ଓଡ଼ିଶାରେ ବାଘ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ : ୨୮ ନା ୬୦ରୁ ଅଧିକ?

୪ ବର୍ଷରେ ବାଘ ନ ବଢ଼ିବା କାରଣ କ’ଣ?, ପୁଣିଥରେ ଗଣନା କରିବେ ରାଜ୍ୟ ସରକାର

ଭୁବନେଶ୍ବର : ଓଡ଼ିଶାରେ କେତେ ବାଘ? ୨୦୧୪ରେ ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା ୨୮ ଥିଲା। ଆଉ ୪ ବର୍ଷ ପରେ ୨୦୧୮ରେ ମଧ୍ୟ ‌ସେତିକି। ଗୋଟିଏ ବି ହେଲେ ବାଘ ବଢ଼ିନାହାନ୍ତି କି କମିନା‌ହାନ୍ତି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି। ଏଭଳି ତଥ୍ୟକୁ ନେଇ ପରିବେଶବିତ୍‌ମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ରିପୋର୍ଟରେ କେତେ ସତ୍ୟତା ରହିଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଦୁଇ ବର୍ଷ ହେଲା ରାଜ୍ୟରେ ବାଘଙ୍କ ସଂଖ୍ୟା ବଢ଼ିଥିବା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଓ ସଚିବ ବାରମ୍ବାର ‌କହୁଥିବା ବେଳେ ଆଜିର ଜାତୀୟ ‌ରିପୋର୍ଟକୁ ନେଇ ଏବେ ଦ୍ବନ୍ଦ୍ବ ପ୍ରକାଶ ପାଇଛି।

ଗତ ୪ ବର୍ଷ ମଧ୍ୟରେ ଦେଶରେ ୭୪୧ଟି ବାଘ ବଢ଼ିଛନ୍ତି। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆସାମ ପରି ରାଜ୍ୟରେ ବାଘଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି। ତେବେ ଓଡ଼ିଶାରେ ବାଘ ସଂଖ୍ୟା ସ୍ଥିର ରହିଥିବା ବେଳେ ଛତିଶଗଡ଼ରେ ବାଘଙ୍କ ସଂଖ୍ୟା ୪୬ରୁ ୧୯କୁ ଖସି ଆସିଛି। ଆନ୍ଧ୍ରପ୍ରଦେଶରେ ମଧ୍ୟ ବାଘଙ୍କ ସଂଖ୍ୟା ୬୮ରୁ ୪୮କୁ ଖସି ଆସିଛି। ତେଲେଙ୍ଗାନାରେ ପ୍ରଥମ ଥର ପାଇଁ ୨୬ଟି ବାଘ ଚିହ୍ନଟ କରାଯାଇଛି। ୨୦୦୬ରେ ପ୍ରୋଜେକ୍ଟ ଟାଇଗର ପୁନର୍ଗଠନ ହେବା ପରେ ଏହା ହେଉଛି ୪ର୍ଥ ଗଣନା ରିପୋର୍ଟ। ପୂର୍ବରୁ ଅନୁଷ୍ଠିତ ୩ ଥର ଗଣନାରେ ଲଗାତାର ଭାବେ ଓଡ଼ିଶାରେ ବାଘଙ୍କ ସଂଖ୍ୟା କମୁଥିଲା। ୨୦୦୬ ଗଣନା‌ ବେଳେ ଓଡ଼ିଶାରେ ୪୫ଟି ବାଘ ଥିବା ଜଣାପଡ଼ିଥିଲା। ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସି ଆସିଥିବାବେଳେ ୨୦୧୪ରେ ୨୮କୁ ହ୍ରାସ ପାଇଥିଲା। ତେବେ ଏଥର ସ୍ଥିର ରହିବା କିଛିଟା ଆଶ୍ବସ୍ତି ଆଣି ଦେଇଛି ସତ, କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ରାଜ୍ୟ ସରକାର।

ସବୁଠାରୁ ବଡ଼ କଥା ହେଉଛି ଯେ ଆଜିକୁ ଠିକ୍‌ ୧୦ ମାସ ତଳେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ ଯେ ଓଡ଼ିଶାରେ ବାଘ ବଢ଼ିଛନ୍ତି। ଶିମିଳିପାଳ କି ସାତକୋଶିଆ ନୁହେଁ, ରାଜ୍ୟର କିଛି ନୂଆ ସ୍ଥାନରେ ବାଘ ଥିବା କ୍ୟାମେରା ଟ୍ରାପ୍‌ରେ ଜଣାପଡ଼ିଛି। ଏପରିକି ବାଘ ସଂଖ୍ୟା ୬୦ ଟପିଯିବ ବୋଲି ସେତେବେଳେ ସେ ଦୃଢ଼ତାର ସହ କହିଥିଲେ। ସୁନ୍ଦରଗଡ଼ର ହେମଗିରି ଜଙ୍ଗଲରେ ମହାବଳ ବାଘକୁ ଠାବ କରାଯାଇଥିଲା। ଗର୍ଜନ ପାହାଡ଼ରେ ଏକ କଳାବାଘ (ମେଲାନିଷ୍ଟିକ୍‌ ଟାଇଗର) ତାର ମା’ ସହ ଦେଖାଯାଇଥିଲା। ସେହି କଳାବାଘକୁ ଠାବ କରାଯିବା ପରେ ରାଜ୍ୟରେ କଳାବାଘର ଉପସ୍ଥିତି ସ୍ପଷ୍ଟ ହୋଇଥିଲା। ସମ୍ବଲପୁର ଜିଲ୍ଲା ହୀରାକୁଦକୁ ଲାଗି ରହିଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ଏବଂ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ମଧ୍ୟ ମହାବଳ ଠାବ ହୋଇଥିଲା। ଏବେ ପ୍ରଶ୍ନ ଉଠୁଛି ଏତେ ସବୁ ନୂତନ ସ୍ଥାନରେ ବାଘ ଚିହ୍ନଟ ହୋଇଥିବା ବେଳେ ଗଣନା‌ ବେଳେ ବାଘ ସବୁ କୁଆଡ଼େ ଗଲେ? ରାଜ୍ୟ ସୀମା ଡେଇଁଗଲେ ନା ମାରି ଦିଆଗଲା? କେଉଁଠି ରହିଲା ସମସ୍ୟା?

୨୦୧୪ ଗଣନା ବେଳେ ମଧ୍ୟରେ ସମାନ ସ୍ଥିତି ଉପୁଜିଥିଲା। ଓଡ଼ିଶାରେ ୨୮ଟି ବାଘ ଥିବା ଗଣନା ରିପୋର୍ଟରେ କୁହାଯାଇଥିଲା। ତେବେ ଏଭଳି ଗଣନାକୁ ନେଇ ରାଜ୍ୟ ସରକାର ପ୍ରଶ୍ନ ଉଠାଇଥିଲେ ଏବଂ ଏହାକୁ ବି‌ରୋଧ କରିବା ସହ ୨୦୧୬‌ରେ ନିଜସ୍ବ ଗଣନା କରିଥିଲେ। ଏଥିରେ ଜଣାପଡ଼ିଥିଲା ଯେ ରାଜ୍ୟରେ ୪୦ଟି ବାଘ ରହିଛନ୍ତି। ରାଜ୍ୟ ସରକାରଙ୍କ ଗଣନା ଅନୁଯାୟୀ ୨୦୧୬ରେ ଯଦି ୪୦ ବାଘ ଥିଲେ ତେବେ ୨୦୧୮ରେ ଗଲେ କୁଆଡେ?

ଏଭଳି ତଥ୍ୟକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ୧୯୯୦ ଦଶକରେ ଦେଶରେ ୩୦୦୦ ମହାବଳ ବାଘ ରହିଥିଲେ। ପରେ ଏହା ଅଧା ହୋଇଥିଲା। ଏବେ ପୁଣି ବଢ଼ିଛି। ତେବେ ଓଡ଼ିଶାରେ ବାଘ ସଂଖ୍ୟା ନ ବଢ଼ିବା ଚିନ୍ତାର ବିଷୟ। ଗଣନାରେ ତ୍ରୁଟି ରହୁଛି। ଯେଉଁମାନେ ବାଘ ଗଣନା କରୁଛନ୍ତି ‌ସେମାନେ ନୂଆ ପଦ୍ଧତି ବ୍ୟବହାର କରୁଛନ୍ତି। ଓଡ଼ିଶାର ପଦ୍ଧତି ଉପରେ ସେମାନଙ୍କ ଭରସା ନାହିଁ। ଯେଉଁଥିପାଇଁ ଏଭଳି ସମସ୍ୟା ହେଉଛି।

ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜାତୀୟ ଗଣନାରେ ସବୁବେଳେ ତ୍ରୁଟି ରହୁଛି। ୨୦୧୪ ତୁଳନାରେ ଓଡ଼ିଶାରେ ବାଘ ସଂଖ୍ୟା ବହୁ ପରିମାଣରେ ବଢ଼ିଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ୬୦ରୁ ଅଧିକ ବାଘ ରହିଛନ୍ତି। କେତେକ ନୂଆ‌ ସ୍ଥାନରେ ବାଘ ଥିବା ଜଣାପଡ଼ିଛି। ‌ତେଣୁ ଏହି ରିପୋର୍ଟକୁ ଆମେ ଗ୍ରହଣ କରୁନୁ। ଏଥରକ ବି ରାଜ୍ୟ ସରକାର ନିଜସ୍ବ ଗଣନା କରିବେ। ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଚୂଡ଼ାନ୍ତ ନି‌ଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଆଜି ଦିଲ୍ଲୀରେ ସମସ୍ତ ରାଜ୍ୟର ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବୈଠକ ବସିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର