ବାଘ ନା ବଣବିରାଡ଼ି! ନିଶ୍ଚିତ ହେବା ଲକ୍ଷ୍ୟରେ ସିସି କ୍ୟାମେରା ଲଗାଇଲା ବନ ବିଭାଗ

ବିଆରପିଏଲ୍‌ ପ୍ଲାଣ୍ଟ୍‌ ପରିସରରେ ବାଘ ଭଳି ଏକ ଜନ୍ତୁ ବୁଲୁଥିବାର ଭିଡିଓ ଭାଇରାଲ୍‌ ଘଟଣା

କାଳିଆପାଣି : ଟମକା ରେଞ୍ଜ୍ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳ ବିଆରପିଏଲ୍‌ ପ୍ଲାଣ୍ଟ୍‌ ପରିସରରେ ଗତକାଲି ଠାରୁ ବାଘ ଭଳି ଦେଖା ଯାଉଥିବା ଏକ ଜନ୍ତୁ ବୁଲୁଥିବାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ବନ ବିଭାଗ ପକ୍ଷରୁ ଏକ ୧୫ ଜଣିଆ ଦଳ ଉକ୍ତ ପ୍ଲାଣ୍ଟ୍‌ ପରିସରରେ ଜଗିରହି ଏହାର ଗତିବିଧି ଅନୁଧ୍ୟାନ କରିଥିଲେ। ପ୍ଲାଣ୍ଟ୍ ମଧ୍ୟରେ ଥିବା ଏକାଧିକ ସିସି କ୍ୟାମେରାରୁ ଉତ୍ତୋଳିତ ଭିଡିଓ ଆଧାରରେ ଏହା ଏକ ବଡ଼ ବଣବିରାଡ଼ି(କଟାସ) ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଥିଲା।

ବିଆରପିଏଲ୍‌ ପ୍ଲାଣ୍ଟର ଉଭୟ ପାର୍ଶ୍ବରେ ଥିବା ନୀଳାଚଳ ଇସ୍ପାତ ନିଗମ ଓ ମେସ୍କୋ ଷ୍ଟିଲ କାରଖାନା ପରିସରରେ ଦୁଇ ଦୁଇଟି ଘଞ୍ଚ ଜଙ୍ଗଲ ଗଢ଼ି ଉଠିବା ସହ ଏସବୁ ସ୍ଥାନରେ ବିଭିନ୍ନ ଜନ୍ତୁ ବୁଲୁଥିବା ଚର୍ଚ୍ଚା ହେଉଛି। ଏସଂପର୍କରେ ନିଶ୍ଚିତ ହେବା ଲକ୍ଷ୍ୟରେ ବନ ବିଭାଗ ପକ୍ଷରୁ ଜନ୍ତୁ ବିଚରଣ ସମ୍ଭାବନା ଥିବା ସ୍ଥାନରେ ଆଜି ୩ଟି ସିସି କ୍ୟାମେରା ଲଗାଯାଇଛି ବୋଲି ରେଞ୍ଜର ବଳରାମ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର