ଦେବଗଡ଼: ଦେବଗଡ଼ରେ ବନ୍ୟଜନ୍ତୁ ଶିକାର ଥମୁନି। ବିଭିନ୍ନ ସମୟରେ ଶିକାରୀମାନେ ବିଦ୍ୟୁତ୍ ତାର କିମ୍ବା ଦେଶୀ ବନ୍ଧୁକରେ ବନ୍ୟପ୍ରାଣୀଙ୍କୁ ଶିକାର କରୁଛନ୍ତି। ଶିକାର ହେଉଥିବା ପ୍ରାଣୀଙ୍କ ମାଂସ ଓ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରୁଛନ୍ତି। ଫଳରେ ଦେବଗଡ଼ର ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ ବିରଳ ପ୍ରାଣୀ ବିଲୁପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ ମାସ ୭ ତାରିଖରେ ରିଆମାଳ ଥାନା ତାରଙ୍ଗ-ଟୁହିଳାମାଲ ଜଙ୍ଗଲ ନିକଟରୁ ଦେବଗଡ଼ ପୁଲିସ ସ୍ବତନ୍ତ୍ର ସ୍କ୍ବାଡ୍ ଗ୍ରାହକ ବେଶରେ ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାର ମାସେ ପରେ ପୁଣି ଗୁରୁବାର ପୁଲିସ ଏକ କଲରାପତରିଆ ବାଘର ଛାଲ ଓ ପଞ୍ଝା ଜବତ କରିଛି। ଏହାସହିତ, ଶିକାରରେ ବ୍ୟବହୃତ ବିଦ୍ୟୁତ୍ ତାର ଜବତ କରିଛି। ଏହି ଘଟଣାରେ ମଧ୍ୟ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବିଦ୍ୟୁତ୍ ତାର ସାହାଯ୍ୟରେ ବାଘଟିକୁ ଶିକାର କରିବାପରେ ଛାଲ ଓ ନଖ ବିକ୍ରି କରିବା ପାଇଁ ନେଉଥିଲେ।
ଶୁକ୍ରବାର ମଧ୍ୟାହ୍ନରେ ଦେବଗଡ଼ ଏସ୍ପି ରାଜକିଶୋର ପାଇକରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୩ ଜଣ ବ୍ୟକ୍ତି ଏକ କଲରାପତରିଆ ବାଘର ଚମଡ଼ା କୁଣ୍ଢେଇଗୋଳା ଥାନା ଖଣ୍ଡାଧୂଆଁ ଅଞ୍ଚଳର ରତନପୁର ପଞ୍ଚାୟତ ମାମୁରିଖୋଲ ପୋଖରୀ ନିକଟରେ ବିକ୍ରି କରିବାର ଯୋଜନା କରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଏହି ଖବର ମିଳିବା କ୍ଷଣି ଏସ୍ଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍ ଏବଂ କୁଣ୍ଢେଇ ଗୋଳା ପୁଲିସ ମିଳିତ ଭାବେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ଏକ ଧଳା ରଙ୍ଗର ପ୍ଲାଷ୍ଟିକ୍ ବ୍ୟାଗକୁ ସନ୍ଦେହଜନକ ଅବସ୍ଥାରେ ଧରି ବସିଥିଲା। ପୁଲିସକୁ ଦେଖି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ତାକୁ କାବୁ କରି ନେଇଥିଲା। ଉକ୍ତ ବ୍ୟାଗଙ୍କୁ ଯାଞ୍ଚ କରିବାରୁ ସେଥିରୁ ୧୪୫ ସେଣ୍ଟିମିଟର ଲମ୍ବ ଏବଂ ୨୬ ସେଣ୍ଟିମିଟର ଚଉଡ଼ାର କଲରାପତରିଆ ବାଘଛାଲ ଜବତ ମିଳିଥିଲା। ଏହି ବାଘଛାଲ ସହିତ ବାଘର ପଞ୍ଝା, ୪୦ ଫୁଟ୍ର ଇଲେକ୍ଟ୍ରି ତାର ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ; ଖଣ୍ଡାଧୂ୍ଆଁ ଗାଁର ରଂଜିତ ନାଏକ (୩୬), ସମ୍ବାରୁ ନାଏକ (୨୮) ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାଞ୍ଚଳର ବିଷ୍ଣୁ ଲୁହୁରା (୩୫)। ସେମାନେ ବିଦ୍ୟୁତ୍ ତାର ଲଗାଇ ଉକ୍ତ ବାଘକୁ ଶିକାର କରିଛନ୍ତି ବୋଲି ପୁଲିସ ଆଗରେ ସ୍ବୀକାର କରିଥିବା ଏସ୍ପି ସୂଚନା ଦେଇଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ବ୍ୟତୀତ ଅନ୍ୟ ଧାରାର ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠାରୁ ଗୋଟିଏ କଲରାପତରିଆ ବାଘ ଚମଡ଼ା, ୩ ପଞ୍ଝା, ୪୦ ଫୁଟ୍ ଲମ୍ବର ବିଦ୍ୟୁତ୍ ତାର ଜବତ କରାଯାଇଛି।