ସମ୍ବଲପୁର/ଭୁବନେଶ୍ବର : କଲରାପତରିଆ ବାଘବଂଶ ଲୋପ ପାଇଯିବ କି? ଆଜି ୩ଟି ବାଘ ଛାଲ ଜବତ ଘଟଣାରୁ ଏହିଭଳି ଆଶଙ୍କା ପ୍ରକାଶ ପାଇଛି। ସମ୍ବଲପୁର ଓ ଝାରସୁଗୁଡ଼ା ପୁଲିସ୍ର ମିଳିତ ସହଯୋଗରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଚଢ଼ାଉ କରି ଏହି ୩ଟି ବାଘଛାଲ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା କୋଲାବିରା ଥାନା ଯୋଗୀଡିହିର ସୁମିତ କୁମାର ପଟେଲ, ବଲାଙ୍ଗୀର ଥାନା ସୁଦପଡ଼ାର କୃପା ସାହୁ ଓ ଯୁଯୁମୁରା ଥାନା ଟାମ୍ପରଗଡ଼ ପଲସାମାଲର ଆଦିତ୍ୟ ପାତ୍ର।
ସୂଚନା ମୁତାବକ, ଦୀର୍ଘଦିନ ହେବ ଆଦିତ୍ୟ ବାଘଛାଲ ଚୋରାଚାଲାଣ କାରବାର କରୁଥିଲା। ଏଥିପାଇଁ ଆଖପାଖ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଶିକାରୀଙ୍କୁ ନିଜ ଗ୍ୟାଙ୍ଗ୍ରେ ସାମିଲ୍ କରିଥିଲା। ସେମାନଙ୍କଠାରୁ ବନ୍ୟଯନ୍ତୁଙ୍କ ଛାଲ, ନଖ, ଦାନ୍ତ ଆଦି କିଣି ଚଢ଼ାଦରରେ ବିକ୍ରି କରୁଥିଲା। ଗତ ୧୪ ତାରିଖ ସେ ସୁମିତ ଓ କୃପାକୁ ୧ଲକ୍ଷ ୭୦ ହଜାର ଟଙ୍କାରେ ଦୁଇଟି ଛାଲ ଦେଇଥିଲା। ଆଉ ଏକ ଛାଲ ପାଇଁ ୭୦ହଜାର ଟଙ୍କା ଡିଲ୍ ହୋଇଥିଲା। ଗତ ୧୫ତାରିଖ ରାତିରେ ସେମାନେ ଆଦିତ୍ୟଠାରୁ ଛାଲ ନେଇଥାଆନ୍ତେ। ଖବରପାଇ ଏସ୍ଟିଏଫ୍ ଟିମ୍ ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲା।
ଏହାପରେ ଯୋଜନା ମୁତାବକ ତିନିଟି ଟିମ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ଲୁ’ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଝାରସୁଗୁଡ଼ା-କୁଚିଣ୍ଡା ରୋଡ୍ ମଝିରେ ଥିବା ମାଲିଧିଛକରେ ୩ଟି ଟିମ୍ ଛକି ବସିଥିଲେ। ଏକ ନିଛାଟିଆ ସ୍ଥାନରେ ଅଭିଯୁକ୍ତମାନେ ଡିଲ୍ କରୁଥିବା ବେଳେ ଟିମ୍ ସେମାନଙ୍କୁ କାବୁ କରିଥିଲା। ହେଲେ, ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଏନେଇ ଏସ୍ଟିଏଫ୍ ଏକ ମାମଲା ରୁଜୁକରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି, ଜବତ ଛାଲର ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍ସ୍ଥିତ ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନକୁ ପଠାଯାଇଛି।
ଏହି ବାଘ ଛାଲ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।