ବ୍ରହ୍ମପୁର/ପାରଳାଖେମୁଣ୍ଡି : କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କାରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରବିବାର ସନ୍ଧ୍ୟାରୁ ଜାରି ହୋଇଥିବା ୧୪୪ ଧାରାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। କିନ୍ତୁ ଓଡ଼ିଶା କୋଭିଡ୍-୧୯ ରେଗୁଲେସନ, ୨୦୨୦କୁ କଡ଼ାକଡି କରା ଯାଇଥିବା ଦୁଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଦୁଇ ଜିଲ୍ଲାରେ ସାମାଜିକ ଉତ୍ସବ, ମିଳାମିଶା ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ପରସ୍ପରଠାରୁ ଏକ ମିଟର ଦୂରତାରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାରେ ଚୈତ୍ର ମଙ୍ଗଳବାର ତାରାତାରିଣୀ ପୀଠରେ ଯାତ୍ରା ସମେତ ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ହୁଏ। ତାରାତାରିଣୀ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। ଜନସମାଗମ ଦ୍ବାରା କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଥାଏ। ଜନସମାଗମ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଗତ ୧୫ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଜାରି କରାଯାଇଥିଲା। ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ସମାଗମ ହୋଇପାରିବେ ନାହିଁ ନିର୍ଦ୍ଦେଶ ରହିଥିଲା। ଏଥିସହ ୧୨ଦଫା ନିର୍ଦ୍ଦେଶାବଳୀ ଜାରି କରା ଯାଇଥିଲା। ଏବେ ୧୪୪ ଧାରା ପ୍ରତ୍ୟାହାର ହେଲେ ମଧ୍ୟ ବିଭିନ୍ନ ଶକ୍ତିପୀଠରେ ହେବାକୁ ଥିବା ଜାନିଯାତ୍ରା ବନ୍ଦ ରହିବ ଏବଂ ସାମାଜିକ ମିଳାମିଶା କଟକଣା ଜାରି ରହିବ।
ଅନ୍ୟପକ୍ଷରେ ଗତକାଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଜିଲ୍ଲାରେ ସତର୍କତା ଅବଲମ୍ବନ ପାଇଁ ୫ ଜଣଙ୍କଠାରୁ ଅଧିକା ବ୍ୟକ୍ତି ଏକାଠି ରହିବା ଉପରେ କଟକଣା ଜାରି କରିଥିଲେ। ତେବେ, କୃଷି ମିସନ ଅତିରିକ୍ତ ଶାସନ ସଚିବ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ମହମାରୀ ଭଳ ଜରୁରୀକାଳୀନ ସ୍ଥିତି ସମୟରେ ଜିଲ୍ଲାପାଳ ୧୪୪ ଧାରା ଜାରି କରିପାରିବେ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ। ଏହା ପରେ ଗଜପତି ଜିଲ୍ଲାପାଳ ଆଜି ସକାଳେ ୧୪୪ ଧାରାକୁ ପ୍ରତ୍ୟାହାର କରି ନେଇଥିବା ଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ କରୋନା ଭାଇରସଠାରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଅନ୍ୟାନ୍ୟ ନିର୍ଦେଶ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ବଡ଼ ବଡ଼ ଦୋକାନ ଏବଂ ମଲ୍ ଖୋଲି ପାରିବେ ନାହିଁ କି ରାଜନୈତିକ ସମାବେଶ, ଜାନିଯାତ୍ରା, କଲ୍ୟାଣ ମଣ୍ଡପରେ ବାହାଘର, ବ୍ରତ ଏବଂ ଅନ୍ୟାନ୍ୟ ମହୋତ୍ସବ ଆଦିର ଆୟୋଜନ କରାଯାଇ ପାରିବ ନାହିଁ ବୋଲି ସୂଚନା ଜାରି କରାଯାଇଛି।