ଶିମିଳିପାଳ ଜାତୀୟ ଉଦ୍ୟାନ: ୧୩ ବର୍ଷରେ ୭୩ ବାଘ ଗଲେ କୁଆଡ଼େ?
ଦେଖିବା ଦୂରେ ଥାଉ, ବାଘ ଗର୍ଜନ ଶୁଣିବା ଏବେ ବଡ଼ କଥା
୨୦୦୬ରେ ଥିଲେ ୧୦୧, ୨୦୧୯ରେ ୨୮
ଆଉ ମାସକ ପରେ ଆସିବ ବାଘ ଗଣନା ରିପୋର୍ଟ
Sambad is now on WhatsApp
Join and get latest news updates delivered to you via WhatsApp
ବାରିପଦା : ଜୈବ ବିବିଧତାରେ ପରିପୂର୍ଣ୍ଣ ଶିମିଳିପାଳ ଜାତୀୟ ଉଦ୍ୟାନର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେଉଛି ବ୍ୟାଘ୍ର ପ୍ରକଳ୍ପ। ଉତ୍ତରାଖଣ୍ଡସ୍ଥିତ ଜିମ୍ କରବେଟ୍ ଜାତୀୟ ଉଦ୍ୟାନ ପରେ ଏହା ଭାରତବର୍ଷର ଦ୍ବିତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ଯେଉଁଠାରେ ଅଧିକ ସଂଖ୍ୟାରେ ବାଘ ଦେଖାଯାଆନ୍ତି। ଏକଦା ମହାବଳ ବାଘ ପାଇଁ ସାରା ଦେଶରେ ନାଁ କମେଇଥିବା ଶିମିଳିପାଳରେ ବର୍ତ୍ତମାନ ବାଘ ଦେଖିବା ପର୍ଯ୍ୟଟକଙ୍କ ପାଇଁ ଭାଗ୍ୟର କଥା।
୨୦୦୬ ମସିହା ବାଘ ଗଣନାରେ ଶିମିଳିପାଳରେ ୧୦୧ଟି ବାଘ ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୨୮କୁ ଖସିଆସିଥିଲା। ଚଳିତବର୍ଷ କ୍ୟାମେରା ଟ୍ରାପିଂ, ପଗ୍ ମାର୍କ ବା ପାଦଚିହ୍ନ ପଦ୍ଧତିରେ ବାଘ ଗଣନା ସରିଥିବାବେଳେ ଏହି ରିପୋର୍ଟକୁ ଅନେଇ ବସିଛନ୍ତି ବନ୍ୟପ୍ରେମୀ। ଶିମିଳିପାଳରେ ବାଘ ବଢ଼ିଛନ୍ତି ନା କମିଛନ୍ତି, ସେ ସଂପର୍କରେ ଜାଣିବା ପାଇଁ ରାଜ୍ୟବାସୀଙ୍କର ମଧ୍ୟ ଉତ୍କଣ୍ଠା ରହିଛି। ତେବେ ଗଲା ୧୩ ବର୍ଷ ଭିତରେ ଏଠାରେ ବାଘସଂଖ୍ୟା ଏତେ କମିଯିବାର କାରଣ କଣ? ଶିକାରୀଙ୍କ ଦୌରାତ୍ମ୍ୟ, ବନ ବିଭାଗର ଅପାରଗତା ନା ପରିବେଶ ଅସନ୍ତୁଳନ; ଏମିତି ଅନେକ ପ୍ରଶ୍ନକୁ ନେଇ ଲୋକଙ୍କର ଜିଜ୍ଞାସା ରହିଛି। ଏବେ ବି ଦେଶ ବିଦେଶରୁ ବହୁସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି କେବଳ ବାଘ ଦେଖିବା ପାଇଁ। କିନ୍ତୁ ବାଘର ଗର୍ଜନ ଶୁଣିବା ମଧ୍ୟ ଏଠାରେ ବଡ଼କଥା। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସହିତ ବାଘବଂଶ ବୃଦ୍ଧି ପାଇଁ ସରକାର ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ବାସ୍ତବତା କିଛି ଅଲଗା ବୋଲି କୁହାଯାଉଛି।
୧୯୭୩ ମସିହାରେ ତତ୍କାଳୀନ ବନ୍ୟଜନ୍ତୁ ସଂରକ୍ଷକ ଡ.ସରୋଜରାଜ ଚୌଧୁରୀ (ବାଘରାଣୀ ଖଇରୀର ପାଳନକର୍ତ୍ତା)ଙ୍କ ଉଦ୍ୟମକ୍ରମେ ଶିମିଳିପାଳ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାବେ ଘୋଷଣା କରିଥିଲେ ସରକାର। ସେହି ବର୍ଷଠାରୁ ଅଭୟାରଣ୍ୟରେ ବିଧିବଦ୍ଧ ଭାବେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୭୩ରୁ ଆଜି ପର୍ଯ୍ୟନ୍ତ ବାଘ ଗଣନା ଜାରି ରହିଥିବାବେଳେ ୨୦୦୮ ଏପ୍ରିଲ ମାସରେ ଶିମିଳିପାଳକୁ ଶତପ୍ରତିଶତ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ ସରକାର। ୨୭୫୦ ବର୍ଗ କିଲୋମିଟର ଯାଏ ଲମ୍ବିଥିବା ଏସିଆ ମହାଦେଶର ସର୍ବବୃହତ ଏହି ଜୈବମଣ୍ଡଳ ଅଞ୍ଚଳକୁ ୟୁନେସ୍କୋ ମାନ୍ୟତା ମଧ୍ୟ ମିଳିଛି। ପ୍ରତିବର୍ଷ କେନ୍ଦ୍ର ସରକାର ଏହି ଅଭୟାରଣ୍ୟରେ ୫ରୁ ୬ କୋଟି ଟଙ୍କା କେବଳ ବ୍ୟାଘ୍ର ସଂରକ୍ଷଣ ବାବଦରେ ଖର୍ଚ୍ଚ କରୁଛନ୍ତି। ଗତ ୧୩ ବର୍ଷ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି। ତେବେ ବ୍ୟାଘ୍ର ସଂରକ୍ଷଣ ପାଇଁ ସରକାର ଯେମିତି ହାତଖୋଲା ଖର୍ଚ୍ଚ କରୁଛନ୍ତି, ଠିକ୍ ସେମିତି ବାଘସଂଖ୍ୟା ହ୍ରାସ ପାଇଁ କେଉଁମାନେ ଦାୟୀ ଓ ବାଘ ସଂରକ୍ଷଣ ପ୍ରକଳ୍ପ ଫେଲ୍ ମାରିବାର କାରଣ କଣ; ସେ ବାବଦରେ ମଧ୍ୟ ଗୁରୁତ୍ବର ସହ ବିଚାର କରିବା କଥା ବୋଲି ପରିବେଶବିତମାନେ ମତ ରଖିଛନ୍ତି।