ନବରଙ୍ଗପୁରରେ ପୁଣି ସକ୍ରିୟ ବାଘ ଛାଲ ରାକେଟ୍‌ : ୩ କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ବନ ବିଭାଗ ବାହାରକୁ ଚାଲାଣ ହେଉଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରୁ ୩ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଏ ନେଇ ନବରଙ୍ଗପୁର ଡିଏଫ୍‌ଓ ମଗର ଧନଜୀ ରାଓସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅନ୍ତର୍ଗତ ବରିଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି।

ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନ ବିଭାଗର ଏକ ଟିମ୍ ଗତକାଲି ନବରଙ୍ଗପୁର ଓ କଳାହାଣ୍ଡି ସୀମାର ବରାଗୁଡ଼ାଠାରେ ଛକି ରହିଥିଲେ। ଏହି ସମୟରେ ଗୋଟିଏ ମୋଟର ସାଇକଲରେ ଆସୁଥିବା ୨ ଜଣ ସନ୍ଦିଗ୍ଧଙ୍କୁ କାବୁ କରିଥିଲେ। ସେମାନଙ୍କ ବ୍ୟାଗ୍ ଯାଞ୍ଚ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ ମିଳିଥିଲା। ବାଘ ଛାଲ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲା ବନ ବିଭାଗ। ଗିରଫ ଦୁଇ ଜଣ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ସୁରେନ୍ଦ୍ର ନାୟକ ଓ ତ୍ରିନାଥ ନାୟକ। ସେହିପରି ନନ୍ଦାହାଣ୍ଡି ବ୍ଲକ୍ ଅଣ୍ଟାସର ନିକଟସ୍ଥ ଉଷୁରିପଦର ଛକ ନିକଟରେ ଅନୁରୂପ ଭାବେ ଆଉ ଏକ ମୋଟର ସାଇକଲ ସହ ୨ ଜଣଙ୍କୁ କାବୁ କରିଥି‌ଲେ ବନ ବିଭାଗ କର୍ମଚାରୀ। ସେମାନଙ୍କ ବ୍ୟାଗ୍ ଯାଞ୍ଚ ବେଳେ ମଧ୍ୟ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିଲା। ଗିରଫ ଦୁଇ ଜଣ ହେଲେ ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅନ୍ତର୍ଗତ ବରିଗୁଡ଼ା ଗ୍ରାମର ଗୁପ୍ତ ପ୍ରସାଦ ଟାକ୍ରୀ ଓ ପ୍ରହଲ୍ଲାଦ ନାୟକ। ଜବତ ୩ଟି ବାଘ ଛାଲ ମଧ୍ୟରୁ ଗୋଟିଏ ପ୍ରାପ୍ତବୟସ୍କ ବାଘର ଛାଲ ହୋଇଥିବା ବେଳେ ଅନ୍ୟ ଦୁଇଟିରୁ ଗୋଟିଏ ୩ ବର୍ଷ ଓ ଅନ୍ୟଟି ୭ ବର୍ଷ ବୟସର କଲରାପତରିଆ ବାଘର ଛାଲ ବୋଲି ବନ ବିଭାଗ ଅନୁମାନ କରିଛି।

୨୦୧୬ ପୂର୍ବରୁ ନବରଙ୍ଗପୁର ଦେଇ ବାଘ ଛାଲ ରାକେଟ୍ ସକ୍ରିୟ ଥିବା ବେଳେ ପ୍ରାୟ ୪ ବର୍ଷ ଧରି ଏଭଳି ଘଟଣା ନଜରକୁ ଆସି ନ ଥିଲା। ଏମାନେ ବାଘ ଛାଲ କେଉଁଠୁ ଆଣୁଥିଲେ ଓ କୁଆଡ଼େ ନେଉଥିଲେ ତାର ତଦନ୍ତ ଜାରି ରହିଛି। ବାଘ ଛାଲ ଚାଲାଣ ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଡିଏଫ୍‌ଓ କହିଛନ୍ତି। ସମ୍ବାଦିକ ସମ୍ମଳନୀରେ ଏସିଏଫ୍‌ଓ ଧନୁର୍ଜୟ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର