ଆଜିଠାରୁ ବାଘ ଗଣନା: ଲାଗିଛି ୯୦୦ କ୍ୟାମେରା

ଭୁବନେଶ୍ୱର : ସାରା ଦେଶରେ ଶୁକ୍ରବାର ଠାରୁ ଆରମ୍ଭ ହେଉଛି ବାଘ ଗଣନା। ଓଡ଼ିଶାରେ ବି ଏଥି ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଏକ ସପ୍ତାହ ଧରି ବାଘ ଗଣନା ହେବ। ଗଣନା ପାଇଁ ଏଥର ୩୮ଟି ଯାକ ଡିଭିଜନର ବିଭିନ୍ନ ସ୍ଥାନରେ ପ୍ରାୟ ୯୦୦ଟି କ୍ୟାମେରା ଲାଗିଛି।

ଏ ସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏ ନେଇ ତାଲିମ୍‌ ଦିଆଯାଇଛି। ଯେଉଁଠାରେ ବାଘ ମିଳିବାର ସମ୍ଭାବନା ଅଛି, ସେଠାରେ କ୍ୟାମେରା ଲଗାଯାଇଛି। ଗଣନାରେ ମିଳୁଥିବା ସମସ୍ତ ତଥ୍ୟକୁ ଓ୍ଵାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌କୁୁ ପଠାଯିବ। ସେଠାରୁ ରାଜ୍ୟରେ କେତେ ବାଘ ଅଛନ୍ତି ତା’ର ରିପୋର୍ଟ ପ୍ରକାଶ ପାଇବ।

ଆସନ୍ତାକାଲି ଠାରୁ ହେବାକୁ ଥିବା ବାଘ ଗଣନା ନେଇ ପିସିସିଏଫ୍‌ (ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ, ଚଳିତବର୍ଷ ପ୍ରଥମ କରି ୪ଟି ପର୍ଯ୍ୟାୟରେ ବାଘ ଗଣନା ହେଉଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଡିଭିଜନରେ ବାଘଙ୍କର ଯାତାୟତ ସମୟର ଫଟୋ ଉଠାଯାଇଛି। ଆସନ୍ତାକାଲି ଠାରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଦ୍ୱିତୀୟ ପର୍ଯ୍ୟାୟ ଗଣନା ଆରମ୍ଭ ହେବ। ଏହି ଗଣନା ଯେପରି ଠିକ୍‌ ହେବ ସେଥିପାଇଁ ଅଧିକ ବାଘ ଯାତାୟତ କରୁଥିବା ସ୍ଥାନ ତଥା କୋର୍‌ ଅଞ୍ଚଳରେ କ୍ୟାମେରା ଲଗାଯାଇଛି। ଶିମିଳିପାଳ, ସୁନାବେଡ଼ା ଓ ସାତକୋଶିଆ ଡିଭିଜନରେ ଅଧିକ କ୍ୟାମେରା ଲଗାଯାଇଛି। ଏହି ପର୍ଯ୍ୟାୟରେ ଆମେ ବାଘଙ୍କ ଖାଦ୍ୟ ଓ ମଳକୁ ବି ସଂଗ୍ରହ କରିବୁ। ବାଘ ଗଣନା ସମେତ ଚିତା ବାଘ ଗଣନା ହେବ। ବାଘଙ୍କ ଖାଦ୍ୟ ହରିଣ, ସମ୍ବର ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ସ୍ଥିତି ବିଷୟରେ ବି ରିପୋର୍ଟ ଦିଆଯିବ। ମାର୍ଚ୍ଚ ୧୫ସୁଦ୍ଧା ତୃତୀୟ ପର୍ଯ୍ୟାୟ ସର୍ଭେ କରାଯିବ। ଏଥିରେ ଯେଉଁ ଭିଡିଏ, ଫଟୋ, ପଗ୍‌ ମାର୍କ, ମଳ ଆଦି ଆସିଥିବା ତାହାକୁ ପୁନଃ ଯାଞ୍ଚ କରାଯିବ। ମାର୍ଚ୍ଚ ୧୫ରେ ଓ୍ଵାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌କୁ ସମସ୍ତ ତଥ୍ୟ ଦିଆଯିବ। ଏହାପରେ ସେମାନେ ଚତୁର୍ଥ ପର୍ଯ୍ୟାୟ ସର୍ଭେ କରିବେ। ଆସନ୍ତା ଜୁନ୍‌ରୁ ଅଗଷ୍ଟ ମାସ ଭିତରେ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ।

ଗତ ବର୍ଷ ରାଜ୍ୟରେ ୪୦ଟି ବାଘ ଥିବା ଗଣନାରୁ ଜଣାପଡ଼ିଥିଲା। ଏ ବର୍ଷ ଏହି ସଂଖ୍ୟା ବଢ଼ିବ ବୋଲି ବିଭାଗ ପକ୍ଷରୁ ଆଶାପ୍ରକଟ କରାଯାଇଛି।

ଚଳିତ ବର୍ଷ ରାଜ୍ୟରେ ଡଲ୍‌ଫିନ୍‌ ସଂଖ୍ୟା ବଢ଼ିଛି ବୋଲି ବିଭାଗୀୟ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଭିତରକନିକା, ଗହୀରମଥା ସମୁଦ୍ରତଟରେ ୩୦୭ ଡଲ୍‌ଫିନ୍‌ ରହିଛି। ଚିଲିକାରେ ୧୬୨ ଡଲଫିନ୍‌ ରହିଥିବା ଗଣନାରୁ ଜଣାପଡ଼ିଛି। ଓଡ଼ିଶାରେ ଥିବା ଡଲ୍‌ଫିନ୍‌ଗୁଡ଼ିକ ଏରଓ୍ଵାଡ଼ି, ବଟଲ୍‌ନୋଜ୍‌, ହମ୍ପ୍‌ବ୍ୟାକ୍‌ ପ୍ରଜାତିର।

ସମ୍ବନ୍ଧିତ ଖବର