ଶୀତ ଋତୁରେ ହେବ ବାଘ ଗଣନା: ୨୦ଟି ବନଖଣ୍ଡରେ ଗଣନା କରିବାକୁ ପ୍ରସ୍ତାବ, ନିଯୁକ୍ତ ହେଲେ ନୋଡାଲ ଅଧିକାରୀ

ସେପ୍ଟେମ୍ବର ସୁଦ୍ଧା ବନ କର୍ମଚାରୀଙ୍କୁ ତାଲିମ

ଭୁବନେଶ୍ବର: ଏ ବର୍ଷ ଶୀତ ଋତୁରେ ହେବ ବାଘ ଗଣନା। ୪ରୁ ୫ ମାସ ଧରି ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ବାଘ ଗଣନା କରାଯିବ। ପୂର୍ବଥର ପରି ଏଥର ମଧ୍ୟ କ୍ୟାମେରା ଟ୍ରାପ୍‌ ପଦ୍ଧତି ବ୍ୟବହାର ହେବ। ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ଗଣନା ରାଜ୍ୟ ଜଙ୍ଗଲ ବିଭାଗ କରିବାକୁ ଥିବା ବେଳେ ଦ୍ବିତୀୟ ଓ ଚତୁର୍ଥ ପର୍ଯ୍ୟାୟ ଗଣନା ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ) କରିବ। ଆସନ୍ତା ଅକ୍ଟୋବରରୁ ଏହି ଗଣନା ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଘ ଗଣନା ଲାଗି ଜଙ୍ଗଲ ବିଭାଗ ଇତିମଧ୍ୟରେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି। ଏନ୍‌ଟିସିଏ ପକ୍ଷରୁ ଖୁବ୍‌ଶୀଘ୍ର ରାଜ୍ୟର ମାଷ୍ଟର ଟ୍ରେନର୍‌ମାନଙ୍କୁ ତାଲିମ ଦିଆଯିବ। ଏହାପରେ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ବିଭିନ୍ନ ବନଖଣ୍ଡରେ ଥିବା କର୍ମଚାରୀଙ୍କୁ ତାଲିମ ଦେବାକୁ ଜଙ୍ଗଲ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି; ଏଥର ଅଧିକ ୫ରୁ ୭ଟି ବନଖଣ୍ଡରେ ବାଘ ଗଣନା କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବା ସହ ଏନ୍‌ଟିସିଏକୁ ପ୍ରସ୍ତାବ ପଠାଇଛନ୍ତି। ୨୦୧୮ ଗଣନା ବେଳେ ରାଜ୍ୟର ୧୫ଟି ବନଖଣ୍ଡକୁ ସାମିଲ କରାଯାଇଥିଲା। ମାତ୍ର ଏଥର ୨୦ରୁ ୨୨ଟି ବନଖଣ୍ଡରେ ଗଣନା କରିବାକୁ ଲକ୍ଷ୍ୟ ରଖାଯାଇଛି। କେତେକ ବନଖଣ୍ଡରେ ବାଘ ଚଳପ୍ରଚଳ ହେଉଥିବା ନଜରକୁ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ବାଘ ଗଣନା ପାଇଁ ଜଙ୍ଗଲ ବିଭାଗ ଓ ଏନ୍‌ଟିସିଏ ମଧ୍ୟରେ ପ୍ରଥମ ବୈଠକ ସରିଛି। ଜଙ୍ଗଲ ବିଭାଗ ପଖରେ ଏବେ ପାଖାପାଖି ୧୨୦୦ କ୍ୟାମେରା ରହିଛି। ଆବଶ୍ୟକ ପଡ଼ିଲେ ଆଉ କିଣାଯିବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି।

ଶ୍ରୀ ପଲ୍‌ କହିଛନ୍ତି ଯେ ବାଘ ଗଣନା ପାଇଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ସେପ୍ଟେମ୍ବର ସୁଦ୍ଧା ମାଷ୍ଟର ଟ୍ରେନର୍‌ଙ୍କ ସହ ବନ କର୍ମଚାରୀ ଓ ଅଧିକାରୀଙ୍କ କର୍ମଶାଳା କରାଯାଇ ତାଲିମ ଦିଆଯିବ। ଅକ୍ଟୋବରରୁ ପ୍ରଥମ ପର୍ଯ୍ୟାୟ ତଥ୍ୟ ସଂଗ୍ରହ ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜିଆଇଏସ୍‌ର ତଥ୍ୟ ଅନୁଯାୟୀ କେଉଁଠାରେ କେତେ ଘନତା ବିଶିଷ୍ଟ ଜଙ୍ଗଲ ଓ ତୃଣଭୋଜି ପ୍ରାଣୀ ଅଛନ୍ତି ସେସବୁକୁ ଚିହ୍ନଟ କରାଯିବ। ଶେଷ ପର୍ଯ୍ୟାୟରେ କ୍ୟାମେରା ଟ୍ରାପ୍‌ ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯିବ। ଜାନୁଆରି ଶେଷ ସୁଦ୍ଧା ବିଭିନ୍ନ ବନାଞ୍ଚଳ ଦ୍ବାରା ସମ୍ପୃକ୍ତ ଅଞ୍ଚଳର କ୍ୟାମେରା ତଥ୍ୟକୁ ବିଶ୍ଳେଷଣ ପାଇଁ ଦାଖଲ କରିବାକୁ ହେବ। ସାଇନ୍ ସର୍ଭେ, ପଗ୍ ମାର୍କ (ପାଦ ଚିହ୍ନ) ଓ କ୍ୟାମେରା ଟ୍ରାପ୍‌ ଦ୍ବାରା ବାଘ ଗଣନା କରାଯିବ। ବାଘ ଗଣନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଆମେ ସ୍ବତନ୍ତ୍ର ମୋବାଇଲ୍ ଆପ୍ ବ୍ୟବହାର କରିବୁ। ୨୦୧୮ ଗଣନା ବେଳେ ପ୍ରଥମ ଥର ପାଇଁ ଏହି ଆପ୍ଲିକେସନ୍‌ ବ୍ୟବହାର କରାଯାଇଥିଲା।

ସୂଚନାଯୋଗ୍ୟ ଯେ ୨୦୧୮ ବାଘ ଗଣନା ଅନୁଯାୟୀ ଓଡ଼ିଶା‌ରେ ୨୮ଟି ମହାବଳ ରହିଛନ୍ତି। ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ୧୮ଟି ବାଘ ରହିଥିବା ବେଳେ ଓଡ଼ିଶାର ଅନ୍ୟାନ୍ୟ ବନ୍ୟପ୍ରାଣୀ ଡିଭିଜନ୍‌ ଓ ଅଭୟାରଣ୍ୟରେ ବି ବାଘ ରହିଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ୧୨ଟି ବାଘ ଚଳପ୍ରଚଳ ହେଉଥିବା ବେଳେ ୮ଟି ବାଘ ରହିଥିବା କ୍ୟାମେରାରେ କଏଦ୍‌ ହୋଇଥିଲା। ସାତକୋଶିଆରେ ମାତ୍ର ଗୋଟିଏ ବାଘ ରହିଛି। ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ରହିଥିଲେ। ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ରେ ୨୮ଟି ବାଘ ରହିଥିବା ବେଳେ ୨୦୧୮ ବ୍ୟାଘ୍ର ଗଣନା ରିପୋର୍ଟରେ ବି ସମାନ ବାଘ ରହିଥିଲେ।

ସମ୍ବନ୍ଧିତ ଖବର