ାଯାଇଥିଲା। କିନ୍ତୁ, ବିଭାଗୀୟ ବାଘ ପରିଚାଳନା ଏମିତି ହେଲା ଯେ କେଇଟା ଦିନ ମଧ୍ୟରେ ଅଣ୍ଡିରା ମହାବଳ ‘ମହାବୀର ଶିକାରୀ ଫାଶରେ ପଡ଼ି ପ୍ରାଣ ହରାଇଲା। ଏ ଘଟଣା ପରେ ମାଈ ବାଘୁଣୀ ‘ସୁନ୍ଦରୀ ବିବାଦରେ ଛନ୍ଦି ହୋଇ ନିଜ ଜନ୍ମମାଟି ମଧ୍ୟପ୍ରଦେଶକୁ ଫେରିଗଲା।
ଏହା ପରେ ସାତକୋଶିଆରେ ବଞ୍ଚି ରହିଥିଲା ଏକମାତ୍ର ବୁଢ଼ୀ ବାଘୁଣୀ। ପ୍ରାୟ ବର୍ଷେ ହେଲାଣି, ତାର ବି କୌଣସି ପତ୍ତା ନାହିଁ। ୨୦୨୧ ନଭେମ୍ବର ମାସରେ ଏକ ବାଘ ନୂଆକ୍ଷେତା ଜଙ୍ଗଲରେ ମରିପଡ଼ିଥିବା ଖବର ପ୍ରଚାରିତ ହୋଇଥିଲା। ସେବେଠାରୁ ସାତକୋଶିଆ ଜଙ୍ଗଲରେ ବାଘୁଣୀ ଥିବାର କିଛି ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରମାଣ ମିଳିନାହିଁ। ଏହି ବାଘୁଣୀ ଶିକାରୀଙ୍କ ଗୁଳିରେ ମରିଥିବା ସାଧାରଣରେ ଆଲୋଚନା ହେଉଥିବାବେଳେ ବନ ବିଭାଗ ଏ ସଂପର୍କରେ ଏବେ ବି ନିରବ ରହିଛି।
/sambad/media/post_attachments/wp-content/uploads/2022/06/leopard.jpg)
ଏପଟେ ମହାବଳ ବାଘଙ୍କ ଅନୁପସ୍ଥିତିରେ ଶିକାରୀଙ୍କ ନଜର କଲରାପତରିଆ ବାଘ ଉପରେ ପଡ଼ିଛି। ଗତ ଜୁନ୍ ମାସରେ ଏକ କଲରାପତରିଆ ବାଘ ଗୋପାଳପୁରଠାରେ ଶିକାରୀଙ୍କ ଫାଶରେ ପଡ଼ିଥିବା ଜଣାପଡ଼ିଥିଲା। ବନ ବିଭାଗ ଏହାକୁ ଉଦ୍ଧାର କରିପାରି ନଥିଲା। ନିକଟରେ ପମ୍ପାସର ରେଞ୍ଜ ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମ ପାଖରେ ୨ଟି କଲରାପତରିଆ ବାଘର ମୃତଦେହ ଠାବ ହୋଇଛି। ବାଘ ୨ଟା ମାଆ ଓ ଛୁଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପ୍ରାୟ ୧୦ଦିନ ପୂର୍ବରୁ ବାଘ ଦୁଇଟିର ମୃତ୍ୟୁ ଘଟିଥିବାବେଳେ ବନ ବିଭାଗ ଅଧିକାରୀମାନେ ଏହା ଜାଣି ନପାରିବା ଘଟଣା ବିଭାଗର କାର୍ଯ୍ୟ ଦକ୍ଷତାକୁ କାଠଗଡ଼ା ଭିତରକୁ ଟାଣି ଆଣିଛି।
ବାଘ କିମ୍ବା କଲରାପତରିଆ ବାଘର ମୃତଦେହ ଠାବ ହେଲେ ତାହାକୁ ବ୍ୟବଚ୍ଛେଦ ଓ ଦାହ କରିବା ନିୟମ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଜାରି କରିଛନ୍ତି। ଅତି କମ୍ରେ ଜଣେ ବନ ସଂରକ୍ଷକ ପାହ୍ୟାର ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶବ ବ୍ୟବଚ୍ଛେଦ ଓ ଦାହ କରାଯିବା ବ୍ୟବସ୍ଥା ରହିଛି। ଦୁଇଜଣ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉପସ୍ଥିତିରେ ଦୁଇଜଣ ପ୍ରାଣୀଚିକିତ୍ସକ ଓ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଲୋକଙ୍କୁ ନେଇ ଏହି କାର୍ଯ୍ୟ ହେବା ବିଧେୟ। ପୂର୍ବରୁ ସାତକୋଶିଆରେ ଅଣ୍ଡିରା ମହାବୀର ବାଘର ମୃତ୍ୟୁ, ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଏହି ଗାଇଡଲାଇନ୍ କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ, କୁଲାଙ୍ଗୀରେ ୨ଟି କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ଏନ୍ଟିସିଏ ଗାଇଡଲାଇନ୍ ପାଳନ କରାଯାଇ ନାହିଁ। ବାଘକୁ ଦାହ କରାଯିବା ସମୟରେ କୌଣସି ସ୍ବେଚ୍ଛାସେବୀ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ କାହିଁକି ଡକାଗଲା ନାହିଁ, ସେନେଇ ବି ସନ୍ଦେହ ଉପୁଜିଛି।
ଆଉ କେତେ ବାଘଙ୍କ ମୃତ୍ୟୁ ହେଲେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓ ସଚିବ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଚେତିବେ?